ପାଳଙ୍ଗ ଶାଗ ପଠାଇଲା ଇ-ମେଲ୍‌

ନୂଆଦିଲ୍ଲୀ : ଶାଗ ଗଛ ପଠାଇଲା ଇ-ମେଲ୍। ଏହା ବିଜ୍ଞାନ ଉପରେ ଆଧାରିତ କୌଣସି ହଲିଉଡ୍ ସିନେମାର ଦୃଶ୍ୟ ନୁହେଁ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ମାସାଚୁସେଟସ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଟେ‌କ୍ନୋଲୋଜି (ଏମ୍‌ଆଇଟି)ର ଇଞ୍ଜିନିୟରମ‌ାନେ ଅଣୁ ପ୍ରଯୁକ୍ତି ବ୍ୟବହାର କରି ଏକ ସଫଳ ପରୀକ୍ଷଣ କରିଛନ୍ତି। ଏହି ପ୍ରଯୁକ୍ତି ବ୍ୟବହାର ଦ୍ବାରା ସେମାନେ ପାଳଙ୍ଗ ଶାଗ ଗଛକୁ ସେନ୍‌ସର୍‌ରେ ରୂପାନ୍ତରିତ କରିଥିଲେ ଯାହାର ଚେର ଭୂତଳ ଜଳରେ ଥିବା ବିସ୍ଫୋରକ ଉପାଦାନ ସନ୍ଧାନ କରିପାରିଥିଲା। କାର୍ବନ ନାନୋ‌‌ଟ୍ୟୁବ୍‌ ଥିବା ଶାଗ ଗଛର ଚେର ଜରିଆରେ ସଂଗୃହୀତ ହୋଇଥିବା ବିସ୍ଫୋରକ ଉପାଦାନ ସମ୍ପର୍କିତ ତଥ୍ୟ ବିକିରଣ କରିଥିଲା। ସେହି ତଥ୍ୟକୁ ଏକ ଇନଫ୍ରାରେଡ୍ କ୍ୟାମେରା ଗ୍ରହଣ କରି ଇ-ମେଲ୍ ଜରିଆରେ ବୈଜ୍ଞାନିକଙ୍କ ନିକଟକୁ ପଠାଇ ସେମାନଙ୍କୁ ବିସ୍ଫୋରକ ଉପାଦାନ ସମ୍ପର୍କରେ ସତର୍କ କରିଥିଲା। ଏମ୍‌ଆଇଟିର ଇଞ୍ଜିନିୟରମାନେ ବିକଶିତ କରିଥିବା ଏହି ପ୍ରଯୁକ୍ତିର ନାମ ହେଉଛି ‘ପ୍ଲାଣ୍ଟ୍‌ ନାନୋବାୟୋନିକ୍ସ’। ଏମ୍‌ଆଇଟିର ପ୍ରଫେସର ମାଇକେଲ୍ ଷ୍ଟ୍ରାନୋ କହିଛନ୍ତି ଯେ ଗଛଗୁଡ଼ିକର ମୃତ୍ତିକାରେ ବ୍ୟାପକ ନେଟ୍‌ୱର୍କ ରହିଛି। ସେମାନେ ଭୂତଳ ଜଳକୁ ନିଜ ଶକ୍ତି ବଳରେ ପତ୍ର ପର୍ଯ୍ୟନ୍ତ ପଠାଇପାରନ୍ତି। ଗଛ ଓ ମଣିଷମାନଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା କ୍ଷେତ୍ରରେ ଏହି ପରୀକ୍ଷଣ ସୁଦୂରପ୍ରସାରୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହା ଜରିଆରେ ପ୍ରଦୂଷଣ ଓ ପରିବେଶ ସମ୍ପର୍କିତ ସତର୍କ ସୂଚନା ମଧ୍ୟ ହାସଲ କରିହେବ ବୋଲି ବୈଜ୍ଞାନିକମାନେ ଭାବୁଛନ୍ତି।

ସମ୍ବନ୍ଧିତ ଖବର