ବିକାନେର ଜମି ଦୁର୍ନୀତି ମାମଲା: ରବର୍ଟ ଭଦ୍ରାଙ୍କ ୪.୬୨ କୋଟିର  ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ବିକାନେର ଜମି ଦୁର୍ନୀତି ମାମଲାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କର ୪.୬୨ କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ୪ ଜଣଙ୍କ ନାମରେ ଥିବା ୧୮ ଲକ୍ଷ ୫୯ ହଜାର ୫୦୦ ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ନୂଆଦିଲ୍ଲୀର ୨୬୮, ସୁଖଦେବ ବିହାରରେ ଭଦ୍ରାଙ୍କ କମ୍ପାନି ମେସର୍ସ ସ୍କାଏଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ ନାମରେ ଥିବା ୪ କୋଟି ୪୩ ଲକ୍ଷ ୩୬ ହଜାର ୫୫୦ ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ବିକାନେର ଜମି ଦୁର୍ନୀତି ମାମଲାରେ ଇଡି ୨୦୧୫ ମସିହାରେ ଏକ ଅପରାଧିକ ମାମଲା ରୁଜୁ କରିଥିଲା। ବିକାନେର ତହସିଲଦାରଙ୍କ ଅଭିଯୋଗ ଏବଂ ଏଫଆଇଆର ଆଧାରରେ ରାଜସ୍ଥାନ ପୁଲିସ ଏକ ଚାର୍ଜସିଟ ସେହି ସମୟରେ ଦାଖଲ କରିଥିଲା। ଏହାକୁ ଭିତ୍ତିକରି ଇଡି ମାମଲା ରୁଜୁ କରିଥିଲା। ଏହି ମାମଲାରେ ଇଡି ଭଦ୍ରା ଓ ତାଙ୍କ ମାଆ ମୌରିନଙ୍କୁ ଜୟପୁରଠରେ ଚଳିତ ସପ୍ତାହରେ ଜେରା କରିଥିଲା। ସେମାନଙ୍କୁ ଜୟପୁରସ୍ଥିତ ଇଡି କାର୍ଯ୍ୟାଳୟରେ ରବର୍ଟଙ୍କ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ନେଇ ଛାଡ଼ିଥିଲେ। ଉଲ୍ଲେଖଯୋଗ୍ୟ, ଇଡି ଗତ ସପ୍ତାହରେ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀରେ ଅନ୍ୟ ଏକ ମାମଲାରେ ୩ ଦିନ ଧରି ଜେରା କରିଥିଲା।

ସମ୍ବନ୍ଧିତ ଖବର