ଶିକ୍ଷାନୁଷ୍ଠାନ-ଗବେଷଣା ପ୍ରତିଷ୍ଠାନ-ଶିଳ୍ପ ଏକଜୁଟ ହେବା ଦରକାର
ଭୁବନେଶ୍ବର: ଦେଶରେ ଏବେ ବାର୍ଷିକ ପାଖାପାଖି ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ହେଉଛି। ଆସନ୍ତା ୨୦୩୦ ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ କ୍ଷମତାକୁ ୩୦୦ ନିୟୁତ ଟନକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଯେଉଁ ଇସ୍ପାତ କାରଖାନା ଗୁଡ଼ିକ ଦେଶରେ ଗଢ଼ି ଉଠିବ ସେଥି ନିମନ୍ତେ ବହୁମାତ୍ରାରେ ମେସିନ୍ର ଆବଶ୍ୟକତା ରହିଛି। ଏବେ ଭାରତ ଇସ୍ପାତ କାରଖାନା ନିର୍ମାଣ ପାଇଁ ଅଧିକାଂଶ ମେସିନ ବିଦେଶରୁ ଆମଦାନି କରୁଛି। ଆଗାମୀ ଦିନରେ ଏସବୁ ମେସିନକୁ ଭାରତରେ ନିର୍ମାଣ କରିବାକୁ ହେଲେ ଦେଶରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଗୁରୁତ୍ବ ଦେବାକୁ ହେବ। ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ହେବ। ଦେଶର ଜିଡିପିରେ କ୍ୟାପିଟାଲ ଗୁଡ୍ସର ଯୋଗଦାନ ୧.୮୦% ଥିବାରୁ ଏହାକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଇସ୍ପାତ ଶିଳ୍ପ ପାଇଁ ଭାରତରେ କ୍ୟାପିଟାଲ ଗୁଡ୍ସର ନିର୍ମାଣ ସମ୍ମିଳନୀର ପ୍ରଥମ ବୈଷୟିକ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପୂର୍ବତନ ଇସ୍ପାତ ସଚିବ ଡ ଅରୁଣା ଶର୍ମାଙ୍କ ଅଧ୍ୟକ୍ଷତା କରିଥିଲେ।ଏଥିରେ ଡାନିଏଲି-କୋରସ ଇଣ୍ଡିଆ ଏମ୍ଡି ଗଜେନ୍ଦ୍ର ପନୱାର, ସରାଲେ ଇଣ୍ଡିଆର ଏମଡି ମିଗୁଏଲ ଏଞ୍ଜେଲ ଇରିଆର୍ଟେ, ଏକ୍ରିର ସଭାପତି ୟାଙ୍ଗ ଝୋଙ୍ଗୟି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ସିଇଓ (ଷ୍ଟିଲ ବିଜନେସ) ଏନ ଏ ଅନସାରୀ, ଟାଟା ଷ୍ଟିଲ ଲିମିଟେଡର ଉପସଭାପତି (ସେୟାର ବିଜନେସ) ଅଭନୀଶ ଗୁପ୍ତା, ଏନଏମଡିସିର ବୈଷୟିକ ନିର୍ଦ୍ଦେଶକ ଡ ଏନ କେ ନନ୍ଦ, ମେକନ ବୈଷୟିକ ନିର୍ଦ୍ଦେଶକ ପି କେ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ। ଅଧିବେଶନରେ ଭେଲ୍ର ସିଏମ୍ଡି ଅତୁଲ ସୋବ୍ତି ସହ ଅଧ୍ୟକ୍ଷତା କରିଥିବାବେଳେ ସେଲ୍ର ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ ସହଅଧ୍ୟକ୍ଷତା କରିବା ସହିତ ସଂଯୋଜନା କରିଥିଲେ।