ୱାସିଂଟନ: ଆମେରିକାର ନିବେଶ ଗବେଷଣା ସଂସ୍ଥା ତଥା ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଭାରତ ସଂପର୍କରେ ଆଉ ଏକ ବଡ଼ ରିପୋର୍ଟ ଆଜି ଆଣିଛି। ଆଦାନି ମାମଲାରେ ସିଧାସଳଖ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ଙ୍କୁ ଟାଣିଛି। ଗତବର୍ଷ ଆଦାନି ଗ୍ରୁପ୍ରେ ଇନସାଇଡର ଟ୍ରେଡିଂ ଓ ଷ୍ଟକ ମାର୍କେଟ୍ର ଅନ୍ୟାନ୍ୟ ଜାଲିଆତି ସଂପର୍କରେ ଏହି ସଂସ୍ଥା ରିପୋର୍ଟ ଦେଇଥିଲା। ଏହି ରିପୋର୍ଟ ଆସିବା ପରେ ଆଦାନି ଗ୍ରୁପ୍ର ସେୟାର ସାଂଘାତିକ ଭାବେ ତଳକୁ ଖସିଥିଲା। ନିବେଶକମାନେ ଏଥିପାଇଁ ବହୁ କ୍ଷତି ସହିଥିଲେ। ମୋଟ କ୍ଷତି ପରିମାଣ ୧୦୦ ବିଲିଅନ ଡଲାରରୁ ଅଧିକ ରହିଥିଲା। ସେହି ରିପୋର୍ଟ ଆସିବାର ପ୍ରାୟ ଦେଢ଼ ବର୍ଷ ପରେ କମ୍ପାନି ଆଉ ଏକ ରିପୋର୍ଟ ଆଣିଛି। ହିଣ୍ଡେନ୍ବର୍ଗ ଏଥର କେବଳ ଆଦାନିକୁ ନୁହେଁ ବରଂ ସେବି ଅଧ୍ୟକ୍ଷଙ୍କୁ ମାମଲା ଭିତରକୁ ଟାଣିଛି। ଏହା ନିବେଶକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତବର୍ଷ ଆଦାନି ଗ୍ରୁପ ଏହାର ପ୍ରମୁଖ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍ର ୨.୫ ବିଲିଅନ ଡଲାର ମୂଲ୍ୟର ଫଲୋ ଅନ୍ ପବ୍ଲିକ ଅଫର ଆଣିବାକୁ ଯିବାର ୨ ଦିନ ପୂର୍ବରୁ ହିଣ୍ଡେନବର୍ଗ ରିପୋର୍ଟ ଆସିଥିଲା। ତେବେ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଅଭିଯୋଗଗୁଡ଼ିକୁ ଆଦାନି ଗ୍ରୁପ ଅସ୍ବୀକାର କରିଥିଲା।
ମାଧବୀ ପୁରୀ ବୁଚ୍ଙ୍କ କ୍ୟାରିୟର
ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ୧୯୬୬ରେ ମୁମ୍ବାଇରେ ଜନ୍ମ ହେବା ସହିତ ପାଠପଢ଼ା ଆରମ୍ଭ କରିଥିଲେ। ଗଣିତ ଏବଂ ଫାଇନାନ୍ସରେ ତାଙ୍କର ଗଭୀର ଜ୍ଞାନ ଥିଲା। ଏଥିସହିତ ସମ୍ମାନଜନକ ଆଇଆଇଏମ୍ ଅହମଦାବାଦରୁ ସେ ଏମ୍ବିଏ ଡିଗ୍ରି ହାସଲ କରିଥିଲେ। ୧୯୮୯ ମସିହାରେ ସେ ଆଇସିଆଇସିଆଇ ବ୍ୟାଙ୍କରେ ବ୍ୟାଙ୍କିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୯ରେ ସେ ଆଇସିଆଇସିଆଇ ସିକ୍ୟୁରିଟିଜ୍ର ପ୍ରଥମ ଏମ୍ଡି ତଥା ସିଇଓ ହୋଇଥିଲେ। ତାଙ୍କ ନେତୃତ୍ବରେ ଏହି ସଂସ୍ଥା ଅନେକ ସଫଳତା ହାସଲ କରିଥିଲା। ଆଇସିଆଇସିଆଇ ଛାଡ଼ି ସେ ସାଂଘାଇସ୍ଥିତ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କରେ ଯୋଗ ଦେଇଥିଲେ। ଏଥିସହିତ ଗ୍ରେଟର ପାସିଫିକ୍ କ୍ୟାପିଟାଲର ସିଙ୍ଗାପୁର କାର୍ଯ୍ୟାଳୟ ଦାୟିତ୍ବ ସମ୍ଭାଳିଥିଲେ। ଏହାପରେ ସେ ଭାରତକୁ ଫେରି ଆଇଡିଆ ସେଲ୍ୟୁଲାର ଠାରୁ ଆରମ୍ଭ କରି ଅନେକ କମ୍ପାନିର ବୋର୍ଡରେ ରହିଥିଲେ। ୨୦୧୭ରେ ସେ ସେବିରେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତି ପାଇଥିଲେ। ୨୦୨୨ରେ ସେ ପ୍ରଥମ ମହିଳା ଭାବେ ସେବିର ଅଧ୍ୟକ୍ଷ ହୋଇଥିଲେ।