ମୁମ୍ବାଇ: ଦରଦାମ୍‌ ବିରୋଧ ଲଢ଼େଇରେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତକୁ ଉନ୍ନତ ସ୍ଥିତିରେ ରଖିଥିବା ଯୋଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଲ୍‌-ନିନୋ ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି କୁହାଯାଉଛି। କିନ୍ତୁ ଏଲ୍‌-ନିନୋ ପ୍ରଭାବର ଆଶଙ୍କା ମଧ୍ୟ ରହିଛି। ଜଳବାୟୁରେ ଏଲ୍‌-ନିନୋ ପ୍ରଭାବ ରହିଲେ ବାୟୁମଣ୍ଡଳ ଉତ୍ତପ୍ତ ହୁଏ, ଫଳରେ ସ୍ବାଭାବିକ ବର୍ଷା ହୋଇପାରେ ନାହିଁ ଯାହା ଚାଷ କାମକୁ ପ୍ରଭାବିତ କରିଥାଏ। ଚାଷ ଭଲ ନହେଲେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ପାଏ ଯାହା ସାମଗ୍ରିକ ଭାବେ ଅର୍ଥନୀତିର ଗତିକୁ ରୋକିଥାଏ। ଖାଦ୍ୟ ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତ ମଧ୍ୟରେ ରଖିବାକୁ ସଂକଳ୍ପ ନେଇଥିବା ଶକ୍ତିକାନ୍ତ କହିଛନ୍ତି ଯେ ଯଦି ଜଳବାୟୁରେ ଏଲ୍‌-ନିନୋ ପ୍ରଭାବ ରହିବ ତାହା ଏକ ବଡ଼ ଆହ୍ବାନ। ତାହା କେତେ ଗମ୍ଭୀର ହେବ ସେ ଉପରେ ଆମର ନଜର ରହିବ।

Advertisment

ଏହା ବ୍ୟତୀତ ଅନ୍ୟାନ୍ୟ ପାଣିପାଗ ଘଟଣା ରହିଛି ଯାହା ଖାଦ୍ୟ ସାମଗ୍ରୀ ଦାମ୍‌କୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ସେ ବିଶ୍ବାସ ପ୍ରକଟ କରିଛନ୍ତି। ଦରଦାମ୍ ସମ୍ପର୍କରେ ସେ କହିଛନ୍ତି‌ ଯେ ରୁଷ୍‌-ୟୁ‌କ୍ରେନ ଯୁଦ୍ଧ ଉପରେ ବିଭିନ୍ନ ସାମଗ୍ରୀ ହଠାତ ମହଙ୍ଗା ହୋଇଯାଇଥିଲା। ଗତବର୍ଷ ମେ’ ପରଠାରୁ ରିଜର୍ଭ ବ୍ୟାଙ୍କ ଲଗାତାର ଭାବେ ସୁଧରେ ୨.୫ ପ୍ରତିଶତ ବୃଦ୍ଧି କରିବା ପରେ ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ମେ’ରେ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି। ଗତବର୍ଷ ଏପ୍ରିଲ୍‌ରେ ତାହା ୭.୮ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ରିଜର୍ଭ ବ୍ୟାଙ୍କ ଓ ସରକାର ମିଳିତ ଭାବେ ଗ୍ରହଣ କରିଥିବା ପଦକ୍ଷେପ ଦରଦାମ୍ କମାଇବା‌ରେ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି।

ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୭-୭୮ ଡଲାର ପାଖାପାଖି ଥିବାରୁ ଦରଦାମ ଦୃଷ୍ଟିରୁ ତାହା ଚିନ୍ତାର କାରଣ ନୁହେଁ ବୋଲି ଶକ୍ତିକାନ୍ତ କହିଛନ୍ତି। ବ୍ୟାଙ୍କ ଋଣରେ ୧୬ ପ୍ରତିଶତ ଭଳି ବୃଦ୍ଧି ହେଉଛି। କର୍ପୋରେଟ୍ ଓ ପ୍ରକଳ୍ପ ଋଣର ଚାହିଦା ରହିଥିବାରୁ ମୋଟ ଉପରେ ଋଣ ଅଭିବୃଦ୍ଧି ଠିକ୍‌ଠାକ୍ ଥିବା ସେ କହିଛନ୍ତି। ଅମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଘଟି ଏବେ ଏକପ୍ରକାର ସ୍ଥିର ହୋଇଛି। ଯଦି ଆମେରିକାର ଫେଡେରାଲ୍ ରିଜର୍ଭ ସୁଧରେ ପୁଣି ବୃଦ୍ଧି କରିବେ ତେବେ ମଧ୍ୟ ଟଙ୍କା ମୂଲ୍ୟ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି।

ଦୁଇ ତୃତୀୟାଂଶ ୨୦୦୦ ଟଙ୍କିଆ ଫେରିଆସିଲାଣି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମାସକ ଭିତରେ ପ୍ରାୟ ଦୁଇ ତୃତୀୟାଂଶ ୨୦୦୦ ଟଙ୍କିଆ ବ୍ୟାଙ୍କକୁ ଫେରିଆସିଛି। ମେ’ ୧୯ରେ ୨୦୦୦ ଟଙ୍କିଆ ପ୍ରତ୍ୟାହାର ଘୋଷଣା ବେଳେ ବଜାରରେ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା। ସେଥିରୁ ୨.୪୧ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ବ୍ୟାଙ୍କକୁ ଫେରିଆସିଲାଣି। ଫେରିଥିବା ନୋଟ୍‌ରୁ ୮୫ ପ୍ରତିଶତ ଖାତାରେ ଜମା କରାଯାଇଥିବା ବେଳେ ଅବଶିଷ୍ଟ ନୋଟ୍‌ଗୁଡ଼ିକୁ ଲୋକମାନେ ବଦଳାଇ ଅନ୍ୟ ନୋଟ୍ ନେଇଛନ୍ତି। ୨୦୦୦ ଟଙ୍କିଆ ପ୍ରତ୍ୟାହାର ନିଷ୍ପତ୍ତିର ଅର୍ଥନୀତି ଉପରେ କୌଣସି ଖରାପ ପ୍ରଭାବ ପଡ଼ିନାହିଁ ବୋଲି ସେ କହିଛନ୍ତି। ତେବେ ଏହି ନୋଟ୍ ଜରିଆରେ ବ୍ୟାପକ କିଣାକିଣି ହେଉଥିବା ସମ୍ପର୍କରେ ସେ କିଛି କହିନାହାନ୍ତି।