କରୋନା ମହାମାରୀର ପ୍ରଭାବ: ଏସି, ଫ୍ରିଜ୍ ବିକ୍ରି ହ୍ରାସ

ନୂଆଦିଲ୍ଲୀ: ଏପ୍ରିଲ୍ ଓ ମେ’ ମାସରେ କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଏସି ଓ ଫ୍ରିଜ୍ ବିକ୍ରି ପ୍ରଭାବିତ ହୋଇଛି। ମହାମାରୀର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଘୋଷଣା କରିଥିବା ଲକ୍‌ଡାଉନ୍ ଯୋଗୁଁ ଷ୍ଟୋର୍‌ ଖୋଲିବା ସମ୍ଭବପର ହେଉନାହିଁ। ଦେଶର ପ୍ରମୁଖ ଏସି ନିର୍ମାତା ଯଥା ଭୋଲ୍‌ଟାସ୍‌, ଡାଏକିନ୍, ବ୍ଲୁଷ୍ଟାର୍‌, ହାୟର ଓ ପାନା‌ସୋନିକ୍‌ର ଏପ୍ରିଲ୍‌ ବିକ୍ରି ୭୫% ହ୍ରାସ ପାଇଛି। ମେ’ ମାସରେ ଏପର୍ଯ୍ୟନ୍ତ ଆଦୌଁ ବିକ୍ରି ହୋଇନାହିଁ। ମହାମାରୀର ଦ୍ବିତୀୟ ଲହର କମୁନଥିବା ବେଳେ ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ଗ୍ରାହକମାନେ ଭୟଭୀତ ଅଛନ୍ତି।

ସେଥିପାଇଁ କମ୍ପ୍ରେସର ବ୍ୟବହାର ହେଉଥିବା ଶୀତଳତା ପ୍ରଦାନକାରୀ ଉତ୍ପାଦ ଯଥା ଏସି ଓ ଫ୍ରିଜ୍ ଆଦିର ବିକ୍ରି ହ୍ରାସ ପାଇଛି। ଲୋକମାନେ ଏବେ ଖର୍ଚ୍ଚ କରିବାକୁ ଚାହୁନାହାନ୍ତି। ସେମାନେ ନିଜ ପାଖରେ ଥିବା ଟଙ୍କାକୁ ସଞ୍ଚୟ କରି ରଖିଛନ୍ତି। ସ୍ଥିତିରେ ସୁଧାର ହେବା ପରେ କିଣାକିଣି ବିଷୟରେ ବିଚାର କରିବେ ବୋଲି ଭାବୁଛନ୍ତି।ଚଳିତ ଆର୍ଥିକ ବର୍ଷରେ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହାସଲ କରିବାକୁ ଭୋଲ୍‌ଟାସ୍‌ ଲକ୍ଷ୍ୟ ରଖିିଥିଲା। ମାତ୍ର କରୋନା ମୁକାବିଲା ଲାଗି କଟକଣା ଲଗାଯାଇଥିବାରୁ କଂପାନି ଏହାର ବିକ୍ରି ଲକ୍ଷ୍ୟକୁ ବଦଳାଇବା ବିଷୟରେ ବିଚାର କରୁଛି। ଗତବର୍ଷ ଯେତିକି ବେପାର ହୋଇଥିଲା ସେହି ସ୍ତରରେ ପହଞ୍ଚିବା ଲାଗି ଆମେ ଉଦ୍ୟମ କରିବୁ ବୋଲି କଂପାନିର ଏମ୍‌ଡି ଓ ସିଇଓ ପ୍ରଦୀପ ବକ୍ସି କହିଛନ୍ତି।

ସମ୍ବନ୍ଧିତ ଖବର