ନୂଆଦିଲ୍ଲୀ: ବିଶ୍ୱର ୧ ନମ୍ବର ଧନୀ ସ୍ଥାନ ଅଧିକାର କରିଛନ୍ତି ଆମେରିକାର ଇଲେକ୍ଟ୍ରିକ୍ ଯାନ ନିର୍ମାତା ‘ଟେସ୍ଲା’ର ମୁଖ୍ୟ ଏଲୋନ୍ ମସ୍କ | ମସ୍କ ବିଶ୍ବର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି। ଷ୍ଟକ ବଜାରରେ ଟେସ୍ଲାର ସେୟାର ମୂଲ୍ୟ ବୃଦ୍ଧି ପାଇବାରୁ ମସ୍କଙ୍କ ସମ୍ପତ୍ତି ବହୁତ ବଢ଼ିଛି। ଦକ୍ଷିଣ ଆଫ୍ରିକାରେ ଜନ୍ମ ଗ୍ରହଣ କରିଥିବା ଏହି ଇଞ୍ଜିନିୟର ସ୍ପେସ୍ଏକ୍ସ ନାମକ ମହାକାଶ ଗବେଷଣା ସଂସ୍ଥାର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେବେ ଆପଣ ଜାଣନ୍ତି କି ଏଲୋନ୍ ମସ୍କ ଜଣାଶୁଣା ସୋସିଆଲ ମିଡ଼ିଆ ହ୍ଵାଟ୍ସଆପ ବ୍ୟବହାର କରନ୍ତି ନାହିଁ | କାରଣ ଏଲୋନ୍ ଟ୍ୱିଟ୍ କରି 'ସିଗନାଲ ବ୍ୟବହାର କରନ୍ତୁ' ବୋଲି ଲେଖିଛନ୍ତି। ସିଗନାଲ ବ୍ୟବହାର କରିବା ପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି।
Use Signal
— Elon Musk (@elonmusk) January 7, 2021
ସିଗନାଲ୍ ହେଉଛି ଏକ ଇନ୍ସଟାଣ୍ଟ ମେସେଜିଂ ଆପ୍, କିନ୍ତୁ ଏହି ଆପ୍ ଦୁନିଆର ସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଏ | ଆଉ କୌତୁହଳର ବିଷୟ ଏହିକି ଯେ ସିଗନାଲ ପ୍ରତିଷ୍ଠାରେ ହ୍ଵାଟ୍ସଆପର ମୂଳ ପ୍ରତିଷ୍ଠାତାଙ୍କ ଅଂଶଧନ ରହିଛି | ଏଲନ୍ ମସ୍କଙ୍କ ଏହି ଟୁଇଟ୍ ପରେ ଲୋକମାନେ ସିଗନାଲରେ ଆକାଉଣ୍ଟ ଖୋଲିବାରେ ଲାଗିପଡିଛନ୍ତି । ଆଉ ଖୋଦ ସିଗନାଲ ପକ୍ଷରୁ ଏବାବଦରେ ଦର୍ଶାଯାଇଛି | ସିଗନାଲ ଟ୍ୱିଟରରେ ଲେଖିଛି ଯେ ହଠାତ୍ ଅନେକ ଲୋକ ସିଗନାଲରେ ଯୋଗ ଦେଉଛନ୍ତି, ତେଣୁ ଆକାଉଣ୍ଟ୍ ଆକ୍ଟିଭେସନରେ କିଛି ସମସ୍ୟା ଅଛି, ଯାହା କମ୍ପାନୀ ଶୀଘ୍ର ସମାଧାନ କରିବାକୁ କାର୍ଯ୍ୟ କରୁଛି।
କାହିଁକି ସିଗନାଲ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ?
ସିଗନାଲ୍ ଆପ୍ ରେ ଏକ ବୈଶିଷ୍ଟ୍ୟ ଅଛି ଯାହା ସକ୍ଷମ କରିବା ପରେ, ଆପଣ ଏବଂ ଆପଣ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି, ସେମାନେ ସ୍କ୍ରିନସଟ୍ ନେବାକୁ ସମର୍ଥ ହେବେ ନାହିଁ | କେବଳ ଏତିକି ନୁହେଁ, ଏହି ଆପ୍ ନିଶ୍ଚିତ କରେ ଯେ ଅନ୍ୟ କୌଣସି ଆପ୍ ମଧ୍ୟ ଆପଣଙ୍କ ଚାଟ୍ ର ସ୍କ୍ରିନସଟ୍ ନେଇପାରିବ ନାହିଁ | ଅନ୍ୟପଟେ ହ୍ଵାଟ୍ସଆପ ଆପଣଙ୍କର ପରିଚୟ, ଲୋକେସନ, ଉପଭୋକ୍ତା ଯୋଗାଯୋଗ ଭଳି ସମସ୍ତ ପ୍ରକାରର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥାଏ | କିନ୍ତୁ ସିଗନାଲ୍ ଏହି ପ୍ରକାରର କୌଣସି ତଥ୍ୟ ସଂଗ୍ରହ କରେ ନାହିଁ | ସୂଚନା ଥାଉ କି ହ୍ବାଟସ୍ଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ନୂଆ ଗୋପନୀୟତା ନୀତି ଓ ସର୍ତାବଳୀ ଜାରି କରିଛି। ଫେସବୁକ୍ର ଅନ୍ୟ ଉତ୍ପାଦ ଓ ସେବାଗୁଡ଼ିକ ସହ ଯେଭଳି ଅଧିକ ସମନ୍ବୟ ରହିପାରିବ ତାହାକୁ ଏଥିରେ ଦୃଷ୍ଟି ଦିଆଯାଇଛି।
ଭାରତ ସମେତ ବିଭିନ୍ନ ଦେଶର ବ୍ୟବହାରକାରୀମାନଙ୍କୁ ଏହି ସର୍ତାବଳୀ ଗ୍ରହଣ କରିବା ଲାଗି ସୂଚନା ଆସିଛି। ଫେସବୁକ୍ ସହିତ ଆଦାନପ୍ରଦାନ କରାଯାଉଥିବା ତଥ୍ୟରେ ଫୋନ୍ ନମ୍ବର, କାରବାର ତଥ୍ୟ, ସେବା ସମ୍ପର୍କିତ ସୂଚନା, ବ୍ୟବସାୟ ସମେତ ଅନ୍ୟମାନଙ୍କ ସହିତ କିଭଳି ଯୋଗାଯୋଗ କରାଯାଉଛି, ମୋବାଇଲ୍ ଡିଭାଇସ୍ର ସୂଚନା, ଆଇପି ଠିକଣା ଏବଂ ଦରକାର ପଡ଼ିଲେ ଅନ୍ୟ ସୂଚନା ସାମିଲ କରାଯିବ। ଏଥିପାଇଁ କଂପାନି ତରଫରୁବ୍ୟବହାରକାରୀଙ୍କ ଅନୁମତି ମଗାଯାଇଛି। ଫେସବୁକ୍ ସହିତ କଂପାନି ଯେଉଁ ସବୁ ତଥ୍ୟ ଆଦାନପ୍ରଦାନ କରୁଛି ତାହାକୁ ନେଇ ହ୍ବାଟସ୍ଆପ୍ ଏକ ଏଫ୍ଏକ୍ୟୁ ଜାରି କରିଛି। ହ୍ବାଟସ୍ଆପ୍ର ଏହି ନୀତି ଚଳିତ ବର୍ଷ ଫେବ୍ରୁଆରି ୮ରୁ ଲାଗୁ ହେବ। ହ୍ବାଟସ୍ଆପ୍ ସେବା ବ୍ୟବହାର କରିବା ଜାରି ରଖିବା ଲାଗି ଏହି ନୂତନ ଗୋପନୀୟତା ନୀତିକୁ ଗ୍ରହଣ କରିବାକୁ ପଡ଼ିବ। ଯେଉଁମାନେ ଏଥିରେ ରାଜି ନହେବେ ସେମାନେ ହ୍ବାଟସ୍ଆପ୍ ବ୍ୟବହାର କରିପାରିବେନି।