ବିଦେଶ ନ ଯାଇ ଓଡ଼ିଶାରେ ଇ-ବାଇକ ଉତ୍ପାଦନ ସହ ନିଯୁକ୍ତି ସମ୍ଭାବନା ସୃଷ୍ଟି କରୁଛନ୍ତି ଏହି ୨୨ ବର୍ଷୀୟ ଯୁବକ

ଉପସ୍ଥାପନା: ବୌଦ୍ଧାୟନ ଆଚାର୍ଯ୍ୟ

ଭୁବନେଶ୍ୱର: କୁହାଯାଏ ସ୍ବପ୍ନ ଓ ପ୍ରେରଣା ଜଣକୁ ସଫଳତାର ସିଡ଼ି ଚଢ଼ାଇଥାଏ | ନିଜ ଜେଜେବାପା ଓ ବାପାଙ୍କ ପ୍ରେରଣା ସାଙ୍ଗକୁ କିଛି ନୂଆ କରିବାର ସ୍ୱପ୍ନ ନେଇ ଓଡିଶାରେ ଏବେ ଇଲେକ୍ଟ୍ରୋନିକ୍ସ ଗାଡି ଉତ୍ପାଦନ କରୁଛନ୍ତି ୨୨ ବର୍ଷୀୟ ଯୁବକ | ଆମେ କହୁଛୁ ହର୍ଷ ବର୍ଦ୍ଧନଙ୍କ କଥା | ହର୍ଷ ଏବେ ଓଡିଶାରେ ‘ଇଭି’ ନାମରେ ଇଲେକ୍ଟ୍ରୋନିକ୍ସ ଗାଡି ପ୍ରସ୍ତୁତ କରୁଛନ୍ତି |

ଏଭଳି ହୋଇଥିଲା ଇଲେକ୍ଟ୍ରୋନିକ୍ସ ଗାଡି ନିର୍ମାଣର ଯୋଜନା ?
କିଛି ନୂଆ କରିବାର ଇଚ୍ଛା ନେଇ ହର୍ଷ ଯେତେବେଳେ ବ୍ୟବସାୟ ସାମ୍ରାଜ୍ୟରେ ପାଦ ଥାପିଥିଲେ ସେତେବେଳେ ସେ ଦେଖିଥିଲେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢିବା ସହ ପେଟ୍ରୋଲର ମୂଲ୍ୟ ମଧ୍ୟ କ୍ରମାଗତ ବୃଦ୍ଧି ଘଟୁଛି | ତେଣୁ ଲୋକଙ୍କୁ ଭିନ୍ନ କିଛି ଦେବା ସହ ପରିବେଶକୁ ସୁରକ୍ଷା କରିବାର ସଂକଳ୍ପ ନେଇ ଇ-ଯାନ ବା ଇଲେକ୍ଟ୍ରୋନିକ୍ସ ଗାଡି ପ୍ରସ୍ତୁତିର କଥା ମୁଣ୍ଡକୁ ଆସିଥିଲା | ବର୍ଷେ ତଳେ ଦେଶ ବିଦେଶର ବିଭିନ୍ନ ସ୍ଥାନ ବୁଲି କିଭଳି ଇଲେକ୍ଟ୍ରୋନିକ୍ସ ଗାଡି ଓଡ଼ିଶାରେ ନିର୍ମାଣ କରାଯାଇପାରିବ ସେ ନେଇ ବିଶେଷଜ୍ଞଙ୍କ ସହ ହର୍ଷ ଆଲୋଚନା କରିଥିଲେ | ଏହାପରେ ଯାଜପୁରର ବଡଚଣାରେ ‘ଇଭି’ ଏହାର ପ୍ଲାଣ୍ଟ ସ୍ଥାପନ କରିଥିଲା | ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ଏ ଯାଏଁ ୩୫ଟି ଡିଲର ପଏଣ୍ଟ କରାଯାଇଥିବାବେଳେ ମାର୍ଚ୍ଚ ସୁଦ୍ଧା ୨୫୦ଟି ଡିଲର ପଏଣ୍ଟ କରାଯିବାର ଯୋଜନା ରହିଛି |

ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଦ୍ୱାଦଶ ଯାଏଁ ଶିକ୍ଷା ସମାପ୍ତ ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ବାଣିଜ୍ୟ ପଢିଥିଲେ ହର୍ଷ | ଏହାପରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପଢୁଥିବାବେଳେ ଇ-ଯାନ କିଭଳି ଲୋକଙ୍କୁ ଦେଇପାରିବେ ସେହି ପ୍ରୟାସ ଆରମ୍ଭ କରିଥିଲେ |

ହର୍ଷଙ୍କ କହିବା କଥା ଯେ ସେ ଓଡ଼ିଶାରେ ଜନ୍ମ ହୋଇଛନ୍ତି ଓ ବଢିଛନ୍ତି | ନିଜ ଜନ୍ମମାଟି ପାଇଁ ଥିବା ଭଲପାଇବା ତାଙ୍କୁ ଉତ୍ସାହ ଦେଇଥିଲା ଓଡିଶାରେ ହିଁ ନିଜ କମ୍ପାନୀ ଆରମ୍ଭ କରିବେ | ସେହିପରି ଓଡିଶାରେ ହେଉଥିବା ବାତ୍ୟା ଗ୍ଲୋବାଲ ୱାର୍ମିଙ୍ଗ ବା ବିଶ୍ୱ ତାପମାନ ବୃଦ୍ଧି ପାଇଁ ହେଉଥିବାର ହର୍ଷ ଅନୁଭବ କରନ୍ତି | ଏହି ଗ୍ଲୋବାଲ ୱାର୍ମିଙ୍ଗ ପଛରେ ପ୍ରଦୂଷଣର ଏକ ବଡ ଭୂମିକା ରହୁଛି |

ଫୋଟୋ-ଦେବାନନ୍ଦ

କିନ୍ତୁ ଇଲେକ୍ଟ୍ରୋନିକ୍ସ ଗାଡି ଦ୍ୱାରା ପ୍ରଦୂଷଣ ହେବାର କୌଣସି ଆଶଙ୍କା ନଥିବାରୁ ଏହି ଗାଡି ଓଡିଶାରେ କିଭଳି ଅଧିକ ଚାଲିପାରିବ ସେଥି ପ୍ରତି ଦୃଷ୍ଟି ଦେଇଛନ୍ତି | ଅନ୍ୟପଟେ ଏହି ଗାଡ଼ିରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପାଇଁ ଲମ୍ବା ଗହଳି ଅପେକ୍ଷା, ଘରେ ୩ ଘଣ୍ଟା ଚାର୍ଜ କରି ୮୦ରୁ ୯୦ କିଲୋମିଟର ଯାଏଁ ଯାତ୍ରା କରିପାରିବେ | ସେହିପରି ଶବ୍ଦ ପ୍ରଦୂଷଣକୁ କିଭଳି କମାଯାଇପାରିବ ସେଥିପାଇଁ ମଧ୍ୟ ହର୍ଷ ଦୃଷ୍ଟି ଦେଇଛନ୍ତି | ଓଡିଶାରେ ତାଙ୍କ ଗାଡି ପ୍ରତି ଲୋକଙ୍କ କେତେ ଉତ୍ସାହ ରହିଛି ପ୍ରଶ୍ନରେ ସେ କହିଛନ୍ତି ଯେ ଲୋକଙ୍କ ଜୀବନଶୈଳୀକୁ ବଦଳାଇବାକୁ ଏଭଳି ପ୍ରୟାସ କରାଯାଇଛି |

“ମୋ ଟିମରେ ଯେଉଁମାନେ ଅଛନ୍ତି ସମସ୍ତେ ଓଡ଼ିଆ ଯୁବକ ଓ ଯୁବତୀ | ସମସ୍ତଙ୍କ ବୟସ ୨୪ରୁ ୨୫ ବର୍ଷ ହୋଇଥିବାବେଳେ ବର୍ତ୍ତମାନ ଯୁବପିଢ଼ି ଯାହାର କିଛି ନୂଆ କରି ଦେଖାଇବାର ଇଚ୍ଛା ଶକ୍ତି ଅଛି ସେମାନଙ୍କୁ ମୁଁ ସ୍ୱାଗତ କରୁଛି | ଆସନ୍ତୁ ମୋ କମ୍ପାନୀରେ ଯୋଗ ଦିଅନ୍ତୁ | ସେମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବି ଆସନ୍ତୁ ଏଭଳି ଏକ ପ୍ରଦୂଷଣ ମୁକ୍ତ ବିପ୍ଳବରେ ମୋତେ ସାହାଯ୍ୟ କରନ୍ତୁ |”

ଓଡ଼ିଶାରେ ଇ-ଯାନ ପ୍ରତି ଧୀରେ ଧୀରେ ଓଡ଼ିଆ ଲୋକଙ୍କ ଆଗ୍ରହ ବଢୁଛି | ଯେଉଁମାନେ ବି ଇଲେକ୍ଟ୍ରୋନିକ୍ସ ଗାଡି ନେଉଛନ୍ତି ସେମାନେ ସ୍ୱତଃ ଅନ୍ୟ ଲୋକଙ୍କୁ ନେବାକୁ କହୁଛନ୍ତି | ବୁଲେଟ ଟ୍ରେନ ବିଦ୍ୟୁତରେ ଚାଲୁଛି, ଇଲେକ୍ଟ୍ରିକ ବାଇକର କିଭଳି ବେଗ କିଭଳି ବଢିବ ସେଥିପାଇଁ ଆସିବାକୁ ଥିବା ମଡେଲରେ ଦୃଷ୍ଟି ଦିଆଯାଇଛି | ଏହି ଗାଡିର ବେଗ ୧୦୦ରୁ ୧୨୦ କିଲୋମିଟର ରହିବ | ହର୍ଷଙ୍କ ଜେଜେବାପା ଇଂରେଜ ସମୟରେ ବିଦେଶରୁ ଗାଡି ଆଣି ପୂର୍ବ ଭାରତରେ ବିକ୍ରି କରୁଥିଲେ |

ଫୋଟୋ-ଦେବାନନ୍ଦ

ଏହା ପରେ ତାଙ୍କ ପରବର୍ତ୍ତୀ ପିଢ଼ି ଓଡ଼ିଶାରେ ‘ଭାରତ ମୋଟର୍ସ’ ସ୍ଥାପନ କରି ବିଭିନ୍ନ କମ୍ପାନୀର ଗାଡି ବ୍ୟବସାୟ କରୁଥିଲେ | ତେବେ ହର୍ଷଙ୍କ ପାଇଁ ବି ବିଦେଶ ଯାଇ ସେଠାରେ କିଛି କରିବାର ଭରପୁର ସୁଯୋଗ ଥିଲା | କିନ୍ତୁ ଓଡ଼ିଶାର ଲୋକଙ୍କ ଜୀବନକୁ କିଭଳି ସହଜ ଓ ସୁନ୍ଦର କରିହେବ ସେଥିପାଇଁ ବାହାରକୁ ଯିବାକୁ ଇଚ୍ଛା ହେଲାନି ବୋଲି ସେ କହିଛନ୍ତି | ଏଠାକାର ଲୋକଙ୍କ ସହ ରହିକି ହିଁ ପ୍ରଦୂଷଣ ମୁକ୍ତ ଓଡିଶାର ସ୍ବପ୍ନ ଦେଖୁଛନ୍ତି ଏହି ଯୁବ ଉଦ୍ୟୋଗୀ |

ସମ୍ବନ୍ଧିତ ଖବର