ଭୁବନେଶ୍ବର: ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋସନ କାଉନ୍‌ସିଲ୍‌ (ଇଇପିସି) ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ଚାପ୍ଟର ଖୋଲାଯାଇଛି। କଟକ ଚାପ୍ଟର ଭାବେ ଏହା କାର୍ଯ୍ୟ କରିବ। ୨୦୧୭-୧୮ରେ ୫୨,୪୧୨ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଥିବା ଓଡ଼ିଶା ୨୦୨୫ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାର ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି। ସେହି ଲକ୍ଷ୍ୟ ହାସଲ ଦିଗରେ ଇଇପିସିର ଓଡ଼ିଶା ଚାପ୍ଟର ଉଚିତ ମାର୍ଗଦର୍ଶନ କରିପାରିବ। ବର୍ତ୍ତମାନ ଏହି ଚାପ୍ଟରରେ ୧୫ ରପ୍ତାନିକାରୀ ସଦସ୍ୟ ଭାବେ ଯୋଡ଼ି ହୋଇଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କ ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଆଶା କରାଯାଉଛି।

Advertisment

ଇଇପିସିର ନୂଆ ଚାପ୍ଟରକୁ ଏମ୍ଏସ୍‌ଏମ୍‌ଇ କମିସନର ତଥା ସଚିବ ହେମନ୍ତ ଶର୍ମା ମୁଖ୍ୟ ଅତିଥି ଭ‌ାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଇପିକଲ୍‌ ଏମ୍‌ଡି ନୀତିନ ଜୱାଲେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଇପିସି ଇଣ୍ଡିଆର ଅଧ୍ୟକ୍ଷ ରବି ସେହଗଲ, ପୂର୍ବାଞ୍ଚଳ ଅଧ୍ୟକ୍ଷ ବି ଡି ଅଗ୍ରୱାଲ୍‌, ଡବ୍ଲୁଟିସି ଭୁବନେଶ୍ବରର ସଂଯୋଜକ ମହେନ୍ଦ୍ର ଗୁପ୍ତା ଓ କଟକ ଚାପ୍ଟରର ସଂଯୋଜକ ପୱନ ସୁରେକା ଉପସ୍ଥିତ ଥିଲେ। ଏହି ଅବସରରେ ବିଶ୍ବ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ବର ଓ ଇଇପିସି ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଓଡ଼ିଶାରୁ ସାଧାରଣତଃ ଖଣିଜ ପଦାର୍ଥ ଓ ଧାତୁ ଅଧିକ ପରିମାଣର ରପ୍ତାନି କରାଯାଇଥାଏ। ଏହା ବ୍ୟତୀତ ରପ୍ତାନିରେ ଇଞ୍ଜିନିୟରିଂ, ରାସାୟନିକ ପଦାର୍ଥ ଓ ଆନୁଷଙ୍ଗିକ ସାମଗ୍ରୀର ଅବଦାନ ମଧ୍ୟ ଉଲ୍ଲେଖନୀୟ ରହିଛି। ଏହି ସବୁ ସାମଗ୍ରୀ ରାଜ୍ୟରୁ ୭୦ଟି ପାଖାପାଖି ଦେଶକୁ ରପ୍ତାନି କରାଯାଉଛି। ଇଇପିସି ଚାପ୍ଟର ଖୋଲିବା ପରେ ରପ୍ତାନିକାରୀମାନଙ୍କୁ ଆବଶ୍ୟକ ବୈଷୟିକ ସହାୟତା ମିଳିବ ବୋଲି ଆଶା କରାଯାଉଛି।