ନୂଆଦିଲ୍ଲୀ : ଦରଦାମ୍ ମୁକାବିଲା ଲାଗି ଆରମ୍ଭ ହୋଇଥିବା ଲଢ଼େଇକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜାରି ରଖି ସୁଧ ହାରରେ ଆଜି ଚତୁର୍ଥ ଥର ପାଇଁ ୦.୫% ବୃଦ୍ଧି କରାଯାଇଛି। ଫଳରେ ରେପୋ ହାର ଗତ ତିନି ବର୍ଷର ସର୍ବୋଚ୍ଚ ସ୍ତର ୫.୯୦ ପ୍ରତିଶତରେ ପହଞ୍ଚିଛି। ଗତ ମେ’ ପରଠାରୁ ଚାରି ଥରରେ ରେପୋ ହାରରେ ୧.୯୦ ପ୍ରତିଶତ ବୃଦ୍ଧି ହୋଇଛି। ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇଥିବାରୁ ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ବା ଇଏମ୍‌ଆଇ ବୃଦ୍ଧି ପାଇବ। ନୂଆ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କୁ ମଧ୍ୟ ସୁଧ ଆକାରରେ ଅଧିକ ଟଙ୍କା ଗଣିବାକୁ ହେବ। ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ଋଣ ସୁଧରେ ଆହୁରି ବୃଦ୍ଧି କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଘରୋଇ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତତ୍କାଳ ଏହାର ଋଣ ସୁଧ ହାର ୦.୫% ବଢ଼ାଇଛି। ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସୁଧ ବଢ଼ାଇବେ ବୋଲି ଆଶା କରାଯାଉଛି।

Advertisment

ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୬.୭%ରେ ରହିବ ବୋଲି ଆକଳନ କରାଯାଇଛି। ସେହି ସମୟରେ ଜିଡିପି ଅଭିବୃଦ୍ଧି ଆକଳନକୁ ରିଜର୍ଭ ବ୍ୟାଙ୍କ ୭.୨%ରୁ ହ୍ରାସ କରି ୭% ହେବ ବୋଲି କହିଛି। ଆଜି ଶକ୍ତିକାନ୍ତ କହିଛନ୍ତି ଯେ କରୋନା ମହାମାରୀ ଏବଂ ରୁଷ୍ ୟୁକ୍ରେନ୍ ଯୁଦ୍ଧ ପରେ ସାରା ବିଶ୍ବ କଠୋର ମୁଦ୍ରାନୀତି ସମସ୍ୟାକୁ ସାମ୍ନା କରୁଛି।