ବସ୍‌ ପାଇଁ ଇଲେକ୍‌ଟ୍ରୋନିକ୍‌ ସ୍ଥିରତା ନିୟନ୍ତ୍ରଣ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ: ପରିବହନରେ ବ୍ୟବହୃତ ହେଉଥିବା ଯାନଗୁଡ଼ିକର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ୨୦୨୩ ଏପ୍ରିଲ୍‌ ସୁଦ୍ଧା ବସ୍‌ଗୁଡ଼ିକ ପାଇଁ ଇଲେକ୍‌ଟ୍ରୋନିକ୍ ସ୍ଥିରତା ନିୟନ୍ତ୍ରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ସବୁ ପ୍ରକାର ଯାନଗୁଡ଼ିକର ସୁରକ୍ଷା ବଢ଼ାଇବା ଉପରେ ସରକାର ବିଚାର କରୁଛନ୍ତି। ଟାୟାର ପ୍ରେସର ନିରୀକ୍ଷଣ ବ୍ୟବସ୍ଥାକୁ ଆସନ୍ତା ମାସ ଠାରୁ ଲାଗୁ କରିବା ଉପରେ ବିଚାର କରାଯାଉଛି। ଏହି ସବୁ ନୂତନ ବ୍ୟବସ୍ଥା ଜରିଆରେ ବିକାଶଶୀଳ ଦେଶ ସ୍ତରରେ ଭାରତ ପହଞ୍ଚିବାକୁ ଚାହୁଛି। କିଛି ବର୍ଷ ଭିତରେ ଭାରତୀୟ ଗାଡ଼ି ଶିଳ୍ପରେ ଅନେକ ପରିବର୍ତନ ହୋଇଛି। ଯାତ୍ରୀ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ କନେକ୍ଟେଡ୍‌ ପ୍ରଯୁକ୍ତି ଦୃଷ୍ଟିରୁ ଭାରତର ଗାଡ଼ି ଶିଳ୍ପ ଅନେକ ଅଗ୍ରଗତି କରିଛି।

ବିଏସ୍‌-୬ ନିୟମକୁ ଏହା ସଫଳତାର ସହ ଲାଗୁ କରିଛି ଯାହା ୟୁରୋ-୬ ସଦୃଶ କଠିନ। ଏହି ପଦକ୍ଷେପ ଗ୍ରହଣ କରି ଆମେରିକା, ୟୁରୋପ ଓ ଜାପାନ ଭଳି ଦେଶ ସ୍ତରରେ ଭାଗ ପହଞ୍ଚିପାରିଛି। ଆଣ୍ଟି ଲକ୍ ବ୍ରେକିଂ ବ୍ୟବସ୍ଥା, ଏୟାରବ୍ୟାଗ୍, ବେଗ ବିଷୟରେ ସତର୍କ ସୂଚନା ଦେଉଥିବା ବ୍ୟବସ୍ଥା, ପଛୁଆ ଗାଡ଼ି ପାର୍କିଂ କରିବା ବେଳେ ସହାୟତା ଦେଉଥିବା ବ୍ୟବସ୍ଥା ଏବଂ ଦୁର୍ଘଟଣା ସମୟରେ ସୁରକ୍ଷା ପ୍ରଦାନ କରୁଥିବା ବ୍ୟବସ୍ଥା ଆଦି ଲାଗୁ କରିବା ପାଇଁ ଏକ ଚିଠା ପ୍ରସ୍ତୁତ କରାଯାଇଛି। ଇଲେକ୍‌ଟ୍ରୋନିକ୍ ସ୍ଥିରତା ନିୟନ୍ତ୍ରଣ ଓ ବ୍ରେକ୍ ସହାୟତା ବ୍ୟବସ୍ଥା ଲାଗୁ କରିବା ଉପରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଦୁଇଚକିଆ ଯାନ ଲାଗି ସାଇଡ୍‌ ଷ୍ଟାଣ୍ଡ୍‌ ଓ ଫୁଟ୍‌ ରେଷ୍ଟ୍‌ ସମ୍ପର୍କିତ ବିଜ୍ଞପ୍ତି ମଧ୍ୟ ମନ୍ତ୍ରଣାଳୟ ଜାରି କରିଛି। ନିର୍ମାଣ ଉପକରଣ ଯାନର ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ମାନକ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର