ନିରବଙ୍କ ୨୩୪୦ କେଜି ହୀରା, ଗହଣା ଫେରିଲା

୧୦୮ଟି ପ୍ୟାକେଟ୍‌ରେ ଅଣାଗଲା, ହଂକଂ ଗୋଦାମରେ ଲୁଚାଇ ରଖାଯାଇଥିଲା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ମାମୁଁଭଣଜା ମେହୁଲ ଚୋକ୍‌ସି ଓ ନିରବ ମୋଦୀ ବିଦେଶକୁ ପଠାଇଥିବା ୧୩୫୦ କୋଟି ଟଙ୍କା ମୂଲ୍ୟର ୨୩୦୦ କେଜିରୁ ଅଧିକ ପଲିସଡ୍‌ ହୀରା, ମୋତି, ରୁପା ଏବଂ ଗହଣା ଭାରତକୁ ଅଣାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏସବୁ ଗହଣା ଭାରତ ଆଣିଛି। ମାମୁଁଭଣଜାଙ୍କ ବିରୋଧରେ ଭାରତରେ ତଦନ୍ତ ଆରମ୍ଭ କରାଯିବା ପରେ ଏସବୁ ଗହଣାକୁ ନିଜ ସଂସ୍ଥାଗୁଡ଼ିକ ଜରିଆରେ ସେମାନେ ହଂକଂ ବାଟ ଦେଇ ଦୁବାଇ ପଠାଇବାକୁ ଚାହୁଥିଲେ। ସେହିଦିନଠାରୁ ଏହି ସବୁ ମୂଲ୍ୟବାନ ଗହଣା ଓ ହୀରା ହଂକଂର ଏକ ଗୋଦା‌ମରେ ରଖାଯାଇଥିଲା। ଏବିଷୟରେ ଗୁପ୍ତ ସୂଚନା ପାଇବା ପରେ ଗହଣାଗୁଡ଼ିକୁ ଭାରତ ଫେରାଇ ଆଣି ଜବତ କରିବା ଲାଗି ଇଡି ଉଦ୍ୟମ ଆରମ୍ଭ କରିଥିଲା। ହଂକଂକୁ ଏବିଷୟରେ ଅବଗତ କରାଯାଇଥିଲା। ଏବେ ହଂକଂରୁ ୧୦୮ ପ୍ୟାକେଟ୍‌ର ଗହଣାକୁ ଇଡି ସଫଳତାର ସହ ଭାରତ ଆଣିଛି। ସେଥି ମଧ୍ୟରୁ ୩୨ଟି ପ୍ୟାକେଟ୍‌ରେ ନିରବଙ୍କ ଗହଣା ଏବଂ ୭୬ଟି ପ୍ୟାକେଟ୍‌ରେ ଚୋକ୍‌ସିଙ୍କ ଗହଣା ରହିଛି। ପିଏନ୍‌ବିରେ ବଡ଼ ଧରଣର ଠକେଇ କରି ଧରାପଡ଼ିବା ପୂର୍ବରୁ ମାମୁଁଭଣଜା ବିଦେଶ ପଳାଇଥିଲେ। ମାତ୍ର ବେଶିଦିନ ଲୁଚି ପାରିନଥିଲେ। ବ୍ରିଟେନ୍‌ରେ ନିରବଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ସେ ଏବେ ପ୍ରତ୍ୟର୍ପଣ ମାମଲା ଲଢ଼ୁଛନ୍ତି। ଚୋକ୍‌ସି ଆଣ୍ଟିଗୁଆରେ ଲୁଚିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର