ଏମ୍‌ଏସ୍‌ଏମ୍‌ଇକୁ ଜରୁରୀକାଳୀନ ଋଣ: ଅଧିକ ମଞ୍ଜୁର, କମ୍ ଆବଣ୍ଟନ

ଭୁବନେଶ୍ବର: କରୋନା ସଙ୍କଟ ପ୍ରଭାବରେ ଚାପଗ୍ରସ୍ତ ଥିବା ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ଋଣ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ସ୍କିମ୍ ଘୋଷଣା କରିଛନ୍ତି। ଏହି ସ୍କିମ୍‌ ଅଧୀନରେ ବ୍ୟାଙ୍କଗୁଡ଼ିକ ଏମ୍ଏସ୍‌ଏମ୍‌ଇ ଚିହ୍ନଟ କରି ସେମାନଙ୍କୁ ଋଣ ଦେଉଛନ୍ତି। ଏହି ସ୍କିମ୍‌ରେ ବ୍ୟାଙ୍କଗୁଡ଼ିକ ଯେତିକି ଟଙ୍କାର ଋଣ ମଞ୍ଜୁର କରିଛନ୍ତି ତାହାର ଅଧା ମଧ୍ୟ ଆବଣ୍ଟନ କରିନାହାନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାରି କରିଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଏହା ଜଣାପଡ଼ିଛି।

ଜରୁରୀକାଳୀନ କ୍ରେଡିଟ୍ ଲିଙ୍କଡ୍‌ ଗ୍ୟାରେଣ୍ଟି ସ୍କିମ୍ (ଇସିଏଲ୍‌ଜିଏସ୍‌)ରେ ଚଳିତ ମାସ ୪ ତାରିଖ ସୁଦ୍ଧା ସରକାରୀ ବ୍ୟାଙ୍କଗୁଡ଼ିକ ରାଜ୍ୟର ୧ ଲକ୍ଷ ୪୧ ହଜାର ୫୦୨ଟି ଏମ୍ଏସ୍‌ଏମ୍‌ଇ ଖାତା ପାଇଁ ୧୯୩୨.୮୫ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି। କିନ୍ତୁ ସେଥି ମଧ୍ୟରୁ ମାତ୍ର ୪୫,୦୯୭ଟି ଖାତାକୁ ୮୪୨.୭୬ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରରେ ମଧ୍ୟ ସମାନ ଚିତ୍ର ରହିଛି। ସାରା ଦେଶରେ ୩୬ ଲକ୍ଷରୁ ଅଧିକ ଏମ୍ଏସ୍‌ଏମ୍‌ଇ ପାଇଁ ୧,୧୪,୫୦୨ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। କିନ୍ତୁ, ସେଥି ମଧ୍ୟରୁ ୧୫ ଲକ୍ଷ ୨୪ ହଜାରରୁ ଅଧିକ ଏମ୍ଏସ୍‌ଏମ୍‌ଇ ଖାତାରେ ୫୬,୦୯୧.୧୮ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ସରକାରୀ ବ୍ୟାଙ୍କଗୁଡ଼ିକ ୩୫,୫୭୫.୪୮ କୋଟି ଟଙ୍କାର ଋଣ ଆବଣ୍ଟନ କରିଥିବା ବେଳେ ଘରୋଇ ବ୍ୟାଙ୍କ ୨୦,୫୧୫.୭୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସର୍ବାଧିକ ୧୩,୪୦୫ କୋଟି ଟଙ୍କାର ଋଣ ଆବଣ୍ଟନ କରିଛି।

ଦ୍ବିତୀୟ ସ୍ଥାନରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ରହିଛି। ଏହି ସ୍କିମ୍‌ରେ ମହାରାଷ୍ଟ୍ରରେ ସର୍ବାଧିକ ପରିମାଣର ଋଣ ଆବଣ୍ଟନ କରାଯାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ତାମିଲନାଡୁ ରହିଛି। ଗତ ଜୁନ୍ ୧୬ ସୁଦ୍ଧା ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩୨,୨୧୬ ଏମ୍ଏସ୍‌ଏମ୍ଇ ଖାତା ପାଇଁ ୯୭୫.୪୭ କୋଟି ଟଙ୍କା ମଞ୍ଜୁର କରିଥିଲେ। ସେମାନଙ୍କ ମଧ୍ୟରୁ ୧୫,୭୫୯ଟି ଖାତାରେ ୪୫୨.୨୮ କୋଟି ଟଙ୍କାର ଋଣ ଆବଣ୍ଟନ କରିଥିଲେ। ଗତ ୧୮ ଦିନ ଭିତରେ ରାଜ୍ୟରେ ଅଧିକରୁ ଅଧିକ ଏମ୍ଏସ୍‌ଏମ୍‌ଇକୁ ବ୍ୟାଙ୍କଗୁଡ଼ିକ ଜରୁରୀକାଳୀନ ଋଣ ମଞ୍ଜୁର କରିଛନ୍ତି। ଋଣ ଆବଣ୍ଟନରେ ମଧ୍ୟ ପ୍ରାୟ ଦୁଇ ଗୁଣା ବୃଦ୍ଧି ଘଟିଛି।

ଜରୁରୀକାଳୀନ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍‌ରେ ଦେଶର ୧୨ଟି ସରକାରୀ ବ୍ୟାଙ୍କ, ୨୦ଟି ଘରୋଇ ବ୍ୟାଙ୍କ ଓ ୧୦ଟି ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ଅନୁଷ୍ଠାନ (ଏନ୍‌ବିଏଫ୍‌ସି) ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଋଣ ଦେଉଛନ୍ତି। କରୋନା ସଙ୍କଟ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ୍‌ର ଏକ ଅଂଶ ହେଉଛି ଏହି ସ୍କିମ୍। ଗତ ମେ’ ୨୧ରେ ଏହି ସ୍କିମ୍‌କୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିଲା। ସ୍କିମ୍ ପାଇଁ ଧାର୍ଯ୍ୟ କରାଯାଇଥିବା ୩ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ କିମ୍ବା ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ସ୍କିମ୍ ଜାରି ରହିବ।

ସମ୍ବନ୍ଧିତ ଖବର