ମକା ଦରବୃଦ୍ଧି ନେଇ ଅଣ୍ଡା ବ୍ୟବସାୟୀ ଚିନ୍ତିତ: ସରକାରଙ୍କୁ ମାଗିଲେ ଗହମ, ଚାଉଳ ଖୁଦ

ଭୁବନେଶ୍ବର: କୁକୁଡ଼ା ଖାଦ୍ୟର ପ୍ରମୁଖ କଞ୍ଚାମାଲ ମକା ଓ ସୋୟା ମିଲ୍ ଦରବୃଦ୍ଧିକୁ ନେଇ କୁକୁଡ଼ା ବ୍ୟବସାୟୀମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଗତ କିଛି ବର୍ଷ ଭିତରେ ମକା ଦାମ୍‌ରେ ହୋଇଥିବା ବୃଦ୍ଧିର ମୁକାବିଲା ଚାଷୀଙ୍କ କ୍ଷମତା ବାହାରେ ରହିଛି। ଅଧିକ ମକା ଦେଶ ବାହାରକୁ ପଠାଯିବା ଓ ବାୟୋ-ଫୁଏଲ୍‌ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବାରୁ କୁକୁଡ଼ା ଖାଦ୍ୟ ପ୍ରସ୍ତୁତି ପାଇଁ ମିଳୁଥିବା ମକା ଦାମ୍ ବଢ଼ିଯାଇଛି। ଏହି ସମସ୍ୟାର ସମାଧାନ ଲାଗି ତୁରନ୍ତ ଅତିକମ୍‌ରେ ୨ ନିୟୁତ ଟନ୍ ମାନବ ବ୍ୟବହାର ଅନୁପଯୋଗୀ ଗହମ ଓ ଚାଉଳ ଖୁଦ କୁକୁଡ଼ା ଖାଦ୍ୟ ତିଆରି ପାଇଁ ଯୋଗାଇ ଦେବାକୁ ଜାତୀୟ ଅଣ୍ଡା ସଂଯୋଜନା କମିଟି (ଏନ୍ଇସିସି) ପକ୍ଷରୁ ଭାରତ ସରକାରଙ୍କୁ ନିବେଦନ କରାଯାଇଛି। ବର୍ଷକ ଭିତରେ ଟନ୍ ପିଛା ମକାର ଦାମ୍ ୧୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ତାହା ୩୦ ହଜାର ଟଙ୍କା ହୋଇଯିବାର ଆଶଙ୍କା ମଧ୍ୟ ରହିଛି।

ମକା ଦରବୃଦ୍ଧି ଯୋଗୁଁ ଅଣ୍ଡା ପିଛା ହାରାହାରି ଉତ୍ପାଦନ ଖର୍ଚ୍ଚ ୪.୭୫-୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଯାହା ଗତବର୍ଷ ୪ ଟଙ୍କା ଥିଲା। କିନ୍ତୁ ଗେଟ୍‌ ଦାମ୍ ଅଣ୍ଡା ପିଛା ୩ ଟଙ୍କା ୫୦ ପଇସା ଥିବାରୁ ବ୍ୟବସାୟୀମାନେ ପ୍ରତି ଅଣ୍ଡାରେ ଦେଢ଼ ଟଙ୍କାରୁ ୧ ଟଙ୍କା ୭୫ ପଇସା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି। ଏଭଳି କ୍ଷତିରେ ବ୍ୟବସାୟ ଜାରି ରଖିବା ସମ୍ଭବ ହେଉନଥିବାରୁ ହଜାର ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଏଭଳିକି ବ୍ରିଡର୍‌ମାନେ ମଧ୍ୟ ନିଜର ପରିଚାଳନାକୁ ବନ୍ଦ ଓ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେବାଳିଆ ହେବାକୁ ବସିଛନ୍ତି। ଏଭଳି ଗମ୍ଭୀର ସମୟରେ ଲୋକମାନଙ୍କ ପାଇଁ ଅଣ୍ଡା ଓ କୁକୁଡ଼ା ମାଂସ ଉପଲବ୍ଧତାକୁ ନିଶ୍ଚିତ କରିବା ଲାଗି ମକା ଠାରୁ ଶସ୍ତାରେ ଉପଲବ୍ଧ ଥିବା ସାମଗ୍ରୀ କୁକୁଡ଼ା ଖାଦ୍ୟ ପାଇଁ ଯୋଗାଇ ଦେବା ହେଉଛି ଏକମାତ୍ର ବିକଳ୍ପ।

ସମ୍ବନ୍ଧିତ ଖବର