ନୂଆଦିଲ୍ଲୀ : ବହୁକୋଟି ଟଙ୍କାର ଋଣ ଖିଲାପୀ କରି ବିଦେଶକୁ ଫେରାର ହୋଇଯାଇଥିବା ଶିଳ୍ପପତି ବିଜୟ ମାଲ୍ୟାର ସବୁ ସଂପତ୍ତି ଜବତ କରିବା ପାଇଁ ଓ ତାକୁ ପଳାତକ ଅପରାଧୀ ଘେଷିତ କରିବା ପାଇଁ ପ୍ରତିଭୁତି ନିର୍ଦ୍ଦେଶାଳୟ (ଇଡି) କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ଗତ ଏପ୍ରିଲ ମାସରେ ସରକାରଙ୍କ ପକ୍ଷରୁ ଜାରି ପଳାତକ ଆର୍ଥିକ ଅପରାଧୀ ଅଧ୍ୟାଦେଶ ୨୦୧୮ ଅନୁସାରେ ମାଲ୍ୟାଙ୍କ ପ୍ରାୟ ୧୨ହଜାର ୫୦୦ କୋଟି ଟଙ୍କାର ସଂପତ୍ତିକୁ ଜବତ କରିବାକୁ ଇଡି କୋର୍ଟଙ୍କ ଅନୁମତି ଚାହିଁଛି । ଏହାପୂର୍ବରୁ ଇଡି ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ଆଇନ ଅନୁସାରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପଳାତକ ଆର୍ଥିକ ଅପରାଧୀ ଅଧ୍ୟାଦେଶ ମାଧ୍ୟମରେ ଦେଶରୁ ପଳାୟନ କରିଥିବା ଆର୍ଥିକ ଅପରାଧୀଙ୍କ ସଂପତ୍ତିକୁ ଜବତ କରି ଋଣଦାତା (ବ୍ୟାଙ୍କ) ମାନଙ୍କୁ ପରିଶୋଧ କରାଯାଇପାରିବ । ଏହି ଅଧ୍ୟାଦେଶ ଅନୁସାରେ ଯେଉଁ ମାନେ ବ୍ୟାଙ୍କରୁ ୧୦୦ କୋଟିରୁ ଅଧିକ ପରିମାଣର ଋଣ ଆଣି ପରିଶୋଧ କରୁନଥିବେ, ଏପରି ସିଡ୍ୟୁଲଡ ଅପରାଧରେ ଯେଉଁମାନଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଥିବ ଓ ଯେଉଁମାନେ ଭାରତ ଫେରିବାକୁ ମନା କରୁଥିବେ, ସରକାର ସେମାନଙ୍କର ସଂପତ୍ତି ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ଜବତ କରିପାରିବେ । ଏହି ସଂପତ୍ତିକୁ ବିକ୍ରି କରି ଋଣ ସୁଝିବେ । ଆହୁରି ମଧ୍ୟ ଜଣକୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବାକୁ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ନିଯୁକ୍ତ ଜଣେ ନିର୍ଦ୍ଦେଶକ ବା ଉପନିର୍ଦ୍ଦେଶକ ଏକ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିପାରିବେ । ସୂଚନାଯୋଗ୍ୟ ଯେ ବିଜୟ ମାଲ୍ୟା ପ୍ରାୟ ୯୦୦୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଆଣି ତାହାକୁ ସୁଜିନାହିଁ ଓ ବିଦେଶ ପଳାୟନ କରିଛି ।