ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ବଜେଟ୍ ପ୍ରସ୍ତୁତ କରୁଥିବାରୁ ବିଭିନ୍ନ ମହଲର ମତାମତ ଲୋଡ଼ୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିଥିଲେ। ସେହି ବୈଠକରେ ଆୟକର ହ୍ରାସ କରିବା ଲାଗି ଅର୍ଥନୀତିଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ବହୁଦିନ ଧରି ଉଚ୍ଚା ଦରଦାମ୍ ବଡ଼ ସମସ୍ୟା ହୋଇରହିଛି। ରିଜର୍ଭ ବ୍ୟାଙ୍କ ଓ ସରକାର ମିଳିତ ଭାବେ ନେଉଥିବା ପଦକ୍ଷେପ ଯେଭଳି ପ୍ରଭାବହୀନ ହୋଇପଡ଼ିଛି। ଦର ତଳକୁ ଖସିବା ନାଁ ଧରୁନାହିଁ। ଦେଶରେ ବିଭିନ୍ନ ସାମଗ୍ରୀ ଓ ସେବାର ବ୍ୟବହାର ମଧ୍ୟ କମ୍ ହେବାରେ ଲାଗିଛି। ଏହାର ଏକ ପ୍ରମୁଖ କାରଣ ଉଚ୍ଚ ଆକୟର ବୋଲି କୁହାଯାଉଛି। ଯେହେତୁ ଲୋକମାନେ ନିଜ ଆୟର ଏକ ନିର୍ଦ୍ଦିଷ୍ଟ ଭାଗ ଟିକସ ଆକାରରେ ଦେଉଛନ୍ତି, ତେଣୁ ଖର୍ଚ୍ଚ କରିବା ଲାଗି ସେମାନଙ୍କ ପାଖରେ ଯଥେଷ୍ଟ ପାଣ୍ଠି ରହୁନାହିଁ। ଆୟକରରେ ହ୍ରାସ ହେଲେ ଲୋକଙ୍କ ହାତରେ ଖର୍ଚ୍ଚ କରିବାକୁ ଅଧିକ ପାଣ୍ଠି ରହିବ। ସେମାନେ ଖର୍ଚ୍ଚ କଲେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବଢ଼ିବ ଯାହା ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଆସିଥିବା ଅର୍ଥନୈତିକ ଅଭିବୃଦ୍ଧିକୁ ପୁଣି ଉପରକୁ ଟାଣିବାରେ ସହାୟକ ହୋଇପାରିବ ବୋଲି ଅର୍ଥନୀତିଜ୍ଞମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି।
ମୋଦୀଙ୍କ ସହ ବୈଠକରେ ଦେଲେ ପ୍ରସ୍ତାବ
ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କ ପ୍ରସ୍ତାବକୁ ଧୈର୍ଯ୍ୟର ସହ ଶୁଣିଥିଲେ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା ବୋଲି କହିଥିଲେ। ବୈଠକରେ ଯୋଗଦେଇଥିବା ଅର୍ଥନୀତିଜ୍ଞମାନେ ସୀମା ଶୁଳ୍କ କୋହଳ କରିବା, ରପ୍ତାନି କ୍ଷେତ୍ରକୁ ସହାୟତା ଦେବା, ଯୁବପିଢ଼ିଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ। ବଜାରରେ ଘଟିଥିବା ପରିବର୍ତ୍ତନ ଅନୁସାରେ ଶିକ୍ଷା ଓ ଦକ୍ଷତା ବିକାଶରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ସେମାନେ ପରାମର୍ଶ ଦେଇଛନ୍ତି। କେବଳ ଅର୍ଥନୀତିଜ୍ଞ ନୁହନ୍ତି ଦେଶର ପ୍ରମୁଖ ଶିଳ୍ପ ସଂଘ ଯଥା ସିଆଇଆଇ, ଫିକି, ପିଏଚ୍ଡିସିସିଆଇ ମଧ୍ୟ ପ୍ରାକ୍ ବଜେଟ୍ ଆଲୋଚନା ବେଳେ ଆୟକରରେ ସଂସ୍କାର ଆଣିବା ସହ ତାହାର ସରଳୀକରଣ କରିବାକୁ ଦାବି କରିଥିଲେ। ତିନି ଥାକିଆ ଜିଏସ୍ଟି ଲାଗୁ କରିବାକୁ ସିଆଇଆଇ ପ୍ରସ୍ତାବ ଦେଇଛି। ପାର୍ଟନରସିପ୍ ଓ ଏଲ୍ଏଲ୍ପି ସଂସ୍ଥାଗୁଡ଼ିକ ଲାଗି ଟିକସ କମ୍ କରିବାକୁ ପିଏଚ୍ଡିସିସିଆଇ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।