ନୂଆଦିଲ୍ଲୀ : ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଭିଜିତ ସେନ୍‌ଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଛି। କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସେ ସର୍ବଦା ଆହ୍ବାନ ଦେଉଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ସେ ଜଣେ ବଡ଼ ସମର୍ଥକ। ଦିଲ୍ଲୀର ସର୍ଦାର ପଟେଲ୍‌ ବିଦ୍ୟାଳୟ ଓ ‌ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରେ ପାଠପଢ଼ିଥିବା ଅଭିଜିତ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଥିଲେ। ସସେକ୍ସ, ଅକ୍ସଫୋର୍ଡ, କେମ୍ବ୍ରିଜ ଭଳି ପ୍ରସିଦ୍ଧ ବିଶ୍ବବିଦ୍ୟାଳୟରେ ପାଠପଢ଼ାଇବା ପରେ ସେ ‌୧୯୮୫ରେ ଜେଏନ୍‌ୟୁକୁ ଫେରିଥିଲେ। ଯୋଜନା କମିସନର ସଦସ୍ୟ ଭାବେ ମଧ୍ୟ ସେ କାମ କରିଛନ୍ତି।