ଟ୍ବିଟର ସହ ଚୁକ୍ତିକୁ ବାତିଲ କରିବେ ଏଲନ ମସ୍କ! ଏଭଳି କଲେ ଦେବାକୁ ହେବ ୭୬୦୦ କୋଟିର ଜରିମାନା

ନୂଆଦିଲ୍ଲୀ : ଏବେ ଟେସଲା ସିଇଓ ଏଲନ୍ ମସ୍କଙ୍କ ହାତରେ ରହିଛି ଟ୍ୱିଟର। ପ୍ରତି ସେୟାର ପିଛା ୫୪.୨୦ ଡଲାରରେ କିଣିବାକୁ ମସ୍କ ଅଫର୍ ଦେଇଥିବା ବେଳେ ଗତ ସୋମବାର ବିଳମ୍ବିତ ରାତିରେ ଟ୍ୱିଟର ବୋର୍ଡ ଏହାକୁ ଗ୍ରହଣ କରିନେଇଥିଲା। ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାର ଦେଇ କମ୍ପାନିକୁ କିଣିଛନ୍ତି । ତେବେ ଟ୍ବିଟରକୁ କିଣିବାର ଦୁଇ ଦିନ ପରେ ଏ‌ବେ ଟ୍ବିଟର ସହ କରିଥିବା ଚୁକ୍ତିକୁ ସେ ବାତିଲ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଟ୍ବିଟରକୁ କିଣିବା ପରେ ତାଙ୍କୁ ହେଉଥିବା କ୍ଷତି ପାଇଁ ସେ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ଚୁକ୍ତି ବାତିଲ୍ କରିବା ପାଇଁ ମସ୍କଙ୍କ ପାଖରେ ଅନେକ କାରଣ ରହିଛି । ରଏଟର୍ସର ରିପୋର୍ଟ ଅନୁସାରେ ଚାରିବର୍ଷ ପୂର୍ବରୁ ମସ୍କ ଏଭଳି କରିସାରିଛନ୍ତି । ସେ ସିଜ୍ କ୍ୟାଣ୍ଡିଜକୁ ଟକ୍କର ଦେବାକୁ ବଡ଼ କ୍ୟାଣ୍ଡି କମ୍ପାନି ଖୋଲିବାକୁ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏଥିରୁ ଓହରି ଯାଇଥିଲେ । ଏବେ ପୁଣି ଥରେ ମସ୍କ ଏଭଳି କରିପାରନ୍ତି। ତେବେ ଯଦି ସେ ଏହି ଚୁକ୍ତିରୁ ଓହରି ଯାଆନ୍ତି ତେବେ ତାଙ୍କ ଉପରେ ଏକ ବିଲିୟନ ଡଲାରର ଜରିମାନା ଲାଗିପାରେ । କାରଣ ଏହାକୁ ନେଇ କମ୍ପାନି ସହ ତାଙ୍କର ଏକ ଚୁକ୍ତି ହୋଇଛି। ଏହା ଅନୁଯାୟୀ, ଯିଏ ବି ଚୁକ୍ତିରୁ ଓହରିବ ତାକୁ ଏକ ବିଲିୟନ ଡଲାର ଜରିମାନା ଦେବାକୁ ପଡ଼ିବ ।

ଟ୍ବିଟର ସହ ମସ୍କ କରିଥିବା ଚୁକ୍ତି ବାତିଲ କରିପାରନ୍ତି କାରଣ, ଟୁଇଟରରେ ମସ୍କଙ୍କ ଭାଗିଦାରୀ ବିଷୟରେ ସାମ୍ନାକୁ ଆସିବା ପରେ ତାଙ୍କ କମ୍ପାନି ଟେସଲାର ସେୟାର ଲଗାତାର ତଳକୁ ଖସୁଛି। ଟେସଲାର କିଛି ସେୟାର ବିକ୍ରି କରି ମସ୍କ ଟ୍ବିଟର କିଣିବାକୁ ଯୋଜନା କରିଥିଲେ। ହେଲେ ଏବେ ସେୟାର ଲଗାତାର ତଳକୁ ଖସୁ ଥିବାରୁୁ ତାଙ୍କୁ ଟ୍ବିଟର କିଣିବାରେ ସମସ୍ୟା ହୋଇପାରେ। ଏହା ଚୁକ୍ତି ବାତିଲ କରିବାର ମୁଖ୍ୟ କାରଣ ‌ବୋଲି କୁହାଯାଉଛି ।

ଚୁକ୍ତି ବାତିଲ କରିବା ପଛରେ ଚୀନ ମଧ୍ୟ ଏକ କାରଣ ବୋଲି ଚର୍ଚ୍ଚା ହେଉଛି। କାରଣ ଟେସଲା ନିଜ ଗାଡ଼ିର ଅଧା ଉତ୍ପାଦନ ଚୀନରେ କରିଥାଏ, ସେଠି କମ୍ପାନିକୁ ଅଧିକ ରାଜସ୍ବ ମିଳିଥାଏ । ହେଲେ ଏବେ ଚୀନରେ ଟୁଇଟରର ବ୍ୟବସାୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ମସ୍କଙ୍କ ଟ୍ବିଟର କିଣିବା ତାଙ୍କୁ ଭାରୀ ପଡ଼ିପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, ୟୁରୋପରେ କମ୍ପାନିକୁ ଆଗାମୀ ସମୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି । କାରଣ ଫାଇନାନସିଆଲ ଟାଇମ୍ସକୁ ୟୁରୋପିଅନ ୟୁନିଅନ କମିସନର ଥେରି ବ୍ରେଟୋନ କହିଛନ୍ତି ଯେ, ଯଦି କମ୍ପାନି ବିପଦପୂର୍ଣ୍ଣ ବିଷୟବସ୍ତୁ ଉପରେ ଗୁରୁତ୍ବ ନଦିଏ ତେବେ ଟ୍ବିଟର ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ସବୁ ବାଧାବିଘ୍ନକୁ ଦୃଷ୍ଟିରେ ରଖି ମସ୍କ ଏହି ଚୁକ୍ତିରୁ ଓହରି ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ମସ୍କଙ୍କ ନିଷ୍ପତ୍ତି କ’ଣ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର