ଚନ୍ଦା କୋଚ୍ଚରଙ୍କୁ ଇଡି ସମନ୍

ନୂଆଦିଲ୍ଲୀ: ଭିଡିଓକନ ଋଣ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ୍ କରିଛି। ବ୍ୟାଙ୍କ ଋଣ ଠକେଇ ଘଟଣାରେ ହୋଇଥିବା ମନି ଲଣ୍ଡରିଂର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଥିବାରୁ ଏ ନେଇ ସେମାନଙ୍କୁ ସମନ୍ କରାଯାଇଛି। ଚନ୍ଦାଙ୍କୁ ଆସନ୍ତା ମାସ ୩ ତାରିଖରେ ହାଜର ହେବାକୁ ସମନ୍ ଦିଆଯାଇଥିବାବେଳେ ସ୍ବାମୀ ଦୀପକ ଓ ଦିଅର ରାଜୀବଙ୍କୁ ଚଳିତମାସ ୩୦ ତାରିଖରେ ହାଜର ହେବାକୁ କୁହାଯାଇଛି। ଆର୍ଥିକ କାରବାର ସଂକ୍ରାନ୍ତ କାଗଜପତ୍ର ସହିତ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ସେମାନଙ୍କୁ କୁହାଯାଇଛି। ଏହି ଅବସରରେ ଅଭିଯୁକ୍ତମାନଙ୍କ ବୟାନ ପିଏମଏଲଏ ବା ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆଇନ ଅଧୀନରେ କରାଯିବ। ଗତ ସପ୍ତାହରେ ସେମାନଙ୍କୁ ସମନ୍ ଦିଆଯାଇଛି। ସିବିଆଇ ଏତଲା ଆଧାରରେ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଚନ୍ଦାଙ୍କ ଅବଧିରେ ଜେପି ଗ୍ରୁପ୍ ଏବଂ ଭୂଷଣ ଷ୍ଟିଲ ଭଳି କମ୍ପାନିକୁ ପ୍ରଦାନ କରାଯାଇଥିବା ଋଣ ଯାହାକି ପରେ ଏନପିଏରେ ପରିଣତ ହୋଇଛି ସେ ସମ୍ପର୍କରେ ମଧ୍ୟ ଇଡି ତାଙ୍କୁ ପଚରାଉଚୁରା କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର