ଇଲେକ୍ଟ୍ରିକ୍‌ ଗାଡ଼ିରେ ନିଆଁ: କଠୋର ହେଲେ ସରକାର, ତ୍ରୁଟି ଥିବା ଗାଡ଼ି ତୁରନ୍ତ ରିକଲ୍ କରିବାକୁ ନିର୍ଦେଶ

ମୋଟା ଅଙ୍କର ଜରିମାନା ଲାଗିବ

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିବା ଘଟଣା ବାରମ୍ବାର ଘଟିବା ପରେ ଏଭଳି ଗାଡ଼ି ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ପ୍ରତି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେମାନଙ୍କୁ କଠୋର ବାର୍ତା ଦେଇ ‌କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ କଂପାନି ତରଫରୁ କିଛି ଅବହେଳା ଥିବା ପ୍ରମାଣ ମିଳିଲେ ମୋଟା ଅଙ୍କର ଜରିମାନା ଲଗାଯିବ। ତ୍ରୁଟି ଥିବା ଗାଡ଼ି ସ୍ବେଚ୍ଛାକୃତ ଭାବେ ରିକଲ୍‌ (ଫେରାଇ ଆଣିବା) କରିବାକୁ କଂପାନିଗୁଡ଼ିକୁ ସେ ନିର୍ଦେଶ ଦେଇଛନ୍ତି।

ଟୁଇଟ୍‌ କରି ଗଡ଼କରୀ ଜଣାଇଛନ୍ତି ଯେ ଗତ ଦୁଇ ମାସରେ ଇଲେକ୍ଟ୍ରିକ୍ ଗାଡ଼ିକୁ ନେଇ ଘଟିଥିବା ବହୁ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହ‌ା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ କିଛି ଲୋକଙ୍କ ଜୀବନହାନି ହୋଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ‌ସେହି ଘଟଣାଗୁଡ଼ିକର ତଦନ୍ତ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ଯାହା ପ୍ରତିଷେଧମୂଳକ ପଦକ୍ଷେପ ଲାଗି ସୁପାରିସ କରିବ। କମିଟିର ରିପୋର୍ଟ ଆଧାରରେ ଖିଲାପ କରୁଥିବା ସଂସ୍ଥାଗୁଡ଼ିକ ବି‌ରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ କୌଣସି କଂପାନିର ପ୍ରକ୍ରିୟାରେ ଯଦି ଅବହେଳା ହୋଇଥିବା ଜଣାପଡ଼ିବ ତେବେ ତାହା ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ ଏବଂ ସବୁ ତ୍ରୁଟି ଥିବା ଗାଡ଼ି ରିକଲ୍ କରିବା ଲାଗି ନିର୍ଦେଶ ଦିଆଯିବ। ଯେଉଁ ଗାଡ଼ିରେ ତ୍ରୁଟି ରହିଛି ତାହାକୁ ତୁରନ୍ତ ଫେରାଇ ଆଣିବା ଲାଗି କଂପାନିଗୁଡ଼ିକ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆମ ସରକାର ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ଚଳିତ ମାସରେ ଓଲାର ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଥିବାର ଭିଡିଓ ଅନଲାଇନ୍‌ରେ ପ୍ରସାର ହୋଇଥିଲା। ତାହାକୁ ନଜରରେ ରଖି ସରକାର ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ୟୁର ଇଭି ନାମକ ଏକ ସଂସ୍ଥାର ଗାଡ଼ିରେ ମଧ୍ୟ ନିଆଁ ଲାଗିଥିଲା। ଓକିନାୱା ଅଟୋଟେକ୍ ପ୍ରାଇଭେଟ୍‌ର ଏକ ବାଇକ୍‌ରେ ନିଆଁ ଲାଗିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। କଂପାନିଗୁଡ଼ିକ କହିଛନ୍ତି ଯେ ସେମାନେ ଘଟଣାର ତଦନ୍ତ କରୁଛନ୍ତି। ବର୍ତ୍ତମାନ ଦେଶରେ ବିକ୍ରି ହେଉଥିବା ମୋଟ ଗାଡ଼ି ମଧ୍ୟରୁ ୨ ପ୍ରତିଶତ ହେଉଛି ଇଲେକ୍ଟ୍ରିକ୍ ଗାଡ଼ି। ଏହି ମାତ୍ରାକୁ ସରକାର ୨୦୩୦ ସୁଦ୍ଧା ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଛନ୍ତି। ସ୍ଥାନୀୟ ଭାବେ ନିର୍ମାଣ କରାଯାଉଥିବା ଇଲେକ୍ଟ୍ରିକ୍ ଯାନ ପାଇଁ ସରକାର ମୋଟା ଅଙ୍କର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି।

ଗାଡ଼ି ବ୍ୟାଟେରି ଫାଟିଲା, ଜଣେ ମୃତ
ହାଇଦ୍ରାବାଦ: ଏକ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟାଟେରିକୁ ଘର ଭିତରେ ଚାର୍ଜରେ ବସାଇଥିବା ବେଳେ ତାହା ଫାଟିଯିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ପ୍ୟୁର ଇଭି ନାମକ କଂପାନିର ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରିକୁ ଘର ଭିତରେ ଚାର୍ଜରେ ବସାଯାଇଥିଲା। ତାହା ଫାଟିଯିବାରୁ ସେଥିରେ ପୋଡ଼ି ହୋଇ ରାମସ୍ବାମୀ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ପୁଅ ପ୍ରକାଶ, ପତ୍ନୀ କମଳାମା ଓ ବହୂ କ୍ରିଷ୍ଣାବେନି ଆହତ ହୋଇଛନ୍ତି। ପ୍ରକାଶ ସେହି ଗାଡ଼ିକୁ ଏକ ବର୍ଷ ହେଲାଣି ବ୍ୟବହାର କରୁଥିଲେ। ଏହି ଘଟଣାରେ ପୁଲିସ ପକ୍ଷରୁ କଂପାନି ନାମରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର