ଖାଇବା ତେଲ ଦାମ କମିପାରେ: ଆମଦାନି ଶୁଳ୍କ ୭.୫% ଯାଏଁ କମିଲା

ନୂଆଦିଲ୍ଲୀ: ଦେଶରେ ଖାଇବା ତେଲ ଦରବୃଦ୍ଧି ଖାଉଟିଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଲଗାତାର ଗତ କିଛିମାସ ହେଲା ଦେଶରେ ଖାଇବା ତେଲ ଦର ବଢ଼ିବାରେ ଲାଗିଛି। ବିଳମ୍ବରେ ହେଲେ ମଧ୍ୟ ସରକାର କେତେକ ତେଲର ଆମଦାନି ଶୁଳ୍କ ହ୍ରାସ କରିଛନ୍ତି। ଏହା ଖାଉଟିଙ୍କୁ ଦରବୃଦ୍ଧିରୁ କିଛିଟା ଆଶ୍ବସ୍ତି ଦେବବୋଲି ଆଶା କରାଯାଉଛି।
ବିଶ୍ବର ସବୁଠୁ ଅଧିକ ଖାଇବା ତେଲ ଆମଦାନି କରୁଥିବା ରାଷ୍ଟ୍ର ଭାରତରେ ଏହାଦ୍ବାରା ଅନ୍ତର୍ଜାତୀୟ ବଜାରରୁ ଅଧିକ ତେଲ କିଣିବ ବୋଲି ଆକଳନ କରାଯାଉଛି। ଫଳରେ ଭାରତରେ ତୈଳ ଯୋଗାଣରେ ଉନ୍ନତି ଆସିବ।

ସରକାର କ୍ରୁଡ ପାମ୍‌ ଅଏଲ ବା ତାଳ ତେଲ ଉପରେ ମୂଳ ଆମଦାନି ଶୁଳ୍କକୁ ୧୦%ରୁ ୨.୫%କୁ କମାଇଛନ୍ତି। ସେହିଭଳି କ୍ରୁଡ ସୋୟାବିନ ଏବଂ କ୍ରୁଡ ସୂର୍ଯ୍ୟମୁଖୀ ତେଲର ଆମଦାନି ଶୁଳ୍କ ୭.୫%ରୁ ୨.୫%କୁ ହ୍ରାସ କରିଛନ୍ତି। ଏଥିସହିତ ‌ରିଫାଇନ ପାମ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ମୂଳ ଆମଦାନି ଶୁଳ୍କ ୩୭.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ କମାଯାଇଛି। ତେଣୁ ଆମଦାନି ଶୁଳ୍କକୁ ସରକାର ୭.୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଶୁକ୍ରବାର ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।
କ୍ରୁଡ ପାମ୍‌, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଶୁଳ୍କ ହ୍ରାସ ପରେ ଏହା ଉପରେ ଟିକସ ପରିମାଣ ୨୪.୭୫ ପ୍ରତିଶତ ରହିବ। ସେହିଭଳି ରିଫାଇନ ପାମ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୋଟ ଟିକସ ୩୫.୭୫ ପ୍ରତିଶତ ରହିବ। ଭାରତ ଏହାର ମୋଟ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ଗତ କିଛିମାସ ହେଲା ଖାଇବା ତେଲ ଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ, ମାଲେସିଆରୁ ଆମଦାନି କରୁଥିବାବେଳେ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଆର୍ଜେଣ୍ଟିନା, ୟୁକ୍ରେନ ଏବଂ ରୁଷିଆରୁ ଆମଦାନି କରିଥାଏ।

ପାର୍ବଣ ସମୟରେ ଦେଶରେ ତେଲ ଚାହିଦା ଅଧିକ ରହିଥାଏ। ଏହା ପୂର୍ବରୁ ସରକାର ଆମଦାନି ଶୁଳ୍କ ହ୍ରାସ କରିଥିବାରୁ ଦର କିଛିଟା କମିବ ବୋଲି ଜି ଜି ପଟେଲ ଆଣ୍ଡ ନିଖିଳ ରିସର୍ଚ୍ଚ କମ୍ପାନିର ଏମଡି ଗୋବିନ୍ଦଭାଇ ପଟେଲ କହିଛନ୍ତି। ସରକାର ଉପରୋକ୍ତ ତିନି ପ୍ରକାର ଖାଇବା ତେଲର ଆମଦାନି ଶୁଳ୍କ ହ୍ରାସ କରିଥିଲେ ମଧ୍ୟ ସୋରିଷ ତେଲର ଆମଦାନି ଶୁଳ୍କକୁ ୩୮.୫ ପ୍ରତିଶତରେ ସ୍ଥିର ରଖାଯାଇଛି ବୋଲି ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ବି ମେହେଟ୍ଟା କହିଛନ୍ତି। ଏହି ତେଲର ଶୁଳ୍କକୁ ମଧ୍ୟ କମାଇବାର ଆବଶ୍ୟକତା ଥିଲା। କାରଣ ଗତ ବର୍ଷକ ମଧ୍ୟରେ ସୋରିଷ ତେଲ ଦାମ ପାଖାପାଖି ଦୁଇଗୁଣା ହୋଇଯାଇଛି।

କିଲୋ ପିଛା ୫ ଟଙ୍କା କମିବ!
ସରକାର ଖାଇବା ତେଲର ମୌଳିକ ଆମଦାନି ଶୁଳ୍କରେ ଯେଉଁ ହ୍ରାସ ଘଟିଛନ୍ତି ତାହାର ପୂରା ଲାଭ ଗ୍ରାହକଙ୍କୁ ମିଳିଲେ କିଲୋ ପିଛା ତେଲ ଦାମ ୪ରୁ ୫ ଟଙ୍କା ପର୍ଯ୍ୟନ୍ତ କମିପାରେ। ଖାଇବା ତେଲ ଶିଳ୍ପ ସଂଘ ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ବି ମେହେଟ୍ଟା କହିଛନ୍ତି। ବ୍ୟବସାୟୀମାନେ ଟିକସ ହ୍ରାସର କିଛି ଲାଭ ନିଜ ପାଖରେ ରଖିଲେ ଦାମ ୨ରୁ ୩ ଟଙ୍କା ପର୍ଯ୍ୟନ୍ତ କମିପାରେ।
ଟନ ପିଛା ୪୯୯୧ ଟଙ୍କାକୁ ଖସିପାରେ
ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏନ ଅଫ୍ ଇଣ୍ଡିଆର ଇଡି ବି ବି ମେହେଟ୍ଟାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନର ଶୁଳ୍କ ଏବଂ ଟଙ୍କାର ବିନିମୟ ମୂଲ୍ୟ ହିସାବକୁ ନିଆଗଲେ କ୍ରୁଡ ସୋୟାବିନ ତେଲ ଦର ଟନ ପିଛା ୬୭.୫୪ ଡଲାରକୁ ଆସିପାରେ। ସେହିଭଳି କ୍ରୁଡ୍ ପାମ୍ ତେଲ ଦର ଟନ୍ ପିଛା ୫୬.୫୯ ଡଲାର ଏବଂ ରିଫାଇନ ପାମ୍ ତେଲ ଦାମ ଟନ ପିଛା ୫୮.୫୨ ଡଲାର କୁ କମିପାରେ।
ଷ୍ଟକିଷ୍ଟ ଓ ମିଲରଙ୍କ ଉପରେ ନଜର
ଖାଇବା ତେଲ ଏବଂ ତୈଳବୀଜ ମହଜୁଦକାରୀଙ୍କ ବିରୋଧରେ ସରକାର କଠୋର ହେବାପାଇଁ ନିଷ୍ପତ୍ତି ନେଇଛନ୍ତି। କାହାରି ପାଖରେ ଯେଭଳି ଖାଇବା ତେଲ କିମ୍ବା ତୈଳବୀଜ ଅଯଥା ମହଜୁଦ ନରହେ ସେଥିପାଇଁ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଶୁକ୍ରବାର ରାଜ୍ୟର ଅଧିକାରୀମାନଙ୍କ ସହିତ ଦୀର୍ଘସମୟ ଧରି ଏକ ବୈଠକ କରିଛନ୍ତି। ଷ୍ଟକିଷ୍ଟ ଏବଂ ମିଲର ମାନଙ୍କ ନିକଟରେ କେତେ ତେଲ ଏବଂ ତୈଳବୀଜ ରହିଛି ତାହାର ତଥ୍ୟ ଅପଡେଟ୍ କରିବାକୁ ବୈଠକରେ କୁହାଯାଇଛି। ଷ୍ଟକିଷ୍ଟ ଏବଂ ମିଲରମାନେ ରଖିଥିବା ତେଲ ଏବଂ ତୈଳବୀଜ ତଥ୍ୟକୁ ଅପଡେଟ କରିବେ। ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଦାମର ତାଲିକା ଲଗାଇବେ।

ସମ୍ବନ୍ଧିତ ଖବର