ବଢିବ ଉତ୍ପାଦନ, କମିବ ମୂଲ୍ୟ: ପେଟ୍ରୋଲ-ଡିଜେଲ ଗାଡି ସହ ମୁକାବିଲା କରିବ ବିଦ୍ୟୁତ୍ ଚାଳିତ ଯାନ

ନୂଆଦିଲ୍ଲୀ: ଆସନ୍ତା କିଛି ବର୍ଷ ମଧ୍ୟରେ ବିଦ୍ୟୁତ୍ ଚାଳିତ ଯାନର ମୂଲ୍ୟ କମିବ । ପେଟ୍ରୋଲ-ଡିଜେଲ ଚାଳିତ ଯାନ ସହ ସମକକ୍ଷ ହେବ ବିଦ୍ୟୁତ୍ ଚାଳିତ କାର ଏବଂ ବାଇକ୍ । ଏକଥା ଆମେ କହୁନାହୁଁ, ଏକଥା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ କହିଛନ୍ତି ।

ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟୁତ୍ ଚାଳିତ ଯାନକୁ ନେଇ ବଡ ଘୋଷଣା କଥା କହିଛନ୍ତି ନିତିନ୍ ଗଡକରୀ । ସେ କହିଛନ୍ତି, ଦେଶରେ ବିଦ୍ୟୁତ୍ ଚାଳିତ ଯାନର କମ୍ ଉତ୍ପାଦନ ପାଇଁ ଏହାର ମୂଲ୍ୟ ଅଧିକ ରହିଛି । କିନ୍ତୁ ଆଗକୁ ଏଥିରେ ପରିବର୍ତ୍ତନ ଆସିବ । ପାଖାପାଖି ୨୫୦ ଷ୍ଟାଟ୍ଅପ କମ୍ପାନି ବିଦ୍ୟୁତ୍ ଚାଳିତ ଯାନ ତିଆରି ଉପରେ ଲଗାତାର କାମ କରୁଛନ୍ତି । ସେହିପରି ଅନେକ ବଡ ବଡ ଅଟୋମୋବାଇଲ କମ୍ପାନି ଏହି ଦୌଡ଼ରେ ସାମିଲ ହୋଇଛନ୍ତି । ଏଭଳି ହେଲେ ପ୍ରତିଯୋଗିତା ବୃଦ୍ଧିପାଇବା ସହ ବିଦ୍ୟୁତ୍ ଚାଳିତ ଯାନର ମୂଲ୍ୟ ତଳକୁ ଖସିବ ।

ଏହାସହିତ ନିତିନ ଗଡକରୀ କହିଛନ୍ତି, ଆସନ୍ତା ୫ବର୍ଷ ମଧ୍ୟରେ ସରକାର ୬ଶହରୁ ଅଧିକ ସ୍ଥାନରେ ଚାର୍ଜି ଷ୍ଟେସନ କରିବାକୁ ଯାଉଛନ୍ତି । ଏହାଦ୍ୱାରା ବିଦ୍ୟୁତ୍ ଚାଳିତ ଯାନକୁ ଚାର୍ଜ କରିବା ସହଜ ହେବ । ତେବେ ଏହି କାର୍ଯ୍ୟକ୍ରମରେ ଇ-ଯାନ ଉପରେ କହିବା ସହ ଲୋକଙ୍କୁ ଏକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ସେ ପଚାରିଛନ୍ତି, ପରିବେଶକୁ ପ୍ରଦୂଷଣ କରୁଥିବା ଯାନ ବଦଳରେ ଯଦି ଆପଣମାନଙ୍କୁ କମ୍ ମେଣ୍ଟେନାନ୍ସ ଏବଂ ପ୍ରଦୂଷଣ ମୁକ୍ତ କାର-ବାଇକ୍ ଦିଆଯିବ ତେବେ ଆପଣମାନେ କଣ କରିବେ?

ସମ୍ବନ୍ଧିତ ଖବର