ନୂଆଦିଲ୍ଲୀ: ଅଷ୍ଟମ ବେତନ କମିସନ ଗଠନ ପାଇଁ କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଯଦିଓ ଏହାର ଅଧ୍ୟକ୍ଷ ଓ ସଦସ୍ୟ କିଏ ହେବେ ତାହା ଘୋଷଣା ହୋଇନାହିଁ ତଥାପି ଫିଟ୍ମେଣ୍ଟ୍ ଫ୍ୟାକ୍ଟର କେତେ ରହିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି। କର୍ମଚାରୀ ଓ ପେନସନ୍ଭୋଗୀମାନଙ୍କ ବେତନ ଓ ପେନସନ୍ ସଂଶୋଧନରେ ଏହାର ପ୍ରମୁଖ ଭୂମିକା ରହିଛି। ସର୍ବନିମ୍ନ ଦରମା ଓ ପେନସନ୍ ରାଶି କେତେ ହେବ ତାହା ଏହାଦ୍ବାରା ନିର୍ଦ୍ଧାରଣ ହୋଇଥାଏ।
ନ୍ୟାସନାଲ କାଉନସିଲ୍-ନ୍ୟାସନାଲ କନସଲଟେଟିଭ ମେସିନେରି (କର୍ମଚାରୀ ପାର୍ଶ୍ବ)ର ସଂପାଦକ ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ ଏହି ସଂଖ୍ୟା ସପ୍ତମ ବେତନ କମିସନ ଦ୍ବାରା ଦିଆଯାଇଥିବା ପ୍ରସ୍ତାବିତ ସଂଖ୍ୟା ତୁଳନାରେ ଅଧିକ କିମ୍ବା ସମାନ ହେବା ଆବଶ୍ୟକ। ଏହି ସଂଖ୍ୟା ଅତିକମ୍ରେ ୨.୫୭ କିମ୍ବା ଅଧିକ ହେବା ଉଚିତ। ଅବଶ୍ୟ ଗତବର୍ଷ ସେ ଏହା ୨.୮୬ ରହିବା ନେଇ ମତ ଦେଇଥିଲେ। ଯଦି ଅଷ୍ଟମ ବେତନ କମିସନ ୨.୮୬ ଫିଟମେଣ୍ଟ୍ ଫ୍ୟାକ୍ଟର ନିର୍ଦ୍ଧାରଣ କରେ ତାହେଲେ ସର୍ବନିମ୍ନ ବେତନ ୧୮ ହଜାର ଟଙ୍କାରୁ ୫୧୪୮୦ ଟଙ୍କାକୁ ବୃଦ୍ଧି ପାଇବ। ସେହିଭଳି ସର୍ବନିମ୍ନ ପେନସନ୍ ୯ ହଜାର ଟଙ୍କାରୁ ୩୬ ହଜାର ଟଙ୍କାକୁ ବୃଦ୍ଧି ପାଇବ। ଶ୍ରୀ ମିଶ୍ରାଙ୍କ ପ୍ରଥମ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗ ଏକ ନ୍ୟୁଜ ଚ୍ୟାନେଲକୁ କହିଥିଲେ ଫିଟ୍ମେଣ୍ଟ୍ ଫ୍ୟାକ୍ଟର ୨.୮୬ ଦାବି ଚନ୍ଦ୍ରକୁ ମାଗିବା ଭଳି। ତାଙ୍କ ମତରେ ଫିଟ୍ମେଣ୍ଟ୍ ଫ୍ୟାକ୍ଟର ୧.୯୨ ପାଖାପାଖି ହେବା ଉଚିତ। ଏନ୍ସି-ଜେସିଏମ୍ ପକ୍ଷରୁ ସପ୍ତମ ବେତନ କମିସନରେ ପକ୍ଷ ରଖିଥିବା ଶ୍ରୀ ମିଶ୍ରା ଫିଟ୍ମେଣ୍ଟ୍ ଫ୍ୟାକ୍ଟର ୨.୫୭ରୁ କମ୍ ନହେବା ନେଇ ଆଶା ରଖିଛନ୍ତି। ବର୍ତ୍ତମାନର ମୁଦ୍ରାସ୍ଫୀତି ଆଧାରରେ ସେ ଏହା କହିଛନ୍ତି। ଯଦି ୨.୫୭ ଫିଟ୍ମେଣ୍ଟ୍ ଫ୍ୟାକ୍ଟର ନିର୍ଦ୍ଧାରଣ କରାଯାଏ ତା’ହେଲେ ସର୍ବନିମ୍ନ ବେତନ ୧୮ ହଜାର ଟଙ୍କାରୁ ୪୬,୨୬୦ ଟଙ୍କାକୁ ଏବଂ ସର୍ବନିମ୍ନ ପେନସନ୍ ୯୦୦୦ ଟଙ୍କାରୁ ୨୩୧୩୦ ଟଙ୍କାକୁ ବଢ଼ିଯିବ।
ଦାବି ପଛର ଯୁକ୍ତି?
ଫିଟ୍ମେଣ୍ଟ୍ ଫ୍ୟାକ୍ଟର ୨.୫୭ କରିବା ନେଇ ଦାବି ସଂପର୍କରେ ଶ୍ରୀ ମିଶ୍ରା କୁହନ୍ତି ଯେ ୧୯୫୭ ମସିହାରେ ହୋଇଥିବା ୧୫ତମ ଭାରତୀୟ ଶ୍ରମ ସମ୍ମିଳନୀର ପ୍ରସ୍ତାବ ଏବଂ ସର୍ବନିମ୍ନ ବେତନ ନେଇ ଡ ଆଇକ୍ରୋଡ୍ଙ୍କ ଫର୍ମୁଲା ବିଚାରକୁ ନେଇ ଏହା କରାଯିବ। ତେବେ ଏହି ଉଭୟ ମାନଦଣ୍ଡ ବହୁ ଦଶନ୍ଧିର ପୁରୁଣା। ଏଥିରେ ବର୍ତ୍ତମାନର କର୍ମଚାରୀ ଓ ସେମାନଙ୍କ ପରିବାରର ବାସ୍ତବ ଆବଶ୍ୟକତା ଠିକ୍ଭାବେ ପ୍ରତିଫଳିତ ହୋଇ ନଥାଏ। ଆଇକ୍ରୋଡ୍ଙ୍କ ଫର୍ମୁଲା ବିଂଶ ଶତାବ୍ଦୀର ପୋଷକତତ୍ତ୍ବବିତ୍ ୱାଲସ ଆର୍ ଆଇକ୍ରୋଡଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଛି। ସାଧାରଣ ବ୍ୟକ୍ତି ବ୍ୟବହାର କରୁଥିବା ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ଏହି ଫର୍ମୁଲା ନିର୍ଦ୍ଧାରଣ ହୋଇଛି।
ଏହି ଫର୍ମୁଲା ଆଧାରରେ ସପ୍ତମ ବେତନ ଆୟୋଗ ଫିଟମେଣ୍ଟ୍ ଫ୍ୟାକ୍ଟର ୨.୫୭ରେ ଧାର୍ଯ୍ୟ କରିଥିଲା। ଏଥିଯୋଗୁ ୨୦୧୬ରେ ସର୍ବନିମ୍ନ ବେତନ ୭ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବଢ଼ିଯାଇଥିଲା। ଶ୍ରୀ ମିଶ୍ରାଙ୍କ କହିବାନୁଯାୟୀ, ବର୍ତ୍ତମାନ ସବୁକିଛି ଡିଜିଟାଲ ହୋଇଯାଇଛି। ଆଇକ୍ରୋଡ୍ ଫର୍ମୁଲାରେ ଇଣ୍ଟରନେଟ୍ ଖର୍ଚ୍ଚକୁ ସାମିଲ କରାଯାଇ ନାହିଁ। ସପ୍ତମ ବେତନ ଆୟୋଗର ଫିଟମେଣ୍ଟ୍ ଫ୍ୟାକ୍ଟର ୧୫ତମ ଭାରତୀୟ ଶ୍ରମ ସମ୍ମିଳନୀର ପ୍ରସ୍ତାବ ଏବଂ ଆଇକ୍ରୋଡ ଫର୍ମୁଲାକୁ ଭିତ୍ତିକରି ନିର୍ଦ୍ଧାରଣ ହୋଇଥିଲା। ତେଣୁ ଅଷ୍ଟମ ବେତନ କମିସନରେ ଯଦି ଫିଟମେଣ୍ଟ୍ ଫ୍ୟାକ୍ଟର ବୃଦ୍ଧି ନହୁଏ ତା’ହେଲେ ସପ୍ତମ ବେତନ କମିସନ ଅନୁଯାୟୀ ତାହା ୨.୫୭ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।