ଦେଶରେ ବିଜୁଳି ଚାହିଦା ୨୪୦ ଗିଗାୱାଟ୍‌ ଛୁଇଁଲା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରେ ଏବେ ପ୍ରବଳ ତାତି ଦେଖାଦେଇଛି। ଏଥିପାଇଁ ଲୋକମାନେ ଅଧିକ ମାତ୍ରାରେ ଏସି ଓ ଅନ୍ୟାନ୍ୟ କୁଲିଂ ସାମଗ୍ରୀ ବ୍ୟବହାର କରୁଛନ୍ତି। ଏଥିଯୋଗୁ ଚଳିତ ଗ୍ରୀଷ୍ମଋତୁରେ ଶୀର୍ଷ ବିଜୁଳି ଚାହିଦା ଶୁକ୍ରବାର ଦିନ ୨୩୯.୯୬ ଗିଗାୱାଟ୍‌ ଛୁଇଁଛି। ଗୁରୁବାର ଏହି ଚାହିଦା ୨୩୬.୫୯ ଗିଗାୱାଟ୍‌ ରହିଥିବାବେଳେ ବୁଧବାର ଏହା ୨୩୫.୦୬ ଗିଗାୱାଟ୍ ରହିଥିଲା। ୨୦୨୩ ସେପ୍ଟେମ୍ବରରେ ଦେଶର ଶୀର୍ଷ ବିଜୁଳି ଚାହିଦା ରେକର୍ଡ ୨୪୩.୨୭ ଗିଗାୱାଟ୍‌ ଛୁଇଁବା ଦେଖିବାକୁ ମିଳିଥିଲା। ସେହି ରେକର୍ଡ ଚଳିତବର୍ଷ ଗ୍ରୀଷ୍ମଋତୁରେ ଭାଙ୍ଗିବା ନେଇ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଚଳିତମାସରେ ଶକ୍ତି ମନ୍ତ୍ରାଳୟ ଦେଶର ବିଜୁଳି ଚାହିଦା ନେଇ ଏକ ଆକଳନ କରିଥିଲା।

ସେଥିରେ ମେ ମାସରେ ଦିନବେଳା ଶୀର୍ଷ ବିଜୁଳି ଚାହିଦା ୨୩୫ ଗିଗାୱାଟ୍‌ ଏବଂ ସନ୍ଧ୍ୟାବେଳା ୨୨୫ ଗିଗାୱାଟ୍‌ ରହିବ ବୋଲି କୁହାଯାଇଥିଲା। ଜୁନ ମାସରେ ଏହି ଚାହିଦା ଦିନବେଳା ୨୪୦ ଗିଗାୱାଟ୍‌ ଏବଂ ସନ୍ଧ୍ୟାବେଳା ୨୩୫ ଗିଗାୱାଟ୍‌ ରହିବ ବୋଲି ଆକଳନ କରାଯାଇଥିଲା। ତେବେ ଚଳିତ ଗ୍ରୀଷ୍ମଋତୁରେ ଶୀର୍ଷ ବିଜୁଳି ଚାହିଦା ୨୬୦ ଗିଗାୱାଟ୍‌ ଛୁଇଁପାରେ ବୋଲି ମନ୍ତ୍ରାଳୟ ଆକଳନ କରିଛି। ତଥ୍ୟ ଅନୁଯାୟୀ, ଚଳିତବର୍ଷ ଏପ୍ରିଲରେ ଶୀର୍ଷ ବିଜୁଳି ଚାହିଦା ୨୨୪.୧୮ ଗିଗାୱାଟ୍‌ ଥିବାବେଳେ ମାର୍ଚ୍ଚରେ ୨୨୧.୮୨ ଗିଗାୱାଟ୍‌, ଫେବ୍ରୁଆରିରେ ୨୨୨.୧୬ ଗିଗାୱାଟ୍‌ ଏବଂ ଜାନୁଆରିରେ ୨୨୩.୫୧ ଗିଗାୱାଟ୍‌ ରହିଥିଲା।

ଅନ୍ୟପକ୍ଷରେ ମେ ମାସରେ ଶୀର୍ଷ ବିଜୁଳି ଯୋଗାଣ ମେ ୬ ତାରିଖରେ ସର୍ବାଧିକ ୨୩୩ ଗିଗାୱାଟ୍‌ରେ ଏବଂ ମେ ୨୧ ତାରିଖରେ ୨୩୩.୮୦ ଗିଗାୱାଟରେ ପହଞ୍ଚିଥିଲା। ୨୦୨୩ ମେ ମାସରେ ଏହା ୨୨୧.୪୨ ଗିଗାୱାଟ ରହିଥିଲା। ଗତ ସପ୍ତାହର ୧୮ ତାରିଖରେ ଶୀର୍ଷ ବିଜୁଳି ଚାହିଦା ୨୨୯.୫୭ ଗିଗାୱାଟ୍‌, ମେ ୧୫, ୧୬ ଓ ୧୭ରେ ପ୍ରାୟ ୨୨୬ ଗିଗାୱାଟ୍‌ ରହିଥିଲା। ମେ ୪ରେ ୨୨୯.୭୭ ଗିଗାୱାଟ୍‌ ଏବଂ ମେ ୨୦ରେ ୨୨୮.୭୧ ଗିଗାୱାଟ୍‌ ରହିଥିଲା।

ସମ୍ବନ୍ଧିତ ଖବର