ନୂଆଦିଲ୍ଲୀ : ମହାମାରୀ ପୂର୍ବ ସମୟ ତୁଳନାରେ ଅର୍ଥନୀତି ଏବେ ଭଲ ସ୍ଥିତିରେ ରହିଛି। ଅର୍ଥନୀତିର ୨୨ଟି ପ୍ରମୁଖ ସୂଚକାଙ୍କ ମଧ୍ୟରୁ ୧୭ଟି ଦ୍ରୁତ ଅଭିବୃଦ୍ଧି ହୋଇଥିବା ସରକାର କହିଛନ୍ତି। ଗତକାଲି ନୋବେଲ୍ ବିଜୟୀ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଥିଲେ ଯେ ଅର୍ଥନୀତି ୨୦୧୯ ଠାରୁ ମଧ୍ୟ ଖରାପ ସ୍ଥିତିରେ ଅଛି। ଲୋକମାନେ ଅତ୍ୟଧିକ ଯନ୍ତ୍ରଣା ମଧ୍ୟରେ ଜୀବନଯାପନ କରୁଛନ୍ତି। କେନ୍ଦ୍ର ସରକାର ଆଜି ଜାରି କରିଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଦେଶର ଆର୍ଥିକ ପ୍ରଗତିର ଅନୁଧ୍ୟାନ କରିବା ଲାଗି କେତେକ ଉଚ୍ଚ ଆବୃତ୍ତି ସୂଚକାଙ୍କ ରହିଛି ଯାହାକୁ ନିୟମିତ ଭାବେ ନିରୀକ୍ଷଣ କରାଯାଉଛି। ଚଳିତ ବର୍ଷର ସେପ୍ଟେମ୍ବରୁ ନଭେମ୍ବର ମଧ୍ୟରେ ୧୯ଟି ସୂଚକାଙ୍କରେ ମହାମାରୀ ପୂର୍ବ ସମୟ ତୁଳନାରେ ୧୦୦%ରୁ ଅଧିକ ସୁଧାର ହୋଇଛି।
ଇ ୱେ-ବିଲ୍, ସାମଗ୍ରୀ ରପ୍ତାନି, କୋଇଲା ଉତ୍ପାଦନ, ରେଳରେ ମାଲ ପରିବହନରେ ଉତ୍ସାହଜନକ ଫଳ ଦେଖିବାକୁ ମିଳିଛି। ୟୁପିଆଇ କାରବାରରେ ୩୬୭ ପ୍ରତିଶତ, ହାରାହାରି ଇଟିସି ସଂଗ୍ରହରେ ୧୫୭ ପ୍ରତିଶତ, ଇ-ୱେ ବିଲ୍ରେ ୧୩୯ ପ୍ରତିଶତ, ଆମଦାନିରେ ୧୪୬ ପ୍ରତିଶତ, ରପ୍ତାନିରେ ୧୩୫ ପ୍ରତିଶତ, କୋଇଲା ଉତ୍ପାଦନରେ ୧୩୧ ପ୍ରତିଶତ, ରେଳରେ ମାଲ୍ ପରିବହନରେ ୧୨୫ ପ୍ରତିଶତ, ସାର ବିକ୍ରିରେ ୧୨୫ ପ୍ରତିଶତ, ବିଦ୍ୟୁତ ଉପଯୋଗିତାରେ ୧୧୨ ପ୍ରତିଶତ, ଟ୍ରାକ୍ଟର ବିକ୍ରିରେ ୧୦୮ ପ୍ରତିଶତ, ସିମେଣ୍ଟ୍ ଉତ୍ପାଦନରେ ୧୦୭%, ବନ୍ଦର ଜରିଆରେ ମାଲ୍ ପରିବହନରେ ୧୦୫ ପ୍ରତିଶତ, ଇନ୍ଧନ ଉପଯୋଗିତାରେ ୧୦୩ ପ୍ରତିଶତ ଓ ବିମାନରେ ମାଲ୍ ପରିବହନରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି।