ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରି ୧ ତାରିଖରେ ୨୦୨୩-୨୪ ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ ଉପସ୍ଥାପନ କରାଯାଇଛି। ଏଥିରେ ଆକଳନ କରାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪)ରେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ହ୍ରାସ ପାଇବ। ଅଥଚ ସରକାର ଆଶା ଦେଖାଇଛନ୍ତି ଯେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌), ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ଓ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିବା ଆକଳନ ଆଧା‌ରରେ ସରକାର ସର୍ଭେ ରିପୋର୍ଟରେ ଏଭଳି ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ସ୍ତରରେ ଘଟିବାକୁ ଥିବା ବିଭିନ୍ନ ଅର୍ଥନୈତିକ ଓ ରାଜନୈତିକ ଘଟଣା ପ୍ରଭାବରେ ବାସ୍ତବ ଅଭିବୃଦ୍ଧି ହାର ୬ରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ସେହିଭଳି ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)‌ରେ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

Advertisment

‌କରୋନା ମହାମାରୀ, ରୁଷ୍-ୟୁକ୍ରେନ୍‌ ଯୁଦ୍ଧ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ସୁଧ ବୃଦ୍ଧି, ମହଙ୍ଗା ଡଲାର ଓ ଚଳନ୍ତି ଖାତା ନିଅଣ୍ଟରେ ବୃଦ୍ଧି ଭଳି ବହୁ ଆହ୍ବାନ ସତ୍ତ୍ବେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ନିକଟରେ ଚୀନ୍‌ରେ ଦେଖାଦେଇଥିବା କରୋନା ମହାମାରୀ ଲହର ଯୋଗାଣ ଶୃଙ୍ଖଳକୁ ବିଶେଷ ପ୍ରଭାବିତ କରିନାହିଁ ଏବଂ ଏହାର ପ୍ରଭାବରେ ସ୍ବାସ୍ଥ୍ୟ ଓ ଅର୍ଥନୀତିରେ ମଧ୍ୟ ବିଶେଷ କ୍ଷତି ହୋଇନାହିଁ। ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଭଳି ସ୍ଥିତି ରହିଥିବା ବେଳେ ଭାରତରେ ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ କମ୍ ଥିବାରୁ ଭାରତକୁ ଅଧିକ ବିଦେଶୀ ପୁଞ୍ଜି ଆସିବ। ନିକଟରେ ବଡ଼ ବଡ଼ ପ୍ରଯୁକ୍ତି କଂପାନିରେ ହେଉଥିବା ବ୍ୟାପକ ଛଟେଇ ଯୋଗୁ ମାନ୍ଦାବସ୍ଥା ଭୟ ଆହୁରି ବଢ଼ିଯାଇଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଆହୁରି କହୁଛି ଯେ କ୍ରୟ ଶକ୍ତି ସମାନତା (ପିପିପି) ଅନୁସାରେ ଭାରତ ହେଉଛି ବିଶ୍ବର ତୃତୀୟ ବୃହତ ଅର୍ଥନୀତି। ସେହିଭଳି ବିନିମୟ ହାର ଦୃଷ୍ଟିରୁ ପଞ୍ଚମ ବଡ଼ ଅର୍ଥନୀତି। କରୋନା ମହାମାରୀ ଓ ରୁଷ୍‌-ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୀତିରେ ଯେଉଁ କ୍ଷତି ହୋଇଥିଲା ଇତିମଧ୍ୟରେ ତାହା ପ୍ରାୟ ଭରଣା ହୋଇଛି ଏବଂ ଅଟକି ରହିଥିବା କାମ ଆଗକୁ ବଢ଼ିଛି। ମୁଦ୍ରାସ୍ଫୀତି ଏତେଟା ଚିନ୍ତାର ବିଷୟ ହୋଇ ରହିବନି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ହେଲେ ହାର ଉଚ୍ଚ ସ୍ତରରେ ରହିବା ଆଶଙ୍କା ପ୍ରକଟ କରାଯାଇଛି।

ଅର୍ଥନୈତିକ ସର୍ଭେ ରିପୋର୍ଟ
ଭାରତ ତୃତୀୟ ବୃହତ୍‌ ଅର୍ଥନୀତି
ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବ
ଅଧିକ ବିଦେଶୀ ପୁଞ୍ଜି ଆସିବ
ସହରକୁ ଫେରିବେ ପ୍ରବାସୀ ଶ୍ରମିକ

ଦେଶର ଅର୍ଥନୀତି ପ୍ରତି ରହିଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ଏଥିରେ କୁହାଯାଇଛି ଯେ ବିଶ୍ବସ୍ତ‌ରରେ ବହୁ ସାମଗ୍ରୀ ମହଙ୍ଗା ରହିବା ଯୋଗୁ ଚଳନ୍ତି ଖାତା ନିଅଣ୍ଟ (ରପ୍ତାନି ତୁଳନାରେ ଆମଦାନି ଅଧିକ ସ୍ଥିତି) ବୃଦ୍ଧି ପାଇବ। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ପୁଣି ସୁଧ ବଢ଼ାଇଲେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବ। ଚଳିତ ଆର୍ଥିକ ବର୍ଷ ଦ୍ବିତୀୟ ଭାଗରେ ରପ୍ତାନିରେ ହୋଇଥିବା ହ୍ରାସ ଚିନ୍ତାର ବିଷୟ। ୨୦୨୩-୨୪ ଆର୍ଥିକ ବର୍ଷରେ ଘରୋଇ ଉପଯୋଗିତାରେ ବୃଦ୍ଧି, ବ୍ୟାଙ୍କ ଦ୍ବାରା ଅଧିକ ଋଣ ପ୍ରଦାନ ଏବଂ କଂପାନିଗୁଡ଼ିକ ଦ୍ବାରା ପୁଞ୍ଜି ବ୍ୟୟରେ ବୃଦ୍ଧି ଦ୍ବାରା ବିଶ୍ବର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ଅଭିବୃଦ୍ଧି ଅଧିକ ରହିବ। ଘରୋଇ ଉପଯୋଗିତା ବଢ଼ିଲେ ଉତ୍ପାଦନ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଅଧିକ ପୁଞ୍ଜି ବ୍ୟୟ ଓ ସାର୍ବଜନୀନ ଟିକାକରଣ ଯୋଗୁ ଲୋକମାନେ ରେସ୍ତୋରାଁ, ହୋଟେଲ୍‌, ସପିଙ୍ଗ ମଲ୍ ଓ ସିନେମା ଆଦିରେ ବ୍ୟୟ ବଢ଼ାଇବେ।

ଶ୍ରମିକମାନେ ପୁଣି ସହରକୁ ଫେରିବେ। ଫଳରେ ସହରାଞ୍ଚଳରେ ଅଧା ବାଟରେ ଅଟକି ରହିଥିବା ରିଅଲ ଇଷ୍ଟେଟ୍‌ କାମ ଆଗେଇବ। କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ବାଲାନ୍ସ ସିଟ୍‌ ବେଶ ସୁଦୃଢ଼ ଥିବା ବେଳେ ପୁଞ୍ଜି ରଖିଥିବା ସରକାରୀ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେବେ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)କୁ ଅଧିକ ଋଣ ମିଳିବ। ସାର୍ବଜନୀନ ଡିଜିଟାଲ ପ୍ଳାଟଫର୍ମ, ପ୍ରଧାନମନ୍ତ୍ରୀ ଗତିଶକ୍ତି, ଜାତୀୟ ଲଜି‌ଷ୍ଟିକ୍ସ ନୀତି ଓ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ) ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ସହାୟକ ହେବ।