ଚୀନ୍‌ରେ ବିଦ୍ୟୁତ ସଙ୍କଟ: ଅନ୍ଧାରରେ ଅନେକ ପ୍ରଦେଶ, ଟ୍ରାଫିକ୍‌ ଲାଇଟ୍‌ ବନ୍ଦ, କାରଖାନାରେ ଉତ୍ପାଦନ ଠପ୍

ବେଜିଂ: ଚୀନ୍‌ରେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଅନେକ ପ୍ରଦେଶ ଅନ୍ଧାରରେ ରହିଛି। ଚୀନ୍‌ର ଉତ୍ତର ଭାଗରେ ଥିବା ଅନେକ ପ୍ରଦେଶରେ ବିଦ୍ୟୁତ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। କିଛି ଦିନ ଭିତରେ ବିଦ୍ୟୁତ ସଙ୍କଟର ପ୍ରଭାବ କଳ କାରଖାନା ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଏଭଳିକି ଲୋକମାନଙ୍କ ଘରେ ପଡ଼ିବା ଆରମ୍ଭ ହୋଇଛି। ଲୋକମାନଙ୍କୁ ଏସି କମ୍ ବ୍ୟବହାର କରିବା ଲାଗି କୁହାଯାଇଛି। ଗୁଆଙ୍ଗଡଙ୍ଗ ନାମକ ଏକ ପ୍ରମୁଖ ସହରରେ ଟ୍ରାଫିକ୍ ଲାଇଟ୍‌କୁ ବନ୍ଦ କରିଦିଆଯାଇଥିବାରୁ ସେଠାରେ ରାସ୍ତା ଅସମ୍ଭାଳ ବିଭ୍ରାଟ ଦେଖାଦେଇଛି। ଏହି ସହରର ଅର୍ଥନୀତି ଅଷ୍ଟ୍ରେଲିଆର ଠାରୁ ବଡ଼ ଏବଂ ଏକ ପ୍ରମୁଖ ଶିଳ୍ପ ହବ୍। ଲୋକମାନଙ୍କୁ ପ୍ରାକୃତିକ ଆଲୋକ ବ୍ୟବହାର କରିବା ଏବଂ ଏୟାର କଣ୍ଡିସନର ବ୍ୟବହାରକୁ ସୀମିତ ରଖିବା ଲାଗି ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ନିବେଦନ କରିଛନ୍ତି।

ଅନେକ କାରଖାନାରୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଥିବାରୁ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହୋଇଛି, ଯାହାର ପ୍ରଭାବ ସାରା ବିଶ୍ବରେ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି। ଚୀନ୍‌ରେ ଦୁଇ ପ୍ରକାର ବିଦ୍ୟୁତ ସଙ୍କଟ ଦେଖାଦେଇଛି। କିଛି ପ୍ରଦେଶରେ ପ୍ରଦୂଷଣ କମ୍ କରିବା ଲାଗି ବିଦ୍ୟୁତ ବ୍ୟବହାର କମାଇବାକୁ ବଡ଼ ବଡ଼ କାରଖାନାଗୁଡ଼ିକୁ କୁହାଯାଇଛି। କୋଇଲା ଓ ପ୍ରାକୃତିକ ଗ୍ୟାସ୍‌ ଦାମ୍ ବଢ଼ିଥିବାରୁ ଆଉ କିଛି ପ୍ରଦେଶରେ ବାସ୍ତବ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଚୀନ୍‌ର ଉତ୍ତର ଭାଗରେ ଥିବା ଲିଆନିଙ୍ଗ, ଜିଲିନ୍ ଓ ହେଲଙ୍ଗଜିଆଙ୍ଗ ପ୍ରଦେଶରେ ଏକ ସପ୍ତାହ ଧରି ବିଦ୍ୟୁତ ସଙ୍କଟ ଜାରି ରହିଛି। ଏହି ବିଦ୍ୟୁତ ସଙ୍କଟ ଚୀନ୍‌ର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ପ୍ରଭାବରେ ଚୀନ୍‌ର ଅଭିବୃଦ୍ଧି ୦.୧%ରୁ ୦.୫% ପର୍ଯ୍ୟନ୍ତ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଜାପାନର ସଂସ୍ଥା ନୁମୋରା ପକ୍ଷରୁ ଚୀନ୍‌ର ଅଭିବୃଦ୍ଧି ଆକଳନକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହା କହିଥିଲା ଚୀନ୍‌ର ଅଭିବୃଦ୍ଧି ୮.୨% ହେବ। ଏବେ କିନ୍ତୁ ତାହାକୁ ୭.୭%କୁ ଖସାଇ ଦେଇଛି। ବିଦ୍ୟୁତ ସଙ୍କଟକୁ ବିଚାରକୁ ନେଇ ନୁମୋରା ନିଜର ଆକଳନ ବଦଳାଇଛି।

ସମ୍ବନ୍ଧିତ ଖବର