ଅର୍ଥନୈତିକ ସର୍ଭେ‌ ରିପୋର୍ଟ: ୭ ବର୍ଷରେ ୨.୬୨ କୋଟି ଚାକିରି

ଶିକ୍ଷାର ଘରୋଇକରଣ, ଶ୍ରମ ସଂସ୍କାର ହେଉ

ନୂଆ ନିଯୁକ୍ତି ସୃଷ୍ଟିକୁ ନେଇ ମୋଦୀ ସରକାରଙ୍କୁ ବାରମ୍ବାର ବିଭିନ୍ନ ଦିଗରୁ ସମାଲୋଚନା କରାଯାଇ ଆସୁଛି। ତେବେ ଅର୍ଥନୈତିକ ସର୍ଭେ‌ ରିପୋର୍ଟରେ ୭ ବର୍ଷ ଭିତରେ ୨.୬୨ କୋଟି ସଂଖ୍ୟକ ଚାକିରି ସୃଷ୍ଟି କରାଯାଇଥିବା ଦର୍ଶାଯାଇଛି। ୨୦୧୧-୧୨ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଏହି ଚାକିରି ନିୟମିତ ବେତନ ବର୍ଗରେ ସୃଷ୍ଟି ହୋଇଛି। ଆଲୋଚ୍ୟ ୬ ବର୍ଷ ମଧ୍ୟରେ ୨.୬୨ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଏଥିରୁ ୧.୨୧ କୋଟି ଚାକିରି ଗ୍ରାମାଞ୍ଚଳରେ ଏବଂ ୧.୩୯ କୋଟି ଚାକିରି ସହରାଞ୍ଚଳରେ ସୃଷ୍ଟି ହୋଇଛି ବୋଲି ସର୍ଭେରେ କୁହାଯାଇଛି। ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ୬୯.୦୩ ଲକ୍ଷ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇଛି।

ଶିକ୍ଷାର ଘରୋଇକରଣ, ଶ୍ରମ ସଂସ୍କାର ହେଉ
ଶିକ୍ଷାର ସବୁ ସ୍ତରରେ ଦକ୍ଷତା ବଢ଼ାଇବା ଲାଗି ଘରୋଇକରଣର ସୁଯୋଗକୁ ସରକାର ସନ୍ଧାନ କରିବା ଦରକାର ବୋଲି ସର୍ଭେରେ କୁହାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ପୂର୍ବ ଭାରତରେ ସାକ୍ଷରତା ହାର ସବୁଠୁ କମ୍ ୫୯.୬% ସ୍ତରରେ ରହିଛି। ତେବେ ଭାରତର ସଫ୍‌ଟଓୟାର ରପ୍ତାନିକୁ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକର ଅବଦାନ ବଢ଼ିବା ପରେ ସରକାର ଶିକ୍ଷାର ଘରୋଇକରଣ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସର୍ଭେରେ କୁହାଯାଇଛି। ବ୍ୟବସାୟ ବାତାବରଣକୁ ସହଜ କରିବା, ଶ୍ରମ କ୍ଷେତ୍ରରେ ଆହୁରି ସଂସ୍କାର ଆଣିବା, ଗାଁଗୁଡ଼ିକୁ ସ୍ଥାନୀୟ ବଜାର ସହିତ ସବୁଦିନିଆ ସଡ଼କ ଜରିଆରେ ଯୋଡ଼ିବା ଲାଗି ସର୍ଭେରେ ପରାମର୍ଶ ଦିଆଯାଇଛି।

୧% କମ୍ପାନିଙ୍କୁ ମିଳିବ ଟିକସ ହ୍ରାସ ଲାଭ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତବର୍ଷ ସେପ୍ଟେମ୍ବରରେ କର୍ପୋରେଟ୍ ବା କମ୍ପାନି ଟିକସରେ ବଡ଼ ଧରଣର ହ୍ରାସ ଘୋଷଣା କରିଥିଲେ। ମାନ୍ଦାବସ୍ଥା ଜନିତ ପ୍ରଭାବରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ ଅର୍ଥମନ୍ତ୍ରୀ ଏହି ପଦକ୍ଷେପ ନେଇଥିଲେ। କମ୍ପାନି ଗୁଡ଼ିକୁ ଏହାଦ୍ବାରା ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖାଯାଇଥିଲା। ତେବେ ଆଜି ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେରେ ଏ ନେଇ ଏକ ସଂଶୟ ବ୍ୟକ୍ତ କରାଯାଇଛି। ସରକାରଙ୍କ ଦ୍ବାରା ହ୍ରାସ କରାଯାଇଥିବା ଟିକସ ହ୍ରାସର ଲାଭ କେବଳ ୧ ପ୍ରତିଶତ କମ୍ପାନିଙ୍କୁ ମିଳିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର