ନୋଟ୍ ନଛପାଇବାକୁ ଅର୍ଥନୀତିଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: ବିତ୍ତୀୟ ନିଅଣ୍ଟର ମୁକାବିଲା ଲାଗି ନୋଟ୍ ନ ଛପାଇବାକୁ ଖ୍ୟାନତାମା ଅର୍ଥନୀତିଜ୍ଞ ପିନାକୀ ଚକ୍ରବର୍ତ୍ତୀ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତୃତୀୟ ଲହର ଦେଖାନଦେବ ତେବେ ଭାରତୀୟ ଅର୍ଥନୀତିରେ ଦ୍ରୁତ ଗତିରେ ସୁଧାର ହେବ। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍‌ ପଲିସି (ଏନ୍‌ଆଇପିଏଫ୍‌ପି)ର ନିର୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ଯେ ମହାମାରୀ ବ୍ୟାପିବା ପରଠାରୁ ଅଧିକ ନୋଟ୍ ଛପାଇବା ନେଇ ବିତର୍କ ଆରମ୍ଭ ହୋଇଛି। ବିତ୍ତୀୟ ନିୟମ ଉପରେ ଲଗାମ ଲଗାଇବା ପାଇଁ ନୋଟ୍ ଛପାଇବାକୁ ଅନେକ ଅର୍ଥନୀତିଜ୍ଞ ରିଜର୍ଭ ବ୍ୟାଙ୍କକୁ ପରାମର୍ଶ ଦେଇଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ସେଭଳି କିଛି ପଦକ୍ଷେପ ଗ୍ରହଣ କରୁ‌ ବୋଲି ଚକ୍ରବର୍ତ୍ତୀ ଚାହୁନାହାନ୍ତି। ସେ କହିଛନ୍ତି ଯେ ୧୯୯୬ରେ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରି ଏହି ପ୍ରକ୍ରିୟା ବନ୍ଦ କରାଯାଇଥିଲା। ପୁଣି ସେହି ବ୍ୟବସ୍ଥା ଫେରୁ ବୋଲି ଚକ୍ରବର୍ତ୍ତୀ ଚାହୁନାହାନ୍ତି।

ମହାମାରୀ ପ୍ରଭାବରେ ଜୀବିକା ହରାଇଥିବା ଲୋକମାନଙ୍କୁ ନଗଦ ରାଶି ପ୍ରୋତ୍ସାହନର ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ ହେବାରୁ ତାହାର ଉତ୍ତରରେ ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ଯେ ଅର୍ଥନୀତିରେ ଯେତେବେଳେ ହ୍ରାସ ଘଟେ ସେହି ସମୟରେ ନିଯୁକ୍ତି ପ୍ରଭାବିତ ହୁଏ। ନିଯୁକ୍ତିରେ ଉନ୍ନତି ଆଣିବା ଲାଗି ଅର୍ଥନୀତିରେ ଦ୍ରୁତ ଗତିରେ ସୁଧାର ଆଣିବାକୁ ହେବ। ଏହି ସମୟରେ ସ୍ବଳ୍ପମିଆଦୀ ଭିତ୍ତିରେ ଜୀବନଜୀବିକାର ସୁରକ୍ଷା ଲାଗି କିଛି ଆର୍ଥିକ ପଦକ୍ଷେପ ଘୋଷଣା କରାଯାଇପାରେ ବୋଲି ସେ କହିଛନ୍ତି। ସରକାର ଘୋଷଣା କରୁଥିବା ପ୍ରୋତ୍ସାହନ ପ୍ୟାକେଜ୍‌ର ପ୍ରଭାବ ସମ୍ପର୍କରେ ହୋଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିତ୍ତୀୟ ନିଅଣ୍ଟକୁ ବିଚାରକୁ ନିଆଯିବ ତେବେ ତାହା ୧୪-୧୫% ଭଳି ସ୍ତରରେ ରହିଛି। ତେଣୁ ଅଧିକ ବ୍ୟୟ କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ନାହିଁ ବୋଲି ସେ କହିଛନ୍ତି। ଗତବର୍ଷ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମିଶି ପ୍ରାୟ ୨୭.୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬.୩ ଲକ୍ଷ କୋଟି ଟଙ୍କାର ଆଉ ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି।

ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଟିକସ ହ୍ରାସ କରିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯଦି ସରକାର ଟିକସ ହ୍ରାସ କରିବେ ରାଜସ୍ବ ଆୟ କମିବ। ଏହା ହେଲେ ବିତ୍ତୀୟ ନିଅଣ୍ଟ ଆହୁରି ବଢ଼ିବ। ବିତ୍ତୀୟ ପରିଚାଳନା ଓ ମୁଦ୍ରାସ୍ଫୀତି ପରିଚାଳନାର ଏହା ଏକ ଜଟିଳ ସମସ୍ୟା। ‌ତେଲ ଦାମ୍ ବଢ଼ୁଥିବାରୁ ଯଦି ଟିକସ କମ୍ କରାଯିବ ତେବେ ରାଜସ୍ବକୁ ନେଇ ଯେଉଁ ଅଭାବ ଦେଖାଦେବ ତାହା ପୂରଣ କରିବା ଲାଗି ଋଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର