ଅର୍ଥନୀତିଜ୍ଞଙ୍କ ଆକଳନ, ଏପ୍ରିଲ୍‌-ଜୁନ୍‌ ଜିଡିପି ୪୫% କମିଯିବ

ନୂଆଦିଲ୍ଲୀ: ‌ଭାରତୀୟ ଅର୍ଥନୀତିକୁ କରୋନା ଭୟଙ୍କର ଭାବେ କ୍ଷତି ପହଞ୍ଚାଇବ। ଏପ୍ରିଲ-ଜୁନ୍ ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ହାର ପୂର୍ବ ତ୍ରୟମାସ ତୁଳନାରେ ୪୫ ପ୍ରତିଶତ ସଙ୍କୁଚିତ ହୋଇଯିବ। ଗୋଲ୍‌ଡମ୍ୟାନ୍‌ ସାଚ୍ସର ଦୁଇ ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର ଓ ଆଣ୍ଡ୍ରିୟୁ ଟିଲ୍‌ଟନ୍ ଏହି ଆକଳନ କରିଛନ୍ତି। ସରକାରଙ୍କ ପକ୍ଷରୁ ‌ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ରେ ମଧ୍ୟ ଅର୍ଥନୀତିଜ୍ଞମାନେ ସେତେଟା ଖୁସି ନାହାନ୍ତି। ସେମାନଙ୍କ କହିବାନୁଯାୟୀ, ପ୍ୟାକେଜରେ ଅର୍ଥନୀତିକୁ ତୁରନ୍ତ ସହାୟତା ପ୍ରଦାନ କରାଯିବା ବଦଳରେ ମଧ୍ୟମ ଅବଧିକୁ ଦୃଷ୍ଟିରେ ରଖି ସହାୟତା ଦିଆଯାଇଛି। ପୂର୍ବରୁ ମେ’ ମାସରେ ଏହି ସଂସ୍ଥା ଆକଳନ କରିଥିଲା ଯେ, ଜୁନ୍ ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତ ସଙ୍କୁଚିତ ହେବ। ତେବେ ନୂଆ ଆକଳନରେ ଜିଡିପି ଅଭିବୃଦ୍ଧିର ସଙ୍କୋଚନ ପୂର୍ବ ଆକଳନ ତୁଳନାରେ ଦୁଇଗୁଣରୁ ଅଧିକ ହୋଇଯିବ। ଅର୍ଥନୀତିଜ୍ଞମାନଙ୍କ ଏହି ଆକଳନ ଚିନ୍ତା ବଢ଼ାଇ‌ ଦେଇଛି।

ତେବେ ତୃତୀୟ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତକୁ ଫେରିବ। କିନ୍ତୁ ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ହ୍ରାସ ପାଇବ। ଦେଶରେ ଲକ୍‌ଡାଉନ୍‌କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯଦିଓ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌କୁ କିଛିମାତ୍ରାରେ କୋହଳ କରାଯାଇଛି ତଥାପି ବେସାମରିକ ବିମାନ ଚଳାଚଳ ଠାରୁ ଆରମ୍ଭ କରି ଅନେକ କ୍ଷେତ୍ର ବନ୍ଦ ରହିବ। ପର୍ଯ୍ୟଟନ ଓ ଭ୍ରମଣ ଶିଳ୍ପ ମଧ୍ୟ କ୍ଷତି ସହିବ। ତେବେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଓ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ସମ୍ପର୍କରେ ଗୋଲଡମ୍ୟାନ ସାଚ୍ସର ଅର୍ଥନୀତିଜ୍ଞମାନେ ସେମାନଙ୍କ ଆକଳନରେ କୌଣସି ପରିବର୍ତ୍ତନ ଆଣିନାହାନ୍ତି। ଗତ କିଛିଦିନ ହେଲା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଥିବା ପ୍ୟାକେଜର ତୁରନ୍ତ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବାର ଆଶା ଅର୍ଥନୀତିଜ୍ଞମାନେ ଦେଖିପାରିନାହାନ୍ତି। ବିଶ୍ବର ଅନ୍ୟାନ୍ୟ ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ର ଗୁଡ଼ିକ ତୁଳନାରେ ଭାରତ ସରକାର ଘୋଷଣା କରିଥିବା ପ୍ୟାକେଜ୍ ମନ୍ଥର ବୋଲି ଏହି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି। ବ୍ୟବସାୟ ଉପରେ କରୋନା ମହାମାରୀକୁ ଯେଭଳି କମ୍ କରାଯାଇ ପାରିବ ତାହାକୁ ଦୃଷ୍ଟିରେ ରଖି ସରକାର ସ୍ବତନ୍ତ୍ର ଆର୍ଥିକ ନୀତି ଘୋଷଣା କରିବା ଆବଶ୍ୟକ ବୋଲି ଏହି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି। ଅର୍ଥନୀତି ଉପରେ ‌ଘୋଷିତ ପ୍ୟାକେଜର ପ୍ରଭାବ କ’ଣ ରହିବ ତାହାକୁ ଏହି ଅର୍ଥନୀତିଜ୍ଞ ଦ୍ବୟ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର