ନୂଆଦିଲ୍ଲୀ: କୋଇଲାର ଘୋର ଅଭାବ ମଧ୍ୟରେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ମାଡ଼ି ଆସୁଥିବା ଆଶଙ୍କା ରହିଥିବା ବେଳେ ଆଜି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହଙ୍କୁ ଗୃହ ମନ୍ତ୍ରୀ ଅମିତ ଶାହ ଭେଟିଛନ୍ତି। ତିନି ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ପାୱାର ପ୍ଲାଣ୍ଟ୍‌ଗୁଡ଼ିକରେ କେତେ କୋଇଲା ଅଛି ଓ ଦେଶରେ ଏବେ ବିଦ୍ୟୁତ ଚାହିଦାର ସ୍ଥିତି କ’ଣ ତାହା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଏନ୍‌ଟିପିସିର ବରିଷ୍ଠ ଅଧିକାରୀ ଏବଂ କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ପ୍ରଶାସକମାନେ ମଧ୍ୟ ଉପସ୍ଥିତ ଥିଲେ। କୋଇଲା ଅଭାବ ଉତ୍କଟ ସ୍ତରରେ ପହଞ୍ଚିଥିବାରୁ ଅନେକ ରାଜ୍ୟରେ ବ୍ଲାକ୍‌ ଆଉଟ୍‌ (ବିଦ୍ୟୁତ କାଟ ଜନିତ ଅନ୍ଧାର) ହେବା ଆଶଙ୍କା ସୃଷ୍ଟି ହୋଇଛି।

Advertisment

ଗତକାଲି ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ ‌ଦେଶବାସୀଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ ଭୟ କରିବାର କୌଣସି କାରଣ ନାହିଁ। ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେବନାହିଁ। ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ ଚାରି ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ରହିଛି। ଆଗୁଆ ସତର୍କ ସୂଚନା ଦେଇ ଲୋକଙ୍କୁ ଭୟଭୀତ କରୁଥିବା ଟାଟା ପାୱାର୍‌ ଓ ଗେଲ୍‌କୁ ସେ ସମାଲୋଚନା ମଧ୍ୟ କରିଥିଲେ। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟର ବିଦ୍ୟୁତ ବଣ୍ଟନକାରୀ କଂପାନି (ଡିସ୍‌କମ୍‌)ଗୁଡ଼ିକ ବିଦ୍ୟୁତର ଘୋର ଅଭାବ ଦେଖାଦେବାର ଆଶଙ୍କା ରହିଛି ବୋଲି ଗ୍ରାହକଙ୍କୁ ସୂଚନା ଦେଉଛନ୍ତି। ଅଘୋଷିତ ବିଦ୍ୟୁତ କାଟର ଆଶଙ୍କା ରହିଛି ବୋଲି ସେମାନେ କହୁଛନ୍ତି। ଆସାମର ଡିସ୍‌କମ୍ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ କରିବାକୁ ପଡ଼ିପାରେ ବୋଲି ଆଜି କହିଛି।

ଗତକାଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ ୭୨ ଲକ୍ଷ ଟନ୍ କୋଇଲା ଗଚ୍ଛିତ ରହିଛି। ଏହାବାଦ କୋଲ୍ ଇଣ୍ଡିଆ ପାଖରେ ଥିବା ୪୦ ନିୟୁତ ଟନ୍‌ କୋଇଲାକୁ ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ ଯୋଗାଇ ଦିଆଯାଉଛି। କୋଇଲା ଏକ ରୋଲିଂ ଷ୍ଟକ୍ ହୋଇଥିବାରୁ ଏହାକୁ ପ୍ରତିଦିନ ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ ଯୋଗାଇ ଦିଆଯାଉଛି। କୋଇଲା ଅଭାବକୁ ନେଇ ଯେଉଁ ଖବର ପ୍ରକାଶ ପାଉଛି ତାହା ଭିତ୍ତିହୀନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। କିଛି ଦିନ ତଳେ ଚୀନ୍‌ରେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା। ସେଠାକାର ଅନେକ ପ୍ରଦେଶ କିଛି ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲା। ଲୋକମାନେ ଫ୍ଲାସ୍‌ ଲାଇଟ୍‌ରେ କାମ ଚଳାଇଥିଲେ। ଏହି ଘଟଣାକୁ କିଛି ଦିନ ବିତି ନଥିବା ବେଳେ ଭାରତରେ କୋଇଲାର ଘୋର ଅଭାବ ଦେଖାଦେଇଛି। ବର୍ତ୍ତମାନର ସ୍ଥିତିକୁ ଚୀନ୍ ଭୋଗିଥିବା ସମସ୍ୟା ସହ ତୁଳନା କରାଯାଉଛି। କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ରେ ଭାରତର ୭୦% ବିଦ୍ୟୁତ ଉତ୍ପାଦନ କରାଯାଉଛି। କୋଇଲାର ଅଭାବ ନିଶ୍ଚିତ ରୂପେ ଏହି କାରଖାନାଗୁଡ଼ିକର ଉତ୍ପାଦନ କ୍ଷମତାକୁ ପ୍ରଭାବିତ କରିଛି। ବର୍ଷା ଯୋଗୁଁ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବାରୁ ଏଭଳି ସଙ୍କଟମୟ ସ୍ଥିତି ସୃଷ୍ଟି ହୋଇଛି। ଆନ୍ତର୍ଜାତିକ ବଜାରରେ ମଧ୍ୟ କୋଇଲା ମୂଲ୍ୟ ବହୁତ ବଢ଼ିଛି। ଗୋଟିଏ ପଟେ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ବିଦ୍ୟୁତ ଚାହିଦାରେ ହଠାତ୍‌ ବଡ଼ ଧରଣର ବୃଦ୍ଧି ଏକ ଜଟିଳ ସ୍ଥିତି ସୃଷ୍ଟି କରିଛି।