ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍) ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ବିବେକ ଦେବରାୟ(୬୯)ଙ୍କର ଆଜି ସକାଳେ ପରଲୋକ ହୋଇଛି। ତାଙ୍କ ପରଲୋକ ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ସ୍ଥୂଳ ଅର୍ଥନୀତି, ପବ୍ଲିକ୍ ଫାଇନାନ୍ସ, ଭିତ୍ତିଭୂମି ଆଦି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା। ଆର୍ଥିକ ସଂସ୍କାର ଠାରୁ ଆରମ୍ଭ କରି ଶାସନ ତରିକା ଏବଂ ରେଳବାଇ ଭଳି ବିଷୟବସ୍ତୁ ଉପରେ ସେ ବହୁ ଲେଖା ଲେଖିଛନ୍ତି। ମହାଭାରତ ଏବଂ ବାଲ୍ମିକୀ ରାମାୟଣ ଆଦି ପୁରାତନ ସଂସ୍କୃତ ଲେଖାକୁ ଅନୁବାଦ କରି ଆଜିର ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇଛନ୍ତି। ୨୦୧୫ରେ ସେ ନିତି ଆୟୋଗର ସ୍ଥାୟୀ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ ଜୁନ୍ ୫ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିଥିଲେ। ୨୦୧୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଡ ଦେବରାୟ ଜଣେ ଉଚ୍ଚକୋଟୀର ଜ୍ଞାନୀ ଥିଲେ। ଅର୍ଥନୀତି, ଇତିହାସ, ସଂସ୍କୃତି, ରାଜନୀତି, ଅଧ୍ୟାତ୍ମିକତା ଭଳି ଅନେକ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା। ସେ ତାଙ୍କ କାର୍ଯ୍ୟ ମାଧ୍ୟମରେ ଭାରତର ବୌଦ୍ଧିକ ମାନଚିତ୍ରରେ ଅଲିଭା ଚିହ୍ନ ଛାଡ଼ି ଯାଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ ଥିଲେ
ସିଲଂରେ ଏକ ବଙ୍ଗାଳୀ ପରିବାରରେ ସେ ଜନ୍ମ ହୋଇଥିଲେ। ରାମକୃଷ୍ଣ ମିସନ୍ ସ୍କୁଲ-ନରେନ୍ଦ୍ରପୁର, ପ୍ରେସିଡେନ୍ସି କଲେଜ-କୋଲକାତା, ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ ଏବଂ କେମ୍ବିଜ୍ର ଟ୍ରିନିଟି କଲେଜରୁ ସେ ପଢ଼ିଥିଲେ। ୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ପ୍ରେସିଡେନ୍ସି କଲେଜ-କୋଲକାତା, ୧୯୮୩ରୁ ୧୯୮୭ ମସିହା ପର୍ଯ୍ୟନ୍ତ ପୁଣେର ଗୋଖ୍ଲେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ୍ ଇକୋନୋମିକ୍ସ ଏବଂ ୧୯୮୭ରୁ ୧୯୯୩ ପର୍ଯ୍ୟନ୍ତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ୍(ଆଇଆଇଏଫ୍ଟି)ରେ ସେ ଅଧ୍ୟାପନା କରିଥିଲେ। ୧୯୯୩ରୁ ୧୯୯୮ ମସିହା ପର୍ଯ୍ୟନ୍ତ ସେ ୟୁଏନ୍ଡିପି ସହଯୋଗରେ ଅର୍ଥ ମନ୍ତ୍ରାଳୟ ପାଇଁ ଆଇନଗତ ସଂସ୍କାର ପ୍ରକଳ୍ପ ଉପରେ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ସେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସଂସ୍ଥାରେ ମଧ୍ୟ କାର୍ଯ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/02/fTOa0TSHpex6a3mPqktZ.jpg)