ଚିନ୍ତା ବଢ଼ାଇଲା ଅର୍ଥନୀତି, ବିତ୍ତୀୟ ନିଅଣ୍ଟ ସୀମା ଟପିଲା

ପ୍ରମୁଖ କ୍ଷେତ୍ର ନିରାଶ କଲେ

ନୂଆଦିଲ୍ଲୀ : ଅର୍ଥନୀତି କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଅର୍ଥନୀତି ଏହାର ପ୍ରତିଟି ପ୍ରମୁଖ ମାନଦଣ୍ଡରେ ଖରାପ ପ୍ରଦର୍ଶନ ଜାରି ରଖିଛି। ‌ଦେଶର ଅଭିବୃଦ୍ଧି ହାର ଦ୍ବିତୀୟ ତ୍ରୟମାସରେ ୪.୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିବା ବେଳେ ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇପଡ଼ିଛି। ସାରା ବର୍ଷ ଲାଗି (୨୦୧୯-୨୦ ଆର୍ଥିକ ବର୍ଷ) ବିତ୍ତୀୟ ନିଅଣ୍ଟକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଅକ୍ଟୋବରରେ ସୀମା ଟପିଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ଚାରି ମାସ ବାକି ଥିବା ବେଳେ ଅର୍ଥନୀତିର ଏହି ସ୍ଥିତି ସରକାରଙ୍କ ଚିନ୍ତା ବଢ଼ାଇବାକୁ ଯଥେଷ୍ଟ।

ବିତ୍ତୀୟ ନିଅଣ୍ଟ ହେଉଛି ଏକ ଅର୍ଥନୈତିକ ଶବ୍ଦ। ଏହାର ସାଧାରଣ ଅର୍ଥ ସରକାରଙ୍କ ରାଜସ୍ବ ଆଦାୟ ଓ ବ୍ୟୟ ଭିତରେ ରହୁଥିବା ଅନ୍ତର। ଯଦି ରାଜସ୍ବ ଆଦାୟ ତୁଳନାରେ ବ୍ୟୟ ଅଧିକ କରାଯାଏ ତେବେ ବିତ୍ତୀୟ ନିଅଣ୍ଟ ବଢ଼ିଯାଏ। ବିତ୍ତୀୟ ନିଅଣ୍ଟ ବେଲଗାମ ହେବା ଏକ ସୁସ୍ଥ ଅର୍ଥନୀତି ପାଇଁ ଅଶୁଭ ସଙ୍କେତ ଭାବେ ବିଚାର କରାଯ‌ାଏ। ବିତ୍ତୀୟ ନିଅଣ୍ଟ୍‌ ଯେତେ‌ କମ୍ ସେହି ଦେଶର ଅର୍ଥନୀତି ସେତେ ସୁଦୃଢ଼ ବୋଲି ବିଚାର କରାଯାଏ। ସେଥିପାଇଁ ଅର୍ଥନୀତିଜ୍ଞମାନେ ଏହି ପରିସଂଖ୍ୟାନ ଉପରେ ତୀକ୍ଷ୍‌ଣ ନଜର ରଖିଥାନ୍ତି ଏବଂ ସରକାର ମଧ୍ୟ ବଜେଟ୍‌ରେ ସ୍ବତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି।

ଚଳିତ ବର୍ଷର ଏପ୍ରିଲ୍‌ରୁ ଅକ୍ଟୋବର ଭିତରେ ସରକାର ୧୬.୫୫ ଲକ୍ଷ କୋଟି ଟଙ୍କା ବିଭିନ୍ନ କାର୍ଯ୍ୟରେ ବ୍ୟୟ କରିଛନ୍ତି। ସେହି ସମୟରେ କିନ୍ତୁ ମାତ୍ର ୬.୮୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆଦାୟ କରିପାରିଛନ୍ତି। ଅର୍ଥାତ ରାଜସ୍ବ ଆଦାୟ ତୁଳନାରେ ସରକାର ଅଧିକ ୭.୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାହା ହିଁ ହେଉଛି ବିତ୍ତୀୟ ନିଅଣ୍ଟ। ଚଳିତ ବର୍ଷର ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ, ବିତ୍ତୀୟ ନିଅଣ୍ଟ ୨୦୧୯-୨୦ରେ ୭.୦୩ ଲକ୍ଷ କୋଟି ଟଙ୍କା ଭିତରେ ରହିଛି। ଏହି ଲକ୍ଷ୍ୟ ଆସନ୍ତା ୨୦୨୦ର ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଲାଗି ଧାର୍ଯ୍ୟ କରାଯାଇଥିଲା। ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ଚାରି ମାସ ବାକି ଥିବା ବେଳେ ବିତ୍ତୀୟ ନିଅଣ୍ଟ୍‌ ଏଭଳି ବଡ଼ ଝଟ୍‌କା ଦେଇଛି। ଚଳିତ ବର୍ଷର ‌ଅକ୍ଟୋବର ମାସରେ ରାଜସ୍ବ ନିଅଣ୍ଟ ୬୮,୯୦୦ କୋଟି ଟଙ୍କା‌ ହୋଇଛି। ବର୍ଷ ତଳେ ତାହା ଯଥେଷ୍ଟ୍‌ କମ୍ ୫୩,୯୦୦ କୋଟି ଟଙ୍କା ଥିଲା।

ଟିକସ ରାଜସ୍ବ କମ୍ ହେବାର ଅନେକ କାରଣ ରହିଛି। ଜିଏସ୍‌ଟିରେ ବାରମ୍ବାର ଅଦଳବଦଳ କରାଯାଉଥିବାରୁ ସେହି ଟିକସ ଆଦାୟ ଆଶାନୁରୂପ ହେଉନାହିଁ। ମାସକୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜିଏସ୍‌ଟି ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମାତ୍ର ବାସ୍ତବ ଆଦାୟ ତା’ଠାରୁ ବହୁତ କମ୍ ରହୁଛି। ସେହିପରି, ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର କରିବା ଲାଗି କିଛି ମାସ ତଳେ କଂପାନି ଟିକସ ହାରକୁ ୩୦%ରୁ କମାଇ ୨୨% କରାଯାଇଥିଲା ଯାହା ଦ୍ବାରା ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ପ୍ରଭାବିତ ହୋଇଛି।

ପ୍ରମୁଖ କ୍ଷେତ୍ର ନିରାଶ କଲେ
ନୂଆଦିଲ୍ଲୀ : ଅର୍ଥନୀତିର ଗତିକୁ ଆଗକୁ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଶର ଆଠଟି ପ୍ରମୁଖ କ୍ଷେତ୍ର ଚଳିତ ବର୍ଷ ଅକ୍ଟୋବର ମାସରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏହି ଆଠଟି କ୍ଷେତ୍ର ହେଉଛି କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ଇସ୍ପାତ, ସିମେଣ୍ଟ୍‌, ବିଦ୍ୟୁତ, ସାର ଓ ବିଶୋଧିତ ଉତ୍ପାଦ। ଏହି କ୍ଷେତ୍ରଗୁଡ଼ିକର ଅଭିବୃଦ୍ଧି ହାର ଅକ୍ଟୋବରରେ ୫.୮% ସ୍ତରକୁ ଖସିଯାଇଛି। ବିଦ୍ୟୁତ କ୍ଷେତ୍ର ସବୁଠୁ ଖରାପ ପ୍ରଦର୍ଶନ କରିଛି। ବିଦ୍ୟୁତ ଉତ୍ପାଦନରେ ୧୨.୪% ହ୍ରାସ ଘଟିଛି। କୋଇଲା ଉତ୍ପାଦନ ୧୭.୬ ପ୍ରତିଶତ କମିଥିବା ବେଳେ ଅଶୋଧିତ ତେଲ ଉତ୍ପାଦନ ୫.୧% କମିଛି। ଇସ୍ପାତ ଓ ସିମେଣ୍ଟ୍‌ ଉତ୍ପାଦନ ଯଥାକ୍ରମେ ୧.୬ ପ୍ରତିଶତ ଓ ୭.୭ ପ୍ରତିଶତ ହ୍ରାସ ପାଇଛି। ପ୍ରାକୃତି ଗ୍ୟାସ୍‌ ଉତ୍ପାଦନ ୫.୭ ପ୍ରତିଶତ କମିଛି। କେବଳ ସାର ଓ ବିଶୋଧିତ ସାମଗ୍ରୀ ଉତ୍ପାଦନରେ ସକାରାତ୍ମକ ବୃଦ୍ଧି ଘଟିଛି। ବିଶୋଧିତ ସାମଗ୍ରୀ ଉତ୍ପାଦନରେ ୦.୪%ର ସାମାନ୍ୟ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର