ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ଆକ୍ରମଣର ତାତି ଶହ ଶହ ମାଇଲ ଦୂରରେ ଥିବା ଭାରତରେ ଅନୁଭୂତ ହୋଇଛି। ଏହି ଯୁଦ୍ଧ ତେଲ ବଜାରରେ ନିଆଁ ଲଗାଇ ଦେଇଛି। ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୮୦ ଡଲାରରୁ ଅଧିକ ହୋଇଯାଇଛି। ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଥିବା ଭାରତର ଚିନ୍ତା ବଢ଼ିଯାଇଛି। ଅନ୍ୟ ପକ୍ଷରେ ତୈଳ ପରିବହନର ଧମନୀ କୁହାଯାଉଥିବା ହର୍ମୁଜ ପ୍ରଣାଳୀ ବନ୍ଦ ଆଶଙ୍କା ବଢ଼ୁଥିବାରୁ ଭାରତର ଅର୍ଥନୀତି ଅସ୍ଥିର ହେବାରେ ଲାଗିଛି। ତେଲ ଦରର ସିଧା ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଧି, ଦରଦାମ୍ ଉପରେ ପଡ଼ିବାକୁ ଥିବାରୁ ସବୁ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ମଧ୍ୟପ୍ରାଚ୍ୟ-ତୈଳ ବଜାର-ଭାରତର ଅର୍ଥନୀତି ମଧ୍ୟରେ ଥିବା ସଂପର୍କକୁ ନେଇ ରୁଦ୍ରପ୍ରସାଦ ଜେନା, ପ୍ରଭାତ ପଟ୍ଟନାୟକଙ୍କ ବିଶେଷ ଉପସ୍ଥାପନା..
ତେଲଠୁ ବଳିଯିବ ଏଲ୍ପିଜି ଚିନ୍ତା
ଇରାନ-ଆମେରିକା-ଇସ୍ରାଏଲ୍ ଯୁଦ୍ଧ ପାଇଁ ହରମୁଜ୍ ପ୍ରଣାଳୀ ବନ୍ଦ ହେବା ଭଳି କୌଣସି ପରିସ୍ଥିତି ସୃଷ୍ଟି ହେଲେ ତାହା ଭାରତର ଶକ୍ତି ଯୋଗାଣକୁ ଗମ୍ଭୀର ଭାବେ ବାଧାପ୍ରାପ୍ତ କରିବ। ତାହା କେବଳ ଅଶୋଧିତ ତୈଳ ନୁହେଁ, ବରଂ ଅତି ଗୁରୁତ୍ୱପୂର୍ଣ୍ଣ ଏଲ୍ପିଜି ଆମଦାନୀକୁ ମଧ୍ୟ ପ୍ରଭାବିତ କରିବ। ଭାରତର ୮୦-୮୫ ପ୍ରତିଶତ ଏଲ୍ପିଜି ହରମୁଜ୍ ପ୍ରଣାଳୀ ଦେଇ ଆସୁଛି। ଅଶୋଧିତ ତେଲ ଭଳି ଏଲ୍ପିଜି ପାଇଁ ମଧ୍ୟ ଭାରତ ପାଖରେ କୌଣସି ଉତ୍ପାଦନ କ୍ଷେତ୍ର ନାହିଁ। ୨୦୨୧ରୁ ୨୦୨୫ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ହାରାହାରି ୮୫% ଏଲ୍ପିଜି, ୫୫% ଏଲ୍ଏନ୍ଜି ଓ ପ୍ରାୟ ୫୦% ଅଶୋଧିତ ତୈଳ ଆମଦାନୀ ହୋଇଛି। ଭାରତର ଏଲ୍ପିଜି ଆବଶ୍ୟକତାର ଅଧିକାଂଶ ଭାଗ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସିଥାଏ ଏବଂ ଏହାର ସଂରକ୍ଷଣ ପାଇଁ କୌଣସି ବଡ଼ ବ୍ୟବସ୍ଥା ନଥିବାରୁ ଏହା ଅଧିକ ବିପଦପୂର୍ଣ୍ଣ। ୨୦୨୫ ଏପ୍ରିଲରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଭାରତରେ ୨୮ ନିୟୁତ ମେଟ୍ରିକ୍ ଟନ ଏଲ୍ପିଜି ବ୍ୟବହାର ହୋଇଛି ଯାହା ପୂର୍ବ ବର୍ଷ ତୁଳନାରେ ୭.୮% ଅଧିକ। ତାହାର ୮୦% କତର, ୟୁଏଇ, ସାଉଦି ଆରବ ଓ କୁଏତରୁ ଆସିଥାଏ। ଆମଦାନୀ କ୍ଷେତ୍ର ବଢ଼ାଇବା ପାଇଁ ଭାରତ ନିକଟରେ ଆମେରିକାରୁ ବାର୍ଷିକ ୨.୨ ନିୟୁତ ଟନ ଏଲ୍ପିଜି ଆଣିବାକୁ ଚୁକ୍ତି କରିଛି ଯାହା ସମୁଦାୟ ଆମଦାନୀର ୧୦%।
ତେଲ ଦର ୧ ଡଲାର ବଢ଼ିଲେ ଆମଦାନୀ ବିଲ୍ ୨ ବିଲିୟନ ବଢ଼ିଯାଏ
/filters:format(webp)/sambad/media/media_files/2026/03/03/dagadgdazzcvvc-2026-03-03-03-11-31.jpg)
ଇରାନ ସହ ଆମେରିକା-ଇସ୍ରାଏଲ ଯୁଦ୍ଧ ଦ୍ବାରା ପ୍ରମୁଖ ସମୁଦ୍ର ପଥ ହରମୁଜ୍ ପ୍ରଣାଳୀ ଅବରୋଧ ଆଶଙ୍କା ସୃଷ୍ଟି ହୋଇଛି। ଏହି ପଥ ଦେଇ ଭାରତର ପ୍ରାୟ ୫୦% ଅଶୋଧିତ ତୈଳ ଓ ବହୁ ପରିମାଣର ଏଲ୍ଏନ୍ଜି ଆସିଥାଏ। ଇରାନ ଦ୍ୱାରା ଏହି ପଥ ଅବରୋଧ ହେଲେ ଯୋଗାଣ ବାଧାପ୍ରାପ୍ତ ହେବ ଓ ଦେଶରେ ଦରଦାମ୍ ଅହେତୁକ ବୃଦ୍ଧି ପାଇବ। ବିଶ୍ୱ ବଜାରରେ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ୍ ପିଛା ୧ ଡଲାର ବଢିଲେ ଭାରତର ବାର୍ଷିକ ଆମଦାନୀ ବିଲ୍ ପ୍ରାୟ ୨ ବିଲିୟନ ଡଲାର ବୃଦ୍ଧି ପାଏ। ଅଶୋଧିତ ତେଲ ମୂଲ୍ୟରେ ୧୦ ଡଲାର ବୃଦ୍ଧି ଘଟିଲେ ଦେଶର ଚଳନ୍ତି ଖାତା ନିଅଣ୍ଟ (ସିଏ୍ଡି) ବୃଦ୍ଧି ପାଇବା ସହ ବିଲ୍ ୧୫,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା ରହିଛି।
୫ ଯୁଦ୍ଧ, ଗମ୍ଭୀର ସଙ୍କଟ
ଅତୀତରେ ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ପ୍ରମୁଖ ସଂଘର୍ଷଗୁଡ଼ିକ ତୈଳ ସଙ୍କଟ ସୃଷ୍ଟି କରିଥିଲା। ଭାରତର ଅତ୍ୟଧିକ ଆମଦାନୀ ନିର୍ଭରଶୀଳତା ଯୋଗୁଁ ଦେଶର ଅର୍ଥନୀତି ଉପରେ ତାହା ପ୍ରବଳ ଚାପ ପକାଇଥିଲା। ପ୍ରଥମ ତୈଳ ସଙ୍କଟର ୧୯୭୩ ଯୁଦ୍ଧ ସମୟରେ ଦେଖାଦେଇଥିଲା। ଏହାର ପ୍ରଭାବରେ ବିଶ୍ୱ ବଜାରରେ ତେଲ ଦର ବ୍ୟାରେଲ ପିଛା ୩ ଡଲାରରୁ ଚାରିଗୁଣ ବଢ଼ି ପ୍ରାୟ ୧୨ ଡଲାରରେ ପହଞ୍ଚିଥିଲା। ତାହା ଭାରତରେ ମୁଦ୍ରାସ୍ଫୀତିକୁ ୨୦% ଭଳି ଉଚ୍ଚ ସ୍ତରକୁ ନେଇଯାଇଥିଲା ଓ ବଡ଼ ଧରଣର ବାଣିଜ୍ୟିକ ନିଅଣ୍ଟ ସୃଷ୍ଟି କରିଥିଲା। ଆର୍ଥିକ ଅସ୍ଥିରତା ସହିତ ଦୁର୍ଭିକ୍ଷ ପରିସ୍ଥିତି ଯୋଗୁଁ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା ଯାହା ଶେଷରେ ୧୯୭୫ ଜରୁରୀକାଳୀନ ପରିସ୍ଥିତିର ଅନ୍ୟତମ କାରଣ ସାଜିଥିଲା। ଏହାପରେ ୧୯୮୦-୧୯୮୮ ପର୍ଯ୍ୟନ୍ତ ଇରାନ ଓ ଇରାକ ମଧ୍ୟରେ ହୋଇଥିବା ଟ୍ୟାଙ୍କର ଯୁଦ୍ଧ ବେଳେ ମଧ୍ୟ ଭାରତ ପ୍ରଭାବିତ ହୋଇଥିଲା। ଉଭୟ ଦେଶ ପରସ୍ପରର ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ କରିବା ଫଳରେ ତେଲ ଦର ପ୍ରାୟ ଦୁଇଗୁଣ ବଢ଼ି ବ୍ୟାରେଲ ପିଛା ୩୫–୪୦ ଡଲାର ହୋଇଥିଲା। ତାହା ଭାରତକୁ ତେଲ ଆମଦାନୀ ପାଇଁ ବିକଳ୍ପ ଉତ୍ସ ଖୋଜିବାକୁ ବାଧ୍ୟ କରିଥିଲା ଓ ଦେଶ ଭିତରେ ବମ୍ବେ ହାଇରେ ତୈଳ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ୧୯୯୦-୯୧ରେ ଉପସାଗରୀୟ ଯୁଦ୍ଧ ହୋଇଥିଲା। ତାହାର ପ୍ରଭାବରେ ମାତ୍ର କିଛି ମାସ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ୧୭ ଡଲାରରୁ ବଢ଼ି ୪୦ ଡଲାର ଅତିକ୍ରମ କରିଥିଲା। ଭାରତ ପାଇଁ ତାହା ଗମ୍ଭୀର ବାଲାନ୍ସ ଅଫ୍ ପେମେଣ୍ଟ୍ ସଙ୍କଟ ସୃଷ୍ଟି କରିଥିଲା। ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୧ ବିଲିୟନ ଡଲାରରୁ କମିଯାଇଥିଲା, ଯାହା କେବଳ ଦୁଇ ସପ୍ତାହର ଆମଦାନୀ ପାଇଁ ଯଥେଷ୍ଟ ଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଭାରତକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାଖରେ ସୁନା ବନ୍ଧକ ରଖିବାକୁ ପଡ଼ିଥିଲା। ଶେଷରେ ୧୯୯୧ର ଆର୍ଥିକ ଉଦାରୀକରଣ ପଥରେ ବଢ଼ିବାକୁ ସରକାର ବାଧ୍ୟ ହୋଇଥିଲେ। ୨୦୦୩ର ଇରାକ ଯୁଦ୍ଧ ସମୟରେ ଯୋଗାଣ ଅନିଶ୍ଚିତତା ଯୋଗୁଁ ତୈଳ ମୂଲ୍ୟ ବ୍ୟାରେଲ ପିଛା ୩୫ ଡଲାର ଅତିକ୍ରମ କରିଥିଲା। ଭାରତରେ ମୁଦ୍ରାସ୍ଫୀତି ୩%ରୁ ୪.୫%କୁ ବୃଦ୍ଧି ପାଇଥିଲା ଏବଂ କିରାସିନି ଓ ଏଲ୍ପିଜି ପାଇଁ ସରକାରଙ୍କ ସବ୍ସିଡି ଖର୍ଚ୍ଚ ବହୁତ ବଢ଼ିଯାଇଥିଲା। ୨୦୨୨ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଥିଲା। ବିଶ୍ୱ ସ୍ତରରେ ମୂଲ୍ୟ ବଢ଼ିଥିଲେ ମଧ୍ୟ ଭାରତ ରୁଷଠାରୁ ରିହାତି ଦରରେ ଅଶୋଧିତ ତେଲ ଆମଦାନୀ କରି ଏହାର ପ୍ରଭାବକୁ କମାଇବାରେ ସଫଳ ହୋଇଥିଲା। ୨୦୨୪ ସୁଦ୍ଧା ଭାରତର ସମୁଦାୟ ଆମଦାନୀରେ ରୁଷର ଅଂଶ ୨%ରୁ ବୃଦ୍ଧି ପାଇ ୩୦%ରୁ ଅଧିକ ହୋଇଥିଲା।
୭୪ ଦିନର ତେଲ ମହଜୁଦ ଅଛି
/filters:format(webp)/sambad/media/media_files/2026/03/03/dgjgdjgcnbnb-2026-03-03-03-11-51.jpg)
ଭାରତ ବିଶ୍ବର ତୃତୀୟ ବୃହତ୍ ତୈଳ ବ୍ୟବହାରକାରୀ ରାଷ୍ଟ୍ର। ତେଣୁ ମଧ୍ୟାପ୍ରାଚ୍ୟରେ ଯୁଦ୍ଧ ଭାରତ ପାଇଁ ତେଲ ଦୃଷ୍ଟିରୁ ବଡ଼ ବିପଦ ଆଣିଛି। ସୂଚନା ଅନୁଯାୟୀ, ଭାରତରେ ଯେତିକି ତେଲ ଗଚ୍ଛିତ ରହିଛି ତାହା ୭୪ ଦିନର ଆବଶ୍ୟକତାକୁ ପୂରଣ କରିପାରିବ। ଭାରତରେ ସଂପ୍ରତି ୩ଟି ତୈଳ ଭଣ୍ଡାର ରହିଛି ଯେଉଁଥିରେ ଅନିଶ୍ଚିତ ପରିସ୍ଥିତି ପାଇଁ ତୈଳ ସଂରକ୍ଷଣ କରି ରଖାଯାଇଥାଏ। ସେଗୁଡ଼ିକୁ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ଦ୍ବାରା ପରିଚାଳନା କରାଯାଇଥାଏ। ସେଥିରୁ ଗୋଟିଏ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବାବେଳେ ଗୋଟିଏ କର୍ଣ୍ଣାଟକର ମାଙ୍ଗାଲୁରୁରେ ଏବଂ ଅନ୍ୟଟି କର୍ଣ୍ଣାଟକର ପାଦୁରରେ ରହିଛି। ଏ ତିନିଟି ଯାକ ସ୍ଥାନରେ ମୋଟ ୫.୩୩ ନିୟୁତ ମେଟ୍ରିକ ଟନ ତେଲ ଗଚ୍ଛିତ ରଖିବା କ୍ଷମତା ରହିଛି। ୨୦୨୧ ମସିହାରେ କେନ୍ଦ୍ର ସରକାର ଦେଶରେ ଆଉ ଦୁଇଟି ତୈଳ ଭଣ୍ଡାର ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ସେଥିରୁ ଗୋଟିଏ ଓଡ଼ିଶାର ଚଣ୍ଡିଖୋଲରେ ହେବ। ଚଣ୍ଡିଖୋଲର ଭଣ୍ଡାରଣ କ୍ଷମତା ୪ ନିୟୁତ ମେଟ୍ରିକ୍ ଟନ ରହିବ। ସେହିଭଳି ପାଦୁରଠାରେ ଅତିରିକ୍ତ ୨.୫ ନିୟୁତ ମେଟ୍ରିକ ଟନ୍ର ଭଣ୍ଡାର ବ୍ୟବସ୍ଥା ନିର୍ମାଣ କରାଯିବ। ଏ ଦୁଇଟିରେ ଅତିରିକ୍ତ ୬.୫ ନିୟୁତ ମେଟ୍ରିକ୍ ଟନ ତେଲ ଗଚ୍ଛିତ ରହିପାରିବ। ଏହାବ୍ୟତୀତ ସରକାରୀ ଓ ଘରୋଇ ତୈଳ କମ୍ପାନିଙ୍କ ବିଶୋଧନାଗାରରେ ମଧ୍ୟ ଅଶୋଧିତ ତେଲ ମହଜୁଦ ରହିଛି। ଏହାବ୍ୟତୀତ ଭାରତର ବନ୍ଦରଗୁଡ଼ିକରେ ମଧ୍ୟ ତୈଳ ଟ୍ୟାଙ୍କର ରହିଛି। ଅତୀତରେ କେନ୍ଦ୍ର ପେଟ୍ରୋଲୟିମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଇଥିବା ସୂଚନା ଅନୁଯାୟୀ, ଷ୍ଟ୍ରାଟେଜିକ୍ ଅଏଲ୍ ରିଜର୍ଭରେ ଯେତିକି ତେଲ ରହିଛି ତାହା ଦେଶର ପ୍ରାୟ ସାଢ଼େ ୯ ଦିନର ଆବଶ୍ୟକତାକୁ ପୂରଣ କରିବ। ଏହା ସହିତ ବିଶୋଧାନଗାର ଓ ଅନ୍ୟାନ୍ୟ ସ୍ଥାନରେ ରହିଥିବା ତେଲକୁ ମିଶାଇଲେ ଭାରତ ଏହାର ୭୪ ଦିନର ତୈଳ ଆବଶ୍ୟକତାକୁ ପୂରଣ କରିପାରିବ। ତେବେ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସରକାର ୯୦ ଦିନର ଆବଶ୍ୟକତା ପୂରଣ ଲାଗି ଭିତ୍ତିଭୂମି ନିର୍ମାଣ କରୁଛନ୍ତି।
/filters:format(webp)/sambad/media/media_files/2026/03/03/adgadgdcz-2026-03-03-03-12-06.jpg)
୨ଚକିଆ ଯାନରେ ୮୦% ପେଟ୍ରୋଲ୍, ପରିବହନରେ ୭୦% ଡିଜେଲ୍ ବ୍ୟବହାର
ଭାରତରେ ମୁଖ୍ୟତଃ କୃଷି, ଶିଳ୍ପ ଓ ଯାନବାହନରେ ପେଟ୍ରୋଲ୍ ବ୍ୟବହାର ହୋଇଥାଏ। ମୋଟ୍ ପେଟ୍ରୋଲ୍ର ୬୦-୬୫ ପ୍ରତିଶତ ଦୁଇଚକିଆ ଯାନରେ, ୩୦-୩୫ ପ୍ରତିଶତ କାର୍ ଓ ଏସ୍ୟୁଭି ଏବଂ ଅବଶିଷ୍ଟ ପେଟ୍ରୋଲ୍ ବିଭିନ୍ନ ପ୍ରକାର ଡିଜି ସେଟ୍ ଓ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଯନ୍ତ୍ରପାତିରେ ପଡ଼ିଥାଏ। ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଦିଲ୍ଲୀ-ଏନ୍ସିଆର୍ରେ ଅଧିକ ପେଟ୍ରୋଲ୍ ବ୍ୟବହାର ହୋଇଥାଏ। ସେହିପରି, ଭାରତରେ ବିକ୍ରି ହେଉଥିବା ସମୁଦାୟ ଡିଜେଲ୍ ମଧ୍ୟରୁ ୭୦ ପ୍ରତିଶତ ପରିବହନ କ୍ଷେତ୍ରରେ ବ୍ୟବହାର ହୋଇଥାଏ। ପରିବହନ କ୍ଷେତ୍ରରେ ୨୮-୩୦ ପ୍ରତିଶତ ଡିଜେଲ ଟ୍ରକ୍ ଓ ବିଭିନ୍ନ ଭାରୀ ଯାନରେ ପକାଯାଇଥାଏ। ବସ୍ରେ ୧୦ ପ୍ରତିଶତ ଡିଜେଲ୍ ଖର୍ଚ୍ଚ ହୁଏ। ଯାତ୍ରୀବାହୀ କାର୍ ଓ ଏସ୍ୟୁଭିରେ ୧୫-୧୮ ପ୍ରତିଶତ ଡିଜେଲ୍ ବ୍ୟବହାର ହେଉଛି। ରେଳବାଇର ୩-୪ ପ୍ରତିଶତ ରେଳ ଇଞ୍ଜିନରେ ଡିଜେଲ୍ ବ୍ୟବହାର କରୁଛି। କୃଷି କ୍ଷେତ୍ରରେ ପ୍ରାୟ ୧୩ ପ୍ରତିଶତ ଡିଜେଲ୍ ବ୍ୟବହାର ହେଉଛି। ଟ୍ରାକ୍ଟର, ହାର୍ଭେଷ୍ଟର୍, ପମ୍ପସେଟ୍ ଆଦିରେ ଡିଜେଲ୍ ପଡ଼ୁଛି। ଶିଳ୍ପ, ବଡ଼ ଅନୁଷ୍ଠାନ ଓ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ଡିଜେଲ୍ ଖର୍ଚ୍ଚ ହୁଏ। କଳକାରଖାନା, ହସ୍ପିଟାଲ, ସପିଂ ମଲ୍ ଏବଂ ଆବାସିକ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ସମୟରେ ବ୍ୟାକଅପ୍ ପାଇଁ ଡିଜି ସେଟ୍ରେ ଡିଜେଲ ବ୍ୟବହାର ହୁଏ। ରାସ୍ତା ନିର୍ମାଣ ଏବଂ ଖଣି ଖନନରେ ବ୍ୟବହୃତ ଜେସିବି ମେସିନ ଓ କ୍ରେନ୍ ପାଇଁ ମଧ୍ୟ ଡିଜେଲ ଆବଶ୍ୟକ।
ନିଜକୁ ଅଣ୍ଟୁନି, ଅନ୍ୟର ଆବଶ୍ୟକତା ମେଣ୍ଟାଉଛି
/filters:format(webp)/sambad/media/media_files/2026/03/03/oil-2026-03-03-03-12-17.jpg)
ତୈଳ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ନୁହେଁ। ନିଜ ଆବଶ୍ୟକତାର ସିଂହ ଭାଗ ଆମଦାନୀ କରୁଥିବା ଭାରତ ପ୍ରତିବର୍ଷ ବିପୁଳ ପରିମାଣର ପେଟ୍ରୋଲିୟମ୍ ସାମଗ୍ରୀ ରପ୍ତାନି କରୁଛି। ଅବଶ୍ୟ ଅଶୋଧିତ ନୁହେଁ, ବିଶୋଧିତ ହୋଇଥିବା ତେଲକୁ ଏହା ରପ୍ତାନି କରୁଛି। ସେଥିପାଇଁ ଭାରତର ଦ୍ବିତୀୟ ବୃହତ୍ତମ ରପ୍ତାନି ପଦାର୍ଥ ହେଉଛି ପେଟ୍ରୋଲିୟମ୍ ସାମଗ୍ରୀ। ୨୦୨୪ରେ ଭାରତ ୬୫.୪ ବିଲିୟନ ଡଲାରର ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି କରିଥିଲା। ଭାରତ ମୁଖ୍ୟତଃ ନେଦରଲ୍ୟାଣ୍ଡ୍ସ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସିଙ୍ଗାପୁର, ଆମେରିକା ଓ ଅଷ୍ଟ୍ରେଲିଆକୁ ତେଲ ରପ୍ତାନି କରିଥାଏ। ପଡ଼ୋଶୀ ଦେଶ ଭୁଟାନ, ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ଇଣ୍ଡିଆନ ଅଏଲ୍ ଭଳି ସରକାରୀ କମ୍ପାନି ତେଲ ଯୋଗାଣ କରୁଛନ୍ତି। ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, ମାଲେସିଆ, ଫ୍ରାନ୍ସ ଓ ଜର୍ମାନୀକୁ ମଧ୍ୟ ଭାରତରୁ ତେଲ ପଠାଯାଉଛି। ଭାରତ ମୁଖ୍ୟତଃ ପେଟ୍ରୋଲ, ଡିଜେଲ୍, ବିମାନ ଇନ୍ଧନ, ନାପ୍ଥା, ଲୁବ୍ରିକାଣ୍ଟ୍, ଏଲ୍ପିଜି ଓ ବିଟୁମେନ୍ ରପ୍ତାନି କରୁଛି। ରପ୍ତାନିରେ ଘରୋଇ କମ୍ପାନି ଆଗରେ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁଜରାଟର ଜାମନଗର, ନାୟରା ଏନର୍ଜି ବାଡିନାରରୁ ତେଲ ରପ୍ତାନି କରୁଛନ୍ତି। ସେହିପରି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍, ବିପିସିଏଲ୍ ଓ ଏଚ୍ପିସିଏଲ୍ ମଧ୍ୟ େପଟ୍ରୋଲିୟମ୍ ସାମଗ୍ରୀ ରପ୍ତାନି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/dgadgzzcvcv-2026-03-03-03-11-14.jpg)