ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି। ୨୦୧୪-୧୫ ପରଠାରୁ ତାହା ତିନି ଗୁଣା ବଡ଼ ହୋଇଛି। ସରକାରୀ ତଥ୍ୟ ଅନୁସାରେ ୨୦୧୪-୧୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪-୨୫ ସୁଦ୍ଧା ତାହା ତିନି ଗୁଣା ବୃଦ୍ଧି ପାଇ ୩୩୧.୦୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଭୂରାଜନୈତିକ ସଙ୍କଟ, ବାଣିଜ୍ୟ ଲଢ଼େଇ, ନୀତିକୁ ନେଇ ଅନିଶ୍ଚିତତତା ଏବଂ ସୀମାପାର ନିବେଶରେ ହ୍ରାସ ଭଳି ବିଶ୍ବରେ ଅନେକ ସମସ୍ୟା ଲାଗି ରହିଥିଲେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରି ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ବୋଲି ଦର୍ଶାଇବାରେ ସଫଳ ହୋଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖର୍ଚ୍ଚ ବଢ଼ୁଥିବା ସହ ଘରୋଇ ନିବେଶରେ ବୃଦ୍ଧି ଘଟୁଥିବାରୁ ଏହି ଉତ୍ସାହଜନକ ପ୍ରଦର୍ଶନ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ। ୨୦୨୪-୨୫ରେ ଦେଶର ଅଭିବୃଦ୍ଧି ୬.୫ ପ୍ରତିଶତ ଥିଲା। ୨୦୨୫-୨୬ରେ ତାହା ୬.୩-୬.୮ ପ୍ରତିଶତ ହାରରେ ବଢ଼ିବ ବୋଲି ଆକଳନ କରାଯାଇଛି। 

Advertisment

ଗୋଟିଏ ପଟେ ଅର୍ଥନୀତି ବଡ଼ ହୋଇଥିବା ବେଳେ ଅନ୍ୟ ପଟେ ଦରଦାମ୍ କବଳରୁ ଉଭୟ ବ୍ୟବସାୟିକ ସଂସ୍ଥା ଓ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ମିଳିଛି। ଗତ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭୫ ମାସର ସର୍ବନିମ୍ନ ସ୍ତର ୨.୮୨ ପ୍ରତିଶତକୁ ଖସିଆସିଛି। ସେହିପରି, ପାଇକାରୀ ମୁଦ୍ରାସ୍ଫୀତି ହାର ୧୪ ମାସର ନିମ୍ନ ସ୍ତର ୦.୩୯ ପ୍ରତିଶତକୁ ଖସିଛି। ପରିବାର ଉପରେ ସର୍ବାଧିକ ଚାପ ପକାଉଥିବା ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ କମ୍ ହୋଇଛି। ୨୦୨୧ ଅକ୍ଟୋବର ପରେ ଖାଦ୍ୟ ମୁଦ୍ରାସ୍ଫୀତି ସର୍ବନିମ୍ନ ରହିଛି। ଚଳିତ ବର୍ଷ ଫସଲ ଉତ୍ପାଦନ ଉତ୍ସାହଜନକ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିବାରୁ ଖାଦ୍ୟ ଦାମ୍ ଆଗାମୀ ଦିନରେ କମ୍ ରହିବା ଆଶା କରାଯାଉଛି।