ନେପାଳକୁ ଅର୍ଥନୀତିଜ୍ଞଙ୍କ ଚେତାବନୀ, ଭାରତର ବିକଳ୍ପ ହୋଇପାରିବନି ଚୀନ୍

ନେପାଳକୁ ତିନି ପଟୁ ଘେରିଛି ଭାରତ, ଦୁଇ ତୃତୀୟାଂଶ ଅତ୍ୟାବଶ୍ୟକ ସାମଗ୍ରୀ ପଠାଉଛି

କାଠମାଣ୍ଡୁ: ସୀମା ବିବାଦକୁ ନେଇ ଭାରତ ସହ ନେପାଳ ସମ୍ପର୍କ ଖରାପ କରିବା ଅନୁଚିତ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଭାରତ ଉପରେ ନେପାଳ ଅତ୍ୟଧିକ ନିର୍ଭରଶୀଳ। ନେପାଳକୁ ତିନି ପଟୁ ଭାରତ ଘେରି ରହିଛି। ଚୀନ୍‌କୁ ଭାରତର ବିକଳ୍ପ ଭାବେ ବିଚାର କରିବା ବୋକାମି ବୋଲି ନେପାଳର ଜଣେ ବରିଷ୍ଠ ଅର୍ଥନୀତିଜ୍ଞ କହିଛନ୍ତି। ଭାରତର ଉତ୍ତରାଖଣ୍ଡ ରାଜ୍ୟର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜର ଅଞ୍ଚଳ ଭାବେ ଦର୍ଶାଇ ନେପାଳ ଏହାର ମାନଚିତ୍ରକୁ ବଦଳାଇଛି। ଏନେଇ ସମ୍ବିଧାନରେ ସଂଶୋଧନ କରାଯାଇଥିବା ବେଳେ ତାହାକୁ ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଛନ୍ତି। ନେପାଳର ଏହି ପଦକ୍ଷେପକୁ ନେଇ ଭାରତ ଆପତ୍ତି ଉଠାଇଛି। ଏହି ପରିପ୍ରେକ୍ଷୀରେ ‘ସାଉଥ୍‌ ଏସିଆ ୱାଚ୍‌ ଅନ୍ ଟ୍ରେଡ୍‌ ଇକୋନମିକ୍ସ ଆଣ୍ଡ୍‌ ଏନ୍‌ର୍ଭାର୍ଣ୍ଣମେଣ୍ଟ୍‌ (ଏସ୍‌ଏଡବ୍‌ଲୁଟିଇଇ)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ପୋଷ ରାଜ ପାଣ୍ଡେ କହିଛନ୍ତି, ଏହି ପ୍ରସଙ୍ଗରେ ଭାରତର ପଦକ୍ଷେପ ଅନୁସାରେ ନେପାଳ ଅର୍ଥନୀତି ପ୍ରଭାବିତ ହେବ। ନେପାଳକୁ ଭାରତ ତିନି ପଟୁ ଘେରି ରହିଛି। ଯଦି ଭାରତ ପଦକ୍ଷେପ ଗ୍ରହଣ କରିବ ତେବେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିବ। ଭାରତ ଓ ନେପାଳ ସମ୍ପର୍କକୁ ବିଗିଡ଼ିବା ଲାଗି ଦିଆଯିବା ଅନୁଚିତ। ତୁରନ୍ତ କାଥାବାର୍ତା ଆରମ୍ଭ କରି ଏହି ବିବାଦର ସମାଧାନ କରିବାକୁ ସେ ନେପାଳକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଆମ ଆମଦାନିରେ ଭାରତର ଭାଗ ଦୁଇ ତୃତୀୟାଂଶ ହୋଇଥିବା ବେଳେ ଚୀନ୍‌ର ଅବଦାନ ମାତ୍ର ୧୪ ପ୍ରତଶତ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ନେପାଳ ପାଇଁ ଚୀନ୍‌ କେବେବି ଭାରତର ବିକଳ୍ପ ହୋଇପାରିବନି। ଭାରତ ସହିତ କାରବାର ଲାଗି ପୂର୍ବରେ ମେଚି ନଦୀ ଓ ପଶ୍ଚିମରେ ମହାକାଲୀ ନଦୀରେ ପ୍ରବେଶ ପଥ ରହିଛି। କିନ୍ତୁ ଉତ୍ତରରେ ଥିବା ପଡ଼ୋଶୀ ରାଷ୍ଟ୍ର ସହିତ କାରବାର ଲାଗି ବହୁତ କମ୍ ପଥ ରହିଛି ଓ ‌ଯାହା କିଛି ପଥ ରହିଛି ସେଠାରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଯଦି ଭାରତକୁ ବାଦ ଦିଆଯିବ ତେବେ ଅନ୍ୟ ସମୁଦ୍ର ପଥଗୁଡ଼ିକ ନେପାଳ ଠାରୁ ୪୦୦୦ କିମି ଦୂରରେ ରହିଛି। ଯାହା ନେପାଳରୁ କୋଲକାତା ପର୍ଯ୍ୟନ୍ତର ଦୂରତା ଠାରୁ ତିନି ଗୁଣା ଅଧିକ। ନେପାଳ ଏହାର ୬୦ ପ୍ରତିଶତ ସାମଗ୍ରୀ ଭାରତକୁ ରପ୍ତାନି କରୁଥିବା ବେଳେ ମାତ୍ର ଦୁଇ ପ୍ରତିଶତ ସାମଗ୍ରୀ ଚୀନ୍‌ ପଠାଉଛି ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ୨୦୧୫ରେ ନେପାଳ ଓ ଭାରତ ସମ୍ପର୍କ ଖରାପ ହୋଇଥିଲା। ନେପାଳରେ ସେତେବେଳେ କେ ପି ଶର୍ମା ଓଲିଙ୍କ ଶାସନ ଚାଲିଥିଲା। ଭାରତ ଅର୍ଥନୈତିକ ଅବରୋଧ କରିବା ପରେ ନେପାଳ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେହିଦିନ ଠାରୁ ନେପାଳରେ ଚୀନ୍‌ ସକ୍ରିୟ ହୋଇପଡ଼ିଛି। ନେପାଳରେ ବିପୁଳ ପରିମାଣର ନିବେଶ କରିବା ସହିତ ଏହାକୁ ତିବତ୍‌ ସହ ଯୋଡ଼ିବା ଲାଗି ନୂଆ ସଡ଼କ ପଥ ନିର୍ମାଣ କରୁଛି। ଭାରତ ଉପରେ ନେପାଳର ରହିଥିବା ନିର୍ଭରଶୀଳତାକୁ କମ୍ କରିବା ଲାଗି ଏହା ପେଟ୍ରୋଲିୟମ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବା ଲାଗି ଏହି ସଡ଼କକୁ ବ୍ୟବହାର କରିବାକୁ ଚାହୁଛି। ନେପାଳ ସହିତ ରେଳପଥ ସଂଯୋଗ ସ୍ଥାପନ କରିବା ଉପରେ ମଧ୍ୟ ଚୀନ୍ ବିଚାର କରୁଛି। ନେପାଳର ୧୮୫୦ କିମି ସୀମା ରେଖା ଭାରତର ପାଞ୍ଚଟି ରାଜ୍ୟ ସିକିମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପାଖରେ ରହିଛି। ଭାରତରେ ନେପାଳର ୮୦ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ବେଳେ ଭାରତୀୟ ସେନାରେ ନେପାଳର ୩୨ ହଜାର ଗୋର୍ଖା ସୈନିକ ଅଛନ୍ତି।

ସମ୍ବନ୍ଧିତ ଖବର