ମୁମ୍ବାଇ: ଦେଶରେ ଏବେ ଲୋକସଭା ସମେତ ୪ଟି ରାଜ୍ୟର ବିଧାନସଭା ଏବଂ କେତେକ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଚାଲିଛି। ଦୀର୍ଘ ୪୪ ଦିନ ଧରି ଚାଲିବାକୁ ଥିବା ଏହି ନିର୍ବାଚନ ଗାଁରେ ଲୋକମାନଙ୍କ ପାଇଁ ଅଧିକ ରୋଜଗାରର ସୁଯୋଗ ଆଣିଛି। ଫଳରେ ଦେଶର ବିଭିନ୍ନ ସହରରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଗାଁକୁ ପଳାଇ ଆସିଛନ୍ତି। ଗାଁରେ ଅଧିକ ରୋଜଗାର କରୁଥିବାରୁ ସେମାନେ ଏବେ ସହରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଦେଶର ବଡ଼ ବଡ଼ ସହରରେ ଏବେ ଶ୍ରମିକଙ୍କ ଅଭାବ ଦେଖିବାକୁ ମିଳିଛି। ଘରକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନେ ରାଜନୈତିକ କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ପାଉଛନ୍ତି। ଆଉ ଏଥିରୁ ଅଧିକ ରୋଜଗାର କରି ପାରୁଛନ୍ତି। ନିର୍ବାଚନ ରାଲି ଠାରୁ ଆରମ୍ଭ କରି ଘରେ ଘରେ ବୁଲି ଲିଫଲେଟ୍ ବାଣ୍ଟିବା ସହିତ ଗାଡ଼ି, ଖାଦ୍ୟ ଯୋଗାଣ ଏବଂ କ୍ୟାଟରିଂ, ଟେଣ୍ଟ ଓ ପତାକା ଆଦି ବାନ୍ଧିବା କାର୍ଯ୍ୟ ସେମାନଙ୍କୁ ସହଜରେ ମିଳିଯାଉଛି।
ପୂର୍ବରୁ ମୁମ୍ବାଇର ସହରତଳି ଅଞ୍ଚଳରେ ଡିମାର୍ଟର ଷ୍ଟୋରରେ କାର୍ଯ୍ୟ କରି ମାସିକ ୧୪ ହଜାର ଟଙ୍କା ରୋଜଗାର କରୁଥିବା ଉତ୍ତରପ୍ରଦେଶ ପ୍ରତାପଗଡ଼ର ଅଜୟ ସିଂହ ଏବେ ନିଜ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟରେ ନିୟୋଜିତ ହୋଇ ଦିନକୁ ୮୦୦ରୁ ୧୦୦୦ ଟଙ୍କା ରୋଜଗାର କରୁଛନ୍ତି। ଶ୍ରୀ ସିଂହଙ୍କ କହିବାନୁଯାୟୀ କେବଳ ରାଜନୈତିକ ରାଲିକୁ ଯାଇ ସେ ମାସକୁ ପ୍ରାୟ ୨୦ ହଜାରରୁ ୨୪ ହଜାର ଟଙ୍କା ରୋଜଗାର କରୁଛନ୍ତି। ସବୁ ରାଜନୈତିକ ଦଳ ସଭା ସମିତି ଏବଂ ରାଲିରେ ଅଧିକ ଲୋକ ରୁଣ୍ଡ କରିବାକୁ ଚାହୁଛନ୍ତି। ତେଣୁ ସେ ବିଜେପି, କଂଗ୍ରେସ, ସପା ଓ ବସପା ଭଳି ରାଜନୈତିକ ଦଳଗୁଡ଼ିକର ରାଲିରେ ଯୋଗ ଦେଇ ଅର୍ଥ ରୋଜଗାର କରୁଛନ୍ତି। ନିର୍ବାଚନ ଶେଷ ନହେବା ପର୍ଯନ୍ତ ସେ ମୁମ୍ବାଇକୁ ଫେରିବା ନେଇ ଯୋଜନା କରିନାହାନ୍ତି ବୋଲି କୁହନ୍ତି। କେବଳ ସେତିକି ନୁହେଁ ଗାଁରେ ସେମାନେ ଯେତିକି ରୋଜଗାର କରୁଛନ୍ତି ସେଥିରୁ ଅଧିକ ଅର୍ଥ ସଞ୍ଚୟ କରିବାକୁ ସମର୍ଥ ହେଉଛନ୍ତି। କାରଣ ଘର ଭଡ଼ା କିମ୍ବା ଅଟୋ, ବସ, ଟ୍ରେନରେ ଯାତାୟାତ ବାବଦରେ କିଛି ଅର୍ଥ ଖର୍ଚ୍ଚ କରିବାକୁ ସେମାନଙ୍କୁ ପଡ଼ୁନାହିଁ। ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରୁ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଆସି ମୁମ୍ବାଇ ସମେତ ଦେଶର ବିଭିନ୍ନ ସହରରେ କାର୍ଯ୍ୟ କରିଥାନ୍ତି। ଆଉ ଏହି ୩ଟି ରାଜ୍ୟରେ ଲୋକସଭା ନିର୍ବାଚନ ଦୀର୍ଘ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଏପ୍ରିଲ ୧୯ରୁ ଆରମ୍ଭ ହୋଇଥିବା ଲୋକସଭା ନିର୍ବାଚନ ଜୁନ ୧ ତାରିଖରେ ଶେଷ ହେବ।
ଗାଁକୁ ଆସିଥିବା ପ୍ରବାସୀ ଶ୍ରମିକମାନେ ସହରକୁ ଫେରୁ ନଥିବା କାରଣରୁ ସହରରେ ଶ୍ରମିକଙ୍କ ଗୁରୁତର ସଂକଟ ଦେଖାଦେଇଛି। ବିଶେଷକରି ପ୍ରବାସୀ ଶ୍ରମିକଙ୍କ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ଥିବା ରାଜ୍ୟ ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୂର୍ବରୁ ସହରରେ ପ୍ରବାସୀ ଶ୍ରମିକଭାବେ ମାସକୁ ୧୫ରୁ ୧୬ ହଜାର ଟଙ୍କା ରୋଜଗାର କରୁଥିବାବେଳେ ଗାଁରେ ଏବେ ତାହା ୨୨ରୁ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି। ଅନ୍ୟପକ୍ଷରେ ବଡ଼ ବଡ଼ ସହରରେ କମ୍ପାନି ଏବଂ ଶ୍ରମିକ ଯୋଗାଣକାରୀ ସଂସ୍ଥାଗୁଡ଼ିକ ଶ୍ରମିକଙ୍କ ଅନୁସନ୍ଧାନରେ ଲାଗି ପଡ଼ିଛନ୍ତି। ଶିଳ୍ପାଞ୍ଚଳର ବସ୍ ଷ୍ଟାଣ୍ଡ୍ଗୁଡ଼ିକରେ ଶ୍ରମିକଙ୍କୁ ଆକୃଷ୍ଟ କରିବା ପାଇଁ ପରାମର୍ଶ କେନ୍ଦ୍ର ସ୍ଥାପନ କରିଛନ୍ତି। ଏଲ୍ ଆଣ୍ଡ୍ ଟି କମ୍ପାନି ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟର ଶ୍ରମିକଙ୍କୁ ପୁନର୍ବାର ଫେରାଇ ଆଣିବା ଲାଗି ସେଠାକୁ କର୍ମଚାରୀମାନଙ୍କୁ ପଠାଇଥିବା କୁହାଯାଉଛି। ଅନ୍ୟ କେତେକ କମ୍ପାନି ଅନଲାଇନରେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଯୋଜନା ଚଳାଇଛନ୍ତି।