୫୦ ବର୍ଷକୁ ଦେଖି ଶିକ୍ଷା ଯୋଜନା କର: ପ୍ରଫେସର ରାମସ୍ବାମୀ

ଭୁବନେଶ୍ବର: କିଛି ଦଶନ୍ଧି ପୂର୍ବେ ଯେଉଁ ପେସା ଥିଲା ଏବେ ତାହା ନାହିଁ। ସେହିଭଳି ଆଜି ଯେଉଁ ପେସା ଅଛି ଆସନ୍ତା ୫୦ ବର୍ଷ ପରେ ତାହା ମଧ୍ୟ ନଥିବ। ଆଗାମୀ ୫୦ ବର୍ଷ ପରେ ଯେଉଁ‌ସବୁ କ୍ଷେତ୍ରର ଚାହିଦା ଥିବ ତାହାକୁ ଦେଖି ବର୍ତ୍ତମାନର ଉଚ୍ଚଶିକ୍ଷା ନୀତି ପ୍ରସ୍ତୁତ ହେବା ଉଚିତ ବୋଲି ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍‌ସେସ୍, ବାଙ୍ଗାଲୋରର ସଭାପତି ତଥା ଖ୍ୟାତିସମ୍ପନ୍ନ ଶିକ୍ଷାବିତ ପ୍ରଫେସର ରାମସ୍ବାମୀ ଏଭଳି ମତ ଦେଇଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସେ କହିଛନ୍ତି, କୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଭବିଷ୍ୟତ ଯୋଜନା କରୁନାହାନ୍ତି। ଭବିଷ୍ୟତରେ କେତେ ନର୍ତ୍ତକୀ, କେତେ ଚିକିତ୍ସକ, କେତେ ଇଞ୍ଜିନିୟର ଓ ଅନ୍ୟାନ୍ୟ ପେସାର ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ତାହାର ଆକଳନ କରିବା ଉଚିତ। ଗତ କିଛି ବର୍ଷ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଇଣ୍ଟରନେଟ୍ ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅନ୍ୟପକ୍ଷରେ ଶିକ୍ଷକମାନଙ୍କୁ ସମ୍ମାନ ପାଇବାକୁ ହେଲେ ସେମାନଙ୍କୁ ମଧ୍ୟ ପ୍ରତିଦିନ ନୂଆ ନୂଆ ବିଷୟ ଶିଖିବାକୁ ହେବ ବୋଲି ସେ କହିଛନ୍ତି। ଏହି ଆଲୋଚନାଚକ୍ରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର