ଭୁ‌ବନେଶ୍ବର: ଦେଶର ଅଗ୍ରଣୀ ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍‌ ଓଡ଼ିଶାରେ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି। ସେଥିପାଇଁ କମ୍ପାନି ରାଜ୍ୟରେ ୫୦୦ ଏକର ଜମି ଅଧିଗ୍ରହଣ କରିବ। ରାଜ୍ୟ ସରକାରଙ୍କ ସହଯୋଗରେ ଜମି ଅଧିଗ୍ରହଣ କରାଯିବ ବୋଲି କମ୍ପାନିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ ବିତ୍ତ ଅଧିକାରୀ ଆଶୁତୋଷ ଅଗ୍ରୱାଲ୍ ସୂଚନା ଦେଇଛନ୍ତି। ଏନେଇ ଭେଣ୍ଡର ସହିତ ଆଲୋଚନା ଜାରି ରହିଛି। ଆସନ୍ତା ୧୫ ଦିନ ଭିତରେ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

Advertisment

ପ୍ରକଳ୍ପ ବିଷୟରେ ଅଧିକ ସୂଚନା ଦେଇ ସେ କହିଛନ୍ତି ଓଡ଼ିଶାରେ କମ୍ପାନି ଏକ ଡିଆଇ ପାଇପ୍ ଓ ଫିଟିଙ୍ଗ୍‌ସ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ଆମର ଲକ୍ଷ୍ୟ ହେଉଛି ପ୍ରଥମେ ଜମି ଅଧିଗ୍ରହଣ କରିବା। ସେଥିପାଇଁ ଆମ ଟିମ୍ କାମ କରୁଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ପ୍ରକଳ୍ପର ରୂପରେଖ ବିଷୟରେ ସ୍ପଷ୍ଟ ସୂଚନା ଦିଆଯାଇପାରିବ ବୋଲି ସେ କହିଛନ୍ତି। ୫୦୦ ଏକର ଜମି କିଣିବା ଲାଗି ଯେଉଁ ପାଣ୍ଠି ଦରକାର ତାହାକୁ କମ୍ପାନି ନିଜସ୍ବ ସୂତ୍ରରୁ ସଂଗ୍ରହ କରିବ। ଏଥିପାଇଁ ଋଣ କରାଯିବ ନାହିଁ ବୋଲି ଶ୍ରୀ ଅଗ୍ରୱାଲ୍ ସୂଚନା ଦେଇଛନ୍ତି। ଓଡ଼ିଶା ପ୍ରକଳ୍ପ ବିଷୟରେ ଅଧିକ ସୂଚନା ଦେଇ ‌ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ଏହି ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ନିବେଶ କରାଯିବ। କାରଖାନାଟି କିଭଳି ହେବ ତାହା ଏବେ ଯୋଜନା ସ୍ତରରେ ରହିଛି। ଆସନ୍ତା ଦୁଇ ମାସ ଭିତରେ ଏହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ। ଓଡ଼ିଶା କାରଖାନା ବ୍ୟତୀତ ୨୦୨୪-୨୫ରେ କମ୍ପାନି ୨୦୦-୨୨୫ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି।

କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଉମଙ୍ଗ କେଜ୍ରିୱାଲ୍ କହିଛନ୍ତି ଯେ ଡିଆଇ ପାଇପ୍ ଓ ଫିଟିଙ୍ଗ୍‌ସକୁ ନେଇ ଦେଶରେ ରହିଥିବା ଚାହିଦାକୁ ଏବେ ପୂରଣ କରାଯାଇ ପାରୁନାହିଁ। ତେଣୁ ଏହି ଶିଳ୍ପରେ ଉତ୍ପାଦନ କ୍ଷମତା ଆଗକୁ ବଢ଼ିବ। ଚଳିତ ବର୍ଷ ଆମେ କେତେ ନିବେଶ କରିବୁ ତାହା ନିର୍ବାଚନ ପରେ ଜଣାଇବୁ ବୋଲି ସେ କହିଛନ୍ତି। ଓଡ଼ିଶା ପ୍ରକଳ୍ପ ସଂକ୍ରାନ୍ତରେ ବୋର୍ଡ ସ୍ପଷ୍ଟ କରିନଥିବାରୁ ଆମେ ଅଧିକ ସୂଚନା ଦେଇପାରିବୁ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ କେଜ୍ରିୱାଲ୍ କହିଛନ୍ତି ଯେ ଆମ ନୂଆ କାରଖାନା ଲାଗି ଓଡ଼ିଶାକୁ ଚୟନ କରିବା ପଛର କାରଣ ହେଉଛି ୧୬୭ କିଲୋମିଟରରେ ବନ୍ଦର ଥିବା ବେଳେ ୧୦୦ କିମି ଭିତରେ ପ୍ରମୁଖ କଞ୍ଚାମାଲ ମିଳିବ। ଗତ କିଛି ବର୍ଷ ଭିତରେ ରାଜ୍ୟରେ ଯେଉଁ ବିକାଶ ଚାଲିଛି ତାହା ଆମକୁ କାରଖାନା ସ୍ଥାପନ କରିବାର ବିଶ୍ବାସ ପ୍ରଦାନ କରିଛି ବୋଲି ସେ କହିଛନ୍ତି। ଓଡ଼ିଶା କାରଖାନା ଉଭୟ ଦେଶ ଭିତରର ଏବଂ ରପ୍ତାନି ଆବଶ୍ୟକତା ପୂରଣ କରିବ ବୋଲି ସେ କହିଛନ୍ତି।