କଥା ରଖିଲେ ମସ୍କ: ଟ୍ବିଟର୍‌ କିପରି ସାମ୍ନାକୁ ଆସେ ଜଣାପଡ଼ିଲା, ରିଲିଜ୍‌ କଲେ କୋଡ୍‌

ନୂଆଦିଲ୍ଳୀ: ଟ୍ବିଟର୍‌କୁ ଅପଣ ଖୋଲିବା ମାତ୍ରେ ସ୍କ୍ରିନ୍‌ରେ ଆପଣଙ୍କୁ ଅନେକ୍‌ ଟ୍ବିଟ୍‌ ଦୃଶ୍ୟମାନ ହୋଇଥାଏ। କେବେ କେବେ ମନରେ ପ୍ରଶ୍ନ ଉଙ୍କି ମାରେ ଯେ ସ୍କ୍ରିନ୍‌ରେ କେଉଁ ଟ୍ବିଟ୍‌ ପ୍ରଥମେ ଦୃଶ୍ୟମାନ ହେବ ତାହା କିପିରି ସ୍ଥିର ହୋଇଥାଏ? ଏହା ପଛରେ ଟ୍ବିଟର୍‌ର ଆଲ୍‌ଗୋରିଦିମ୍‌ ରହିଛି। ଆପଣଙ୍କ ଟାଇମ୍‌ଲାଇନ୍‌ରେ ପ୍ରଥମେ କେଉଁ ଟ୍ବିଟ୍‌ ଦୃଶ୍ୟମାନ ହେବ ତାହା ଏହି ଆଲ୍‌ଗୋରିଦିମ୍‌ ହିଁ ସ୍ଥିର କରିଥାଏ।

ଟ୍ବିଟର୍‌ ନିକଟରେ ଜିଟ୍‌ହବ୍‌ରେ ଏହି ଆଲ୍‌ଗୋରିଦିମ୍‌ର କୋଡ୍ ରିଲିଜ୍‌ କରିଦେଇଛି। ଏ ସଂପର୍କରେ ଟ୍ବିଟର୍‌ ଏକ ବ୍ଲଗ୍‌ ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛି। କିଛି ଟ୍ବିଟ୍‌ ଆପଣଙ୍କ ଟାଇମ୍‌ଲାଇନ୍‌ରେ କିପରି ଦିଶୁଛି, ତା’ର ରାଙ୍କିଂ କିପରି ହୋଇଥାଏ, ତାହାକୁ ଫିଲ୍ଟର କିପରି କରାଯାଏ ଏ ସବୁ ସେହି ଆଲ୍‌ଗୋରିଦିମ୍‌ ଦ୍ବାରା ହିଁ ଜଣାପଡ଼ିଥାଏ।

ଟ୍ବିଟର୍‌ କରିଥିବା ଏକ ବ୍ଲଗ୍‌ ପୋଷ୍ଟ୍‌ ଅନୁସାରେ, ରେକମେଣ୍ଡସେନ୍ ପାଇପ୍‌ଲାଇନ୍‌ ମୁଖ୍ୟତଃ ୩ଟି ଉତ୍ସରୁ ବନିଥାଏ। ପ୍ରଥମେ ଭିନ୍ନ ଉତ୍ସରୁ ଟ୍ବିଟ୍‌ ସବୁକୁ ଏକାଠି କରାଯାଏ। ଦ୍ବିତୀୟରେ ଏହି ଆଲ୍‌ଗୋରିଦିମ୍‌ ସେ ସବୁ ଟ୍ବିଟ୍‌କୁ ରାଙ୍କ୍‌ କରିଥାଏ। ତା’ପରେ ସେ ସବୁୁକୁ ଫିଲ୍ଟର କରାଯାଏ। ଫଳରେ ଆପଣଙ୍କ ପାଇଁ ସୁରକ୍ଷିତ ନ ହୋଇଥିବା କିମ୍ବା ଆପଣ ବ୍ଲକ୍‌ କରିଥିବା ବ୍ୟବହାରକାରୀଙ୍କ ଟ୍ବିଟ୍‌ ଟାଇମଲାଇନ୍‌ରେ ଦେଖା ଯାଇନଥାଏ।

ଏଲନ୍‌ ମସ୍କ ୨୦୨୨ ମସିହାରେ ଏକ ପୋଲ୍‌ ( ଜନମତ ସର୍ଭେ) କରିଥିଲେ। ଅବଶ୍ୟ ସେ ସମୟରେ ସେ ଟ୍ବିଟର୍‌ର ମାଲିକ ବନିନଥିଲେ। ସେ ତାଙ୍କ ପୋଲ୍‌ରେ ନିଜର ଫଲୋୟର୍ସମାନଙ୍କୁ ପ୍ରଶ୍ନ କରିଥିଲେ କି ଟ୍ବିଟର୍‌ ଆଲ୍‌ଗୋରିଦିମ୍‌ର ଓପନ୍‌ ସୋର୍ସ ହେବା ଜରୁରୀ କି ନୁହେଁ? ଏଥିରେ ପ୍ରାୟ ୮୩ ପ୍ରତିଶତ ବ୍ୟବହାରକାରୀ  ଜରୁରୀ ବୋଲି ମତ ରଖିଥିଲେ। ଚଳିତବର୍ଷ ଫେବ୍ରୁଆରିରେ ସେ ଆଲ୍‌ଗୋରିଦିମ୍‌କୁ ଲାଇଭ୍‌ କରିବେ ବୋଲି ଘୋଷଣା କରିଥିଲେ। ଏବେ ସେ ନିଜର କଥା ରଖିଛନ୍ତି।

ସମ୍ବନ୍ଧିତ ଖବର