ନିର୍ବାଚନ ଫଳାଫଳ:ହୃଦସ୍ପନ୍ଦନ ବଢ଼ାଇଦେଲା ସେନ୍‌ସେକ୍ସ

• ସକାଳ ପ୍ରହରରେ ଘୋର ଅସ୍ଥିରତା• ୮୦୦ ପଏଣ୍ଟ ଖସିବା ପରେ ପୁଣି ବଢ଼ିଲା

ମୁମ୍ବାଇ: ନିର୍ବାଚନ ଫଳାଫଳ ସହିତ ସେନ୍‌ସେକ୍‌ସର କିଭଳି ଗଭୀର ସମ୍ପର୍କ ରହିଛି ତାହା ଆଜି ବମ୍ବେ ଷ୍ଟକ ବଜାର କାରବାରରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା। ଗୁଜରାଟରେ ବିଜେପି କାଳେ ପରାଜୟ ବରଣ କରିବ ସେହି ଭୟରେ ନିବେଶକମାନେ ବିପୁଳ ପରିମାଣର ସେୟାର ବିକି ଦେଇଥିଲେ। ସକାଳ ପ୍ରହରରେ ଗୁଜରାଟରେ ବିଜେପିର ସ୍ଥିତିକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନଥିଲା। ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେବାରୁ ସେନ୍‌ସେକ୍‌ସ ୮୦୦ ପଏଣ୍ଟ ତଳକୁ ଖସିଯାଇଥିଲା।

ଏହା ନିବେଶକମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ ଥିଲା। କିନ୍ତୁ ସମୟ ଗଡ଼ିବା ସହିତ ବିଜେପି ଜିତିବାର ସ୍ଥିତି ଯେତିକି ସ୍ପଷ୍ଟ ହେଉଥିଲା ସେନ୍‌ସେକ୍‌ସରେ ସେତିକି ସୁଧାର ହୋଇଚାଲିଲା। କାରବାର ଶେଷ ବେଳକୁ ସେନ୍‌ସେକ୍‌ସ ଗତକାଲି ତୁଳନାରେ ୧୩୯ ପଏଣ୍ଟର ବୃଦ୍ଧି ସହିତ ବନ୍ଦ ହୋଇଥିଲା। ଦିନର ପ୍ରଥମାର୍ଧରେ ଯେଉଁଭଳି ଅସ୍ଥିରତା ଦେଖିବାକୁ ମିଳିଥିଲା ତାହାକୁ ନେଇ ନିବେଶକମାନେ ବହୁତ ଚିନ୍ତିତ ହୋଇପଡ଼ିଥିଲେ।
ଆଜି ସେନ୍‌ସେକ୍ସ ୧୩୯ ପଏଣ୍ଟ ବୃଦ୍ଧି ସହିତ ୩୩,୬୦୧ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ମଧ୍ୟ ୫୫ ପଏଣ୍ଟ ବୃଦ୍ଧି ସହ ୧୦,୩୮୮ ପଏଣ୍ଟରେ ବନ୍ଦ ହୋଇଛି। ଆଜି କାରବାର ବେଳେ ନିଫ୍ଟି ମଧ୍ୟ ଏକ ସମୟରେ ୪୦୦ ପଏଣ୍ଟ ତଳକୁ ଖସିଯାଇଥିଲା। ବ୍ୟାଙ୍କର ସେୟାର ମୂଲ୍ୟରେ ଭଲ ବୃଦ୍ଧି ହୋଇଛି। ପିଏନ୍‌ବି, ସିଣ୍ଡିକେଟ୍‌ ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦାର ସେୟାର ମୂଲ୍ୟ ବଢ଼ିଛି। ଜିନ୍ଦଲ, ବେଦାନ୍ତ, ହିଣ୍ଡାଲ୍‌କୋ ଭଳି ଖଣିଜ କଂପାନି ଏବଂ ସିପ୍‌ଲା, ସନ୍‌ ଫାର୍ମା ଓ ଜିଏସ୍‌କେ ଭଳି ଫାର୍ମା କଂପାନିର ସେୟାର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖାଦେଇଛି।

ସମ୍ବନ୍ଧିତ ଖବର