ଟ୍ବିଟରକୁ କିଣିବା ପରେ ଏବେ ଟେସଲାର ସିଇଓ ପଦରୁ ଇସ୍ତଫା ଦେବେ ମସ୍କ

ନୂଆଦିଲ୍ଲୀ: ଟ୍ବିଟରକୁ କିଣିବା ପରେ ଏବେ ଟେସଲାର ସିଇଓ ପଦରୁ ଇସ୍ତଫା ଦେବେ ଏଲନ ମସ୍କ। ଟୁଇଟରର ନୂତନ ମୁଖ୍ୟ ଏଲନ୍ ମସ୍କ ଟେସଲା ପାଇଁ ଜଣେ ନୂତନ ସିଇଓ ଚୟନ କରିଥିବା ଜଣାଯାଇଛି। କମ୍ପାନି ସୂତ୍ରରୁ ପ୍ରକାଶ ଯେ ମସ୍କ ଟେସଲା ପାଇଁ ନୂଆ ସିଇଓ ବାଛିଛନ୍ତି। ଏହାକୁ ନେଇ ମସ୍କଙ୍କ ଇସ୍ତଫା ଦେବା ଖବର ଚର୍ଚ୍ଚାରେ ରହିଛି। ନିକଟରେ ମସ୍କ କହିଥିଲେ ଯେ, ଟୁଇଟର ହେଉ କିମ୍ବା ଟେସଲା, ସେ କୌଣସି କମ୍ପାନିର ସିଇଓ ହେବାକୁ ଚାହାଁନ୍ତି ନାହିଁ। ଟେସଲା ପାଇଁ ସେ ସିଇଓ ବାଛି ସାରିଥିବା ବେଳେ ଏବେ ଟ୍ବିଟର ପାଇଁ ମସ୍କ ଏକ ନୂତନ ସିଇଓ ଖୋଜୁଥିବା ଜଣାଯାଇଛି।

ଟେସଲା ବୋର୍ଡର ଅନ୍ୟତମ ସଦସ୍ୟ ଜେମ୍ସ ମୁର୍ଡକ କହିଛନ୍ତି ଯେ ମସ୍କ କମ୍ପାନିର ସିଇଓ ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି। ସେ କୋର୍ଟରେ ଏନେଇ ସାକ୍ଷ୍ୟ ଦେଇଛନ୍ତି କିନ୍ତୁ ଉତ୍ତରାଧିକାରୀଙ୍କ ନାମ ପ୍ରକାଶ କରିନାହାନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, କିଛି ଟେସଲା ନିବେଶକ ଟ୍ୱିଟରର ସିଇଓ ହେବା ପରେ ମସ୍କ ଟେସଲା ଉପରେ ଯଥେଷ୍ଟ ଧ୍ୟାନ ଦେଇ ପାରିବେ କି ନାହିଁ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ମସ୍କ ଟ୍ୱିଟରକୁ କିଣି ସାରିଥିବାରୁ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଏବେ ମାଇକ୍ରୋ ବ୍ଲଗିଂ ସାଇଟକୁ ସ୍ଥାନାନ୍ତରିତ ହୋଇଛି। ମସ୍କ କିଛି ଟେସଲା ଇଞ୍ଜିନିୟରଙ୍କୁ ଟ୍ୱିଟର ପାଇଁ କାମ କରିବାକୁ କହିଥିବା ମଧ୍ୟ ସାମ୍ନାକୁ ଆସିଛି। ତେବେ ଦୁଇଟି ବଡ଼ ଦାୟିତ୍ବକୁ ମସ୍କ କିଭଳି ତୁଲାଇବେ, ତାହା ଆଗକୁ ଜଣାପଡ଼ିବ।

ସମ୍ବନ୍ଧିତ ଖବର