ନିବେଶକଙ୍କ ମନ ଜିଣିଲା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆପ୍

ପରିହାସର ଶିକାର ହେଉଥିବା ପିଲାଙ୍କ ସୁରକ୍ଷା ପାଇଁ ବିକଶିତ କରିଛନ୍ତି, ୫୦ ଲକ୍ଷ ଟଙ୍କାର ପାଣ୍ଠି ମିଳିଲା

ଗୁରୁଗ୍ରାମ : ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ୧୩ ବର୍ଷୀୟା ଛାତ୍ରୀ ଅନୁଷ୍କା ଜଲି ବିକଶିତ କରିଥିବା ଏକ ଆପ୍ ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ସୋ’ରେ ବିଚାରପତିମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ସେଥିପାଇଁ ଅନୁଷ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନ ଓ ସମାଜରେ ଉପହାସର ଶିକାର ହେଉଥିବା ପିଲାମାନଙ୍କ ସୁରକ୍ଷା ପାଇଁ ସେ ‘କବଚ’ ନାମକ ଆପ୍ ବିକଶିତ କରିଛନ୍ତି। ସେହି ଆପ୍ ଜରିଆରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପହାସର ଶିକାର, ଲଜ୍ଜିତ, ବିଭିନ୍ନ ଉପାୟରେ ହଇରାଣ ହେବା ଭଳି ମାମଲା ବିଷୟରେ ଶିକ୍ଷାନୁଷ୍ଠାନ ଓ କର୍ତ୍ତୃପକ୍ଷଙ୍କୁ ଅବଗତ କରିପାରୁଛନ୍ତି। ଫଳରେ ସ୍କୁଲ କର୍ତ୍ତୃପକ୍ଷ ଓ କାଉନ୍‌ସେଲର୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସୁଯୋଗ ପାଉଛନ୍ତି।

ଅନୁଷ୍କା ହେଉଛନ୍ତି ଗୁରୁଗ୍ରାମରେ ଥିବା ପାଥ୍‌ଲ୍ୟାବ୍‌ ସ୍କୁଲର ଛାତ୍ରୀ। ତାଙ୍କୁ ୯ ବର୍ଷ ହୋଇଥିବା ବେଳେ ସେ ଏକ ଘଟଣା ଦେଖିଥିଲେ ଯାହା ତାଙ୍କୁ ପ୍ରଭାବିତ କରିଥିଲା। ଜଣେ ବାଳିକା ଯେଉଁଭଳି ଭାବେ ଉପହାସର ଶିକାର ହୋଇଥିଲେ ତାହା ତାଙ୍କ ମନରେ ରହିଯାଇଥିଲା। ସେହି ବାଳିକା ଜଣକ ଅତ୍ୟନ୍ତ ଭୟଭୀତ ଓ ଅସହାୟ ମନେ କରୁଥିଲେ। ସେହି ଘଟଣାଟି ତାଙ୍କ ସ୍କୁଲର ବାର୍ଷିକ ଉତ୍ସବ ସମୟରେ ଘଟିଥିଲା। ତାଙ୍କ କିଛି ସାଙ୍ଗ ମିଳିତ ଭାବେ ଜଣେ ୬ ବର୍ଷୀୟା ଝିଅକୁ ଚିଡ଼ାଇଥିଲେ। ସେହି ଘଟଣା କେତେ ଗମ୍ଭୀର ବୋଲି ସେହିଦିନ ସେ ବୁଝିପାରିଥିଲେ। ଏଭଳି ଘଟଣାକୁ ରୋକିବା ଲାଗି ସେ କବଚ ମୋବାଇଲ୍‌ ଆପ୍ ବିକଶିତ କରିବା ଲାଗି କାମ କରିଥିଲେ। ଅନୁଷ୍କାଙ୍କ ଆପ୍‌ ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ବିଚାରପତିଙ୍କୁ ପ୍ରଭାବିତ କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ‌ସେହି ଆପ୍‌ରେ ୫୦ ଲକ୍ଷ ଟଙ୍କା ନିବେଶ କରିବାକୁ ଆଗେଇ ଆସିଛନ୍ତି। ସାଦି ଡଟ୍‌ କମ୍‌ର ସିଇଓ ଅନୁପମ୍ ମିତ୍ତଲ ଓ ବୋଟ୍‌ର ସହ ପ୍ରତିଷ୍ଠାତା ଅମନ ଗୁପ୍ତା ସେହି ପାଣ୍ଠି ପ୍ରଦାନ କରିବେ। ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ହେଉଛି ଉଦ୍ୟୋଗୀମାନଙ୍କ ପାଇଁ ଏକ ଟିଭି ରିଅଲିଟି ସୋ’। ସେଥି‌ରେ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦ ଓ ସେବାକୁ ନିବେଶକମାନଙ୍କ ସାମ୍ନାରେ ଉପସ୍ଥାପନ କରି ସେମାନଙ୍କ ଠାରୁ ପାଣ୍ଠି ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର