ୟେସ୍‌ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣାଙ୍କ ୩ ଝିଅଙ୍କ ଘରେ ଇଡି ଚଢ଼ଉ

ଲୁକ୍-ଆଉଟ୍ ସର୍କୁଲାର ଜାରି

ମୁମ୍ବାଇ/ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ଗତକାଲିଠାରୁ ଇଡି ଜେରା ଚଳାଇଛି। ଗତକାଲି ତାଙ୍କ ବାସଭବନରେ ଚଢ଼ଉ କରିବା ସହିତ ଜେରା କରିଥିବା‌ବେଳେ ଆଜି କାର୍ଯ୍ୟାଳୟକୁ ଡାକି ଜେରା କରିଛି। କେବଳ ସେତିକି ନୁହେଁ, ଇଡି ଏହାର ତଦନ୍ତକୁ ବ୍ୟାପକ କରିଛି। ରାଣାଙ୍କ ୩ ଝିଅଙ୍କ ଘରେ ଇଡି ଆଜି ଚଢ଼ଉ କରିଛି। ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ଏହି ଚଢ଼ଉ ହୋଇଥିବା ଏକ ସୂତ୍ରରୁ ଜଣାଯାଇଛି। ରାଣାଙ୍କ ଝିଅ ରାକ୍ଷୀ କପୁର ଟଣ୍ଡନ, ରୋଶନୀ କପୁର ଏବଂ ରାଧା କପୁରଙ୍କ ଘରେ ଚଢ଼ଉ ହୋଇଛି। ରିଜର୍ଭ ବ୍ୟାଙ୍କ ଗତ ଗୁରୁବାର ୟେସ ବ୍ୟାଙ୍କ ଉପରେ କଟକଣା ଜାରି କରିଥିଲା। ଏହି ବ୍ୟାଙ୍କର ବୋର୍ଡକୁ ହାତକୁ ନେବା ସହିତ ଷ୍ଟେଟ ବ୍ୟାଙ୍କର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦେଇଛି। ଏଥିସହିତ ବ୍ୟାଙ୍କରୁ ୩୦ ଦିନ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ଗ୍ରାହକମାନେ ଉଠାଇ ପାରିବେ ନାହିଁ ବୋଲି କଟକଣା ଜାରି କରିଛି। ଏହା ପରେ ଇଡି ପକ୍ଷରୁ ରାଣା ଏବଂ ଅନ୍ୟମାନଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ଶୁକ୍ରବାର ରାତିରେ ଇଡି ଅଧିକାରୀମାନେ ରାଣା କପୁରଙ୍କ ମୁମ୍ବାଇର ସମୁଦ୍ର ମହଲସ୍ଥିତ ବାସଭବନରେ ଚଢ଼ଉ କରିବା ସହିତ ଜେରା କରିଥିଲେ। ସାରା ରାତି ତାଙ୍କୁ ଜେରା କରାଯାଇଥିଲା। ଅଳ୍ପ କିଛି ସମୟ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଦେୱାନ ହାଉସିଂ ଫାଇନାନ୍ସ ଲିମିଟେଡ(ଡିଏଚ୍‌ଏଫ୍‌ଏଲ୍‌) ଓ ଅନ୍ୟ କମ୍ପାନିଙ୍କୁ ଋଣ ପ୍ରଦାନ ମାମଲାରେ ଇଡି ପଚରାଉଚରା କରୁଛି। ଚଢ଼ଉବେଳେ ଇଡିକୁ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ମିଳିଛି। ଗୋଟିଏ କମ୍ପାନିକୁ ଋଣ ମଞ୍ଜୁର କରି ତାହାର ପ୍ରତିବଦଳରେ ରାଣା କପୁରଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଲାଞ୍ଚ ‌େନବା ବିଷୟର ତଦନ୍ତ ମଧ୍ୟ କରାଯାଉଛି। ଏଥିସହିତ କପୁର ଦମ୍ପତି ଯେଭଳି ଦେଶ ଛାଡ଼ି ନଯିବେ ସେଥିପାଇଁ ସେମାନଙ୍କ ବିରୋଧରେ ଇଡି ଲୁକ୍-ଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି। ୧ ଲକ୍ଷ ନକଲି ଋଣଗ୍ରହୀତାଙ୍କ ମାଧ୍ୟମରେ ୮୦ଟି ଜାଲ୍ କମ୍ପାନିକୁ ୧୨୫୦୦ କୋଟି ଟଙ୍କା ପଠାଯାଇଛି ବୋଲି ଡିଏଚ୍‌ଏଫ୍‌ଏଲ୍‌ ମାମଲାରେ ଅଭିଯୋଗ ରହିଛି। ୨୦୧୫ ମସିହାରେ ଏସବୁ ଜାଲିଆତି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର