ଟୁଇଟର୍‌ ବୋର୍ଡରେ ଯୋଗ ଦେବେନାହିଁ ଏଲନ୍‌ ମସ୍କ୍‌: ‘ସିଇଓ’ ପରାଗ ଅଗ୍ରୱାଲ୍‌

ନୂଆଦିଲ୍ଲୀ: ‘ଟେଲ୍‌ସ୍‌’ର ‘ସିଇଓ’ ଏଲନ୍‌ ମସ୍କ୍‌ ଟୁଇଟର୍‌ ବୋର୍ଡରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ‘ସିଇଓ’ ପରାଗ ଅଗ୍ରୱାଲ୍‌ କହିଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପରାଗ ଅଗ୍ରୱାଲ୍‌ ଲେଖିଛନ୍ତି: ଆମ ବୋର୍ଡରେ ଯୋଗ ଦେବେ ନାହିଁ ବୋଲି ଏଲନ୍‌ ମସ୍କ୍‌ ନିଷ୍ପତ୍ତି ନେଇଛନ୍ତି। ଯାହା ହୋଇଛି ସେ କଥା ଲେଖୁଛି। ଏଲନ୍ ବୋର୍ଡରେ ଯୋଗ ଦେବା ବିଷୟରେ ବୋର୍ଡ ଓ ମୁଁ ଅନେକ ଥର ଆଲୋଚନା କରିଛୁ। ଏଲନ୍‌ଙ୍କ ସହ ସିଧାସଳଖ କଥାବର୍ତ୍ତା ମଧ୍ୟ ହୋଇଛି। ମିଳିତ ଭାବେ କାର୍ଯ୍ୟ କରି ସମ୍ଭାବ୍ୟ ବିପଦ ବିଷୟରେ ସ୍ପଷ୍ଟ ହୋଇଯିବୁ ବୋଲି ଆମେ ବ୍ୟଗ୍ର ହେଉଥିଲୁ। ଆମର ବିଶ୍ବାସ ଥିଲା କମ୍ପାନିର ଜଣେ ଟ୍ରଷ୍ଟି ଭାବେ ଏଲନ୍‌ଙ୍କୁ ପାଇବୁ। ବୋର୍ଡର ସବୁ ସଦସ୍ୟଙ୍କ ପରି ସେ ମଧ୍ୟ କମ୍ପାନିର ସ୍ବାର୍ଥ ପାଇଁ କାମ କରିବେ ଏବଂ ଆମର ସମସ୍ତ ସେୟାରହୋଲ୍‌ଡର୍‌ମାନଙ୍କର ଉତ୍ତମ ଅଗ୍ରଗତି ହେବ। ବୋର୍ଡ ତାଙ୍କୁ ପଦବୀଟିଏ ଯାଚିଥିଲା।

Image Courtesy of Protocol

ସେ ଆହୁରି ମଧ୍ୟ କହିଛନ୍ତି, ଗତ ସପ୍ତାହରେ ଏଲନ୍‌ଙ୍କୁ ବୋର୍ଡରେ ନିଯୁକ୍ତି ମିଳିଥିଲା। ଏପ୍ରିଲ୍‌ ୯ ତାରିଖ ଦିନ ଏଲନ୍‌ଙ୍କ ନିଯୁକ୍ତି କାର୍ଯ୍ୟକ୍ଷମ ହୋଇଥାଆନ୍ତା, କିନ୍ତୁ ସେଦିନ ସକାଳେ ସେ ଜଣାଇଲେ କି, ସେ ବୋର୍ଡରେ ଯୋଗ ଦେବେ ନାହିଁ। ବୋର୍ଡ ଥାଆନ୍ତୁ କି, ନ ଥାଆନ୍ତୁ ଆମ ସେୟାର୍‌ହୋଲ୍‌ଡର୍‌ମାନଙ୍କର ପରମର୍ଶ ଉପରେ ଗୁରୁତ୍ବ ଦେଉ। ଏଲନ୍‌ ଆମର ସବୁଠୁ ବଡ଼ ସେୟାର୍‌ହୋଲ୍‌ଡର୍‌ ହୋଇଥିବାରୁ ଆମେ ତାଙ୍କ ମତ ପ୍ରତି ଉନ୍ମୁକ୍ତ ରହିବୁ।

ସମ୍ପ୍ରତି ମସ୍କ୍‌ ଟୁଇଟର୍‌ର ସବୁଠୁ ବଡ଼ ସେୟାର୍‌ହୋଲ୍‌ଡର୍‌। ଗତ ସପ୍ତାହରେ ସେ ଟୁଇଟର୍‌ର ୯.୨% ସେୟାର୍‌ ଖରିଦ କରିଥିଲେ।

ସୂଚନାଯୋଗ୍ୟ, ଏଲନ୍‌ ମସ୍କ୍‌ ଟୁଇଟର୍‌ ବୋର୍ଡରେ ଯୋଗ ଦେବେ ବୋଲି ଗତ ସପ୍ତାହରେ ପରାଗ ଅଗ୍ରୱାଲ୍‌ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର