ଅର୍ଥନୈତିକ ସର୍ଭେ ରିପୋର୍ଟ : ସର୍ବନିମ୍ନ ଆବଶ୍ୟକତାରେ ଓଡ଼ିଶା ପଛୁଆ

ନୂଆଦିଲ୍ଲୀ : ଦେଶରେ ୨୦୧୮ରେ ସର୍ବନିମ୍ନ ଆବଶ୍ୟକତା ସୂଚୀରେ ଓଡ଼ିଶା ସମେତ ଚାରି ରାଜ୍ୟ ନିମ୍ନ ସ୍ଥାନରେ ରହିଛି। ସ୍ୱଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଭଳି ନିହାତି ଜରୁରୀ ଆବଶ୍ୟକତା ଆଦି ଯୋଗାଇବାରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଥିବା ଉଲ୍ଲେଖ ଅଛି। ସେହିଭଳି ପିଇବା ପାଣି ଉପଲବ୍ଧତା ସୂଚୀ(୨୦୧୮)ରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ କେରଳ ନିମ୍ନ ସ୍ଥାନରେ ରହିଛନ୍ତି। ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହା ଜଣାଯାଇଛି। ରିପୋର୍ଟ ଅନୁସାରେ ୨୦୧୯-୨୦ରେ ରାଜ୍ୟର ଜିଡିପିକୁ ଓଡ଼ିଶା ସମେତ ୮ଟି ରାଜ୍ୟରେ ସେବା କ୍ଷେତ୍ରର ଅବଦାନ ବୃଦ୍ଧି ପାଇଛି। ୨୦୧୯-୨୦ରେ ଓଡ଼ିଶାର ମୋଟ ଜିଡିପିରେ ସେବା କ୍ଷେତ୍ରରେ ଅବଦାନ ୪୦.୮୪ ପ୍ରତିଶତ ରହିଛି। ଓଡ଼ିଶାରେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ସେବା କ୍ଷେତ୍ରର ହାରାହାରି ଅଭିବୃଦ୍ଧି ୭.୨୦ ପ୍ରତିଶତ ରହିଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଓଡ଼ିଶା ସମେତ ଛଅଟି ରାଜ୍ୟକୁ ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଅଧୀନରେ ସହାୟତା ପ୍ରଦାନ କରାଯାଇଥିବା ଉଲ୍ଲେଖ ଅଛି। ଦେଶରେ ସୂର୍ଯ୍ୟମୁଖୀ ଫୁଲ ଉତ୍ପାଦନରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୨୦୧୯-୨୦ରେ ୦.୦୩ ମିଲିୟନ ଟନ୍‌ ସୂର୍ଯ୍ୟମୁଖୀ ଫୁଲ ଉତ୍ପାଦନ ହୋଇଥିଲା। ସର୍ବଭାରତୀୟ ସ୍ତରରେ ଉତ୍ପାଦନର ଭାଗ ରହିଥିଲା ୧୨-୬୧ ପ୍ରତିଶତ।

ଓଡ଼ିଶା ସମ୍ପର୍କରେ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ରାଜ୍ୟରେ ବ୍ୟାଙ୍କ ଶାଖା ସଂଖ୍ୟା ୫୧୫୫ ଥିଲା। ୨୦୧୮-୧୯ରେ ଓଡ଼ିଶାର ଏଲିମେଣ୍ଟାରି ସ୍କୁଲରେ ୯୩.୫ ପ୍ରତିଶତ, ସିନିୟର ସେକେଣ୍ଡାରୀ ସ୍କୁଲରେ ୬୫.୯ ପ୍ରତିଶତ ଏବଂ ଉଚ୍ଚ ଶିକ୍ଷାରେ ୨୨.୧ ପ୍ରତିଶତ ନାମଲେଖା ହୋଇଥିବାର କୁହାଯାଇଛି। ଅପରପକ୍ଷେ ୨୦୧୭ରେ ଓଡ଼ିଶାରେ ୬ ରୁ ୧୦ ବର୍ଷ ବୟସ ବର୍ଗରେ ୯୮.୨ ପ୍ରତିଶତ, ୧୧-୧୩ ବର୍ଷ ବୟସ ବର୍ଗରେ ୯୪.୨ ପ୍ରତିଶତ, ୧୮ରୁ୧୭ ବର୍ଷ ବୟସ ବର୍ଗରେ ୬୮.୬୨ ପ୍ରତିଶତ, ୧୮ରୁ ୧୩ ବର୍ଷ ବୟସ ବର୍ଗରେ ୧୮.୦ ପ୍ରତିଶତ ଉପସ୍ଥା‌ନ ରହିଥିବା ରିପୋର୍ଟରେ କୁହାଯାଇଛି। ୧୯୫୧ ରୁ ୨୦୧୧ ପର୍ଯ୍ୟନ୍ତ ରାଜ୍ୟରେ କ୍ରମାଗତ ଭାବେ ସାକ୍ଷରତା ହାର ବୃଦ୍ଧି ହୋଇଛି। ଓଡ଼ିଶାରେ ୧୯୫୧ରେ ସାକ୍ଷରତା ପ୍ରତିଶତ ୧୫.୮ ଥିବାବେଳେ ୨୦୧୧ରେ ୭୨.୯ ପ୍ରତିଶତ ରହିଛି। ପରିବାର ଗୁଡ଼ିକୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ସୁବିଧା ଅନ୍ତର୍ଗତ ଓଡ଼ିଶାରେ ୧୯୯୧ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୩୯.୧ ପ୍ରତିଶତ ଥିବାବେଳେ ୨୦୧୧ରେ ଏହାର ପ୍ରତିଶତ ୭୫.୩ ରହିଥିବାର ରିପୋର୍ଟରେ ଦର୍ଶାଯାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁପୋଷଣକୁ ଦୂର କରିବା ପାଇଁ ରାଜ୍ୟମାନଙ୍କୁ ପୋଷଣଯୁକ୍ତ ଚାଉଳର ସାର୍ବଜନୀନ ବିତରଣ ପ୍ରଣାଳୀ ଅନ୍ତର୍ଗତ ବଣ୍ଟନର ପାଇଲଟ ପ୍ରକଳ୍ପକୁ ଓଡ଼ିଶା ସମେତ ୧୫ଟି ରାଜ୍ୟ ସେମାନଙ୍କର ରାଜ୍ୟର ଗୋଟିଏ ଜିଲ୍ଲାରେ କାର୍ଯ୍ୟକାରୀ କରିବାର ସହମତି ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି। ୨୦୧୮-୧୯ରେ ରାଜ୍ୟରେ ବେକାରି ହାର ୭ ପ୍ରତିଶତ। ଗ୍ରାମାଞ୍ଚଳରେ ବେକାରି ହାର ୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୧୨.୭ ପ୍ରତିଶତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର