ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିର ପରିସ୍ଥିତି ସଙ୍କଟଜନକ ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତକୁ ଖସି ଆସିବା ସତ୍ତ୍ବେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହା ଏକ ରିପୋର୍ଟ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି। ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନ ଘରେ ରନ୍ଧା ଖାଦ୍ୟ ମଧ୍ୟ ଲୋକଙ୍କ ପାଇଁ ମହଙ୍ଗା ହୋଇଛି।
ଆଳୁ, ପିଆଜ ଏବଂ ଟମାଟ ପରି ସାଧାରଣ ପନିପରିବାର ଦର ଏତେ ବୃଦ୍ଧି ପାଇଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ଲୋକଙ୍କ ଘର ନିରାମିଷ ଥାଳି ୧୧ ପ୍ରତିଶତ ମହଙ୍ଗା ହୋଇଛି।
ରେଟିଂ ଏଜେନ୍ସି କ୍ରିସିଲର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୩ରେ ଏକ ଥାଳି ଶାକାହାରୀ ଖାଦ୍ୟର ହାରାହାରି ମୂଲ୍ୟ ୨୮.୧ ଟଙ୍କା ଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୩୧.୩ ଟଙ୍କାକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହାର ହାରାହାରି ମୂଲ୍ୟ ୩୧.୨ ଟଙ୍କା ଥିଲା। ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଏକ ବର୍ଷରେ ୧୧ ପ୍ରତିଶତ ମହଙ୍ଗା ହୋଇଛି।
ପନିପରିବା ଦର ଏହି ବୃଦ୍ଧି ପାଇଁ ଦାୟୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । କ୍ରିସିଲ'‘ରୁଟି, ରାଇସ୍, ରେଟ’ ନାମକ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ପନିପରିବା ଦର ବୃଦ୍ଧି ଯୋଗୁ ଥାଳି ମହଙ୍ଗା ହେବାର ସବୁଠାରୁ ବଡ କାରଣ ବୋଲି ଦର୍ଶାଯାଇଛି। ସାଧାରଣ ଭେଜ୍ ଥାଳିର ଦର ପନିପରିବା ଯୋଗୁ ୩୭ ପ୍ରତିଶତ ମହଙ୍ଗା ହୋଇଛି। ଏହା ବ୍ୟତୀତ ଗତ ଏକ ବର୍ଷ ମଧ୍ୟରେ ଅଟା, ଚାଉଳ, ଡାଲି ଏବଂ ତେଲର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
କ୍ରିସିଲ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ପିଆଜ, ଆଳୁ ଏବଂ ଟମାଟର ମୂଲ୍ୟ ବୃଦ୍ଧି ପାଇଛି। ପିଆଜର ଦର ୫୩ ପ୍ରତିଶତ, ଆଳୁର ଦର ୫୦ ପ୍ରତିଶତ ଏବଂ ଟମାଟର ଦାମ୍ ୧୮ ପ୍ରତିଶତ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ପିଆଜ ଏବଂ ଆଳୁର ଅଭାବ। ପ୍ରବଳ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଟମାଟ ଉତ୍ପାଦନ ପ୍ରଭାବିତ ହୋଇଛି। ଉତ୍ପାଦନରେ ହ୍ରାସ ଯୋଗୁ ଡାଲିର ମୂଲ୍ୟ ଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ପାଇଛି।
ଏହି ସମୟ ମଧ୍ୟରେ ଆମିଷ ଖାଦ୍ୟର ଥାଳି ଶସ୍ତା ହୋଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ଥାଳିର ହାରାହାରି ମୂଲ୍ୟ ୨ ପ୍ରତିଶତ ହ୍ରାସ ହୋଇ ୫୯.୩ ଟଙ୍କା ହୋଇଛି। ଏଥି ସହିତ ଚିକେନ୍ର ଦର ୧୩ ପ୍ରତିଶତ ହ୍ରାସ ପାଇଛି। ଆମିଷ ଥାଳିରେ ଚିକେନରେ ୫୦ ପ୍ରତିଶତ ଯୋଗଦାନ ରହିଥାଏ।
କ୍ରିସିଲର ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଆସନ୍ତା ସପ୍ତାହରେ ଏହାର ଦ୍ୱି-ମାସିକ ମୁଦ୍ରା ନୀତି ପ୍ରକାଶ କରିବାକୁ ଯାଉଛି।