ଏଫଡିଆଇନ ନିୟମ ଉଲ୍ଲଙ୍ଘନ ଅଭିଯୋଗ : ଫ୍ଲିପକାର୍ଟ,ଆମାଜନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଇଡି, ରିଜର୍ଭ ବ୍ୟାଙ୍କକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନିୟମ ଓ ବିଦେଶୀ ମୁଦ୍ରା ପରିଚାଳନା ଆଇନ,୧୯୯୯ (ଫେମା) ଉଲ୍ଲଙ୍ଘନ ଅଭିଯୋଗରେ ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଓ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ୍‌ (ଇଡି) ଓ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଇ-କମର୍ସ କମ୍ପାନିମାନେ ଏଫଡିଆଇ ଓ ଫେମା ଆଇନ ଉଲ୍ଲଙ୍ଘନ କରୁଥିବା ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ । ମହାସଂଘର ଜାତୀୟ ସଭାପତି ବି.ସି. ଭାରତୀୟା ଓ ମହାସଚିବ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି ଯେ ଏହି କମ୍ପାନିମାନେ ଆଇନ ଉଲ୍ଲଙ୍ଘନ କରୁଥିବା ସଂପର୍କରେ ମହାସଂଘ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ପରେ ମନ୍ତ୍ରାଳୟ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ମଲଟି-ବ୍ରାଣ୍ଡ ରିଟେଲ ପାଇଁ ଥିବା ଏଫଡିଆଇ ନିୟମ ଉଲ୍ଲଙ୍ଘନ କରି ଉଭୟ ଫ୍ଲିପକାର୍ଟ ଓ ଆମାଜନ ବ୍ୟବସାୟ କରୁଛନ୍ତି ବୋଲି ମହାସଂଘ ଅଭିଯୋଗ କରିଛି ।

ମହାସଂଘ ପକ୍ଷରୁ କୁହାଯାଇଛି ଯେ ୨୦୨୧ ବର୍ଷକୁ ଭାରତୀୟ ବ୍ୟବସାୟ ସମ୍ମାନ ବର୍ଷ ଭାବେ ପାଳନ କରାଯିବ । ଏହି ବର୍ଷ ଇ-କମର୍ସ କମ୍ପାନିମାନଙ୍କ କଳାକାରନାମା ସଂପର୍କରେ ଲୋକମାନଙ୍କୁ ସଚେତନ କରାଯିବ ।

ସମ୍ବନ୍ଧିତ ଖବର