‌ମେଦାନ୍ତ ହସ୍ପିଟାଲ୍ ପ୍ରତିଷ୍ଠାତାଙ୍କ ବିରୋଧରେ ଇଡି ମାମଲା, ଦୁର୍ନୀତି, ଅର୍ଥ ହେରଫେର ଅଭିଯୋଗ

ନୂଆଦିଲ୍ଲୀ : ମେଦାନ୍ତ ମେଡିସିଟି ହସ୍ପିଟାଲ୍‌ର ପ୍ରତିଷ୍ଠାତା ଡକ୍ଟର ନରେଶ ତ୍ରେହାନ ଓ ତାଙ୍କର ଅନ୍ୟ ୫୨ ଜଣ ସହଯୋଗୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଦୁର୍ନୀତି ଓ ମନି ଲଣ୍ଡରିଂ କରିଥିବା ଅଭିଯୋଗରେ ଏଫ୍‌ଆଇଆର୍‌ ଦାୟର କରାଯାଇଛି। ଏହା ପୂର୍ବରୁ ହରିଆନା ପୁଲିସ ମଧ୍ୟ ‌ଡକ୍ଟର ତ୍ରେହାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଓ ମନି ଲଣ୍ଡରିଂ ନିରୋଧୀ ନିୟମର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରିଥିଲା।

ସୂଚନା ଅଧିକାର କର୍ମୀ ରମଣ ଶର୍ମାଙ୍କ ଅଭିଯୋଗ ଆଧାରରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ତେବେ ସମସ୍ତ ଅଭିଯୋଗକୁ ମେଦାନ୍ତ ଅଧ୍ୟକ୍ଷ ଡକ୍ଟର ତ୍ରେହାନ ଖଣ୍ଡନ କରିବା ସହ ଅଭିଯୋଗଗୁଡ଼ିକ ଭିତ୍ତିହୀନ ବୋଳି କହିଛନ୍ତି। ଶ୍ରୀ ଶର୍ମା ଗତବର୍ଷ ଜୁନ୍‌ରେ ଇଡିରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଇଡି ପକ୍ଷରୁ ହରିଆନା ପୁଲିସ ନିକଟକୁ ପଠାଇ ଦିଆଯାଇଥିଲା। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ମାମଲାକୁ ବିଚାରକୁ ନେଇ ମେଦାନ୍ତ ମେଡିସିଟି ହସ୍ପିଟାଲ୍‌ର ଅଧ୍ୟକ୍ଷ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ପ୍ରଥମେ ହରିଆନା ପୁଲିସ ଏଫ୍‌ଆଇଆର୍‌ ଦାୟର କରିଥିଲା। ଏବେ ଇଡି ମଧ୍ୟ ଏଫ୍‌ଆଇଆର୍‌ ରୁଜୁ କରିଛି।ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି, ଏକ ମେଡିକାଲ୍‌ କଲେଜ, ଗବେଷଣା କେନ୍ଦ୍ର, ନର୍ସିଂ ଷ୍ଟାଫ୍‌ କ୍ବାର୍ଟର ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କ ଲାଗି ଗେ‌ଷ୍ଟ୍‌ ହାଉସ୍‌ ଭଳି ଅନେକ ବ୍ୟବସ୍ଥା ବିକଶିତ କରିବା ପାଇଁ ମେଦାନ୍ତ ହସ୍ପିଟାଲ୍‌ ଏକ ପ୍ରକଳ୍ପ ହାସଲ କରିଥିଲା। ମାତ୍ର କଂପାନି କେବଳ ହସ୍ପିଟାଲ୍ ନିର୍ମାଣ କରିଥିଲା ଏବଂ ବଳକା ପାଣ୍ଠିର ଅପବ୍ୟବହାର କରି ଅନ୍ୟ ପ୍ରକଳ୍ପରେ ଲଗାଇଥିଲା।

ସମ୍ବନ୍ଧିତ ଖବର