ରାଧିକାପୁର ଇଷ୍ଟ୍‌ କୋଇଲା ଖଣି ହାତେଇଲା ଇଏମ୍‌ଆଇଏଲ୍‌ ମାଇନ୍ସ

ନୂଆଦିଲ୍ଲୀ : ଓଡ଼ିଶାର ରାଧିକାପୁର ୱେଷ୍ଟ ପରେ ଏବେ ରାଧିକାପୁର ଇଷ୍ଟ କୋଇଲା ଖଣିର ନିଲାମ ହୋଇଛି। ଏହି ଖଣିକୁ ଆଦିତ୍ୟ ବିର୍ଲା ଗ୍ରୁପ ଅଧୀନ ଇଏମ୍‌ଆଇଏଲ୍‌ ମାଇନ୍ସ ଆଣ୍ଡ ମିନେରାଲ୍ସ ରିସୋର୍ସେସ୍‌ ଲିମିଟେଡ ହାତେଇଛି। ଏଥିସହିତ ଝାଡ଼ଖଣ୍ଡର ଉର୍ମା ପାହାଡ଼ିତୋଳା ଖଣି ମଧ୍ୟ ନିଲାମ ହୋଇଛି। ଏହି ଖଣିକୁ ଅରବିନ୍ଦ ରିଅଲିଟି ଆଣ୍ଡ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ପାଇଛି। ଗୁରୁବାର ଏହି ନିଲାମ ହୋଇଥିଲା ବୋଲି ଜଣାଯାଇଛି।

ବାଣିଜ୍ୟିକ କୋଇଲା ନିଲାମ ଆରମ୍ଭ ହେବାର ପଞ୍ଚମ ଦିନରେ ଏହି ଦୁଇଟି ଖଣିର ନିଲାମ ହୋଇଥିଲା। ଉକ୍ତ ଦୁଇଟି ଖଣିରେ ୭୫୫.୬୩ ନିୟୁତ ଟନର କୋଇଲା ମହଜୁଦ ରହିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟିକ କୋଇଲା ଖଣି ନିଲାମରେ ଆଜି ସୁଦ୍ଧା ୧୭ଟି କୋଇଲା ଖଣିର ନିଲାମ ହେଲାଣି। ରାଜସ୍ବ ଆବଣ୍ଟନ ଭିତ୍ତିରେ ଏହି ଖଣି ଗୁଡ଼ିକର ନିଲାମ ହେଉଛି। ପୂର୍ବରୁ ଟନ୍ ପିଛା ମୂଲ୍ୟ ହିସାବରେ କୋଇଲା ଖଣି ନିଲାମ ହେଉଥିଲା। ରାଧିକାପୁର ଇଷ୍ଟ ଖଣି ପାଇଁ ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ (ଏଇଏଲ), ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ ନାଲ୍‌କୋ ଦୌଡ଼ରେ ଥିଲେ। ଏହି ଇ-ନିଲାମରେ ଖଣି ହାତେଇବା ପାଇଁ କମ୍ପାନି ଗୁଡ଼ିକ ଭିତରେ ପ୍ରବଳ ପ୍ରତିଯୋଗିତା ହୋଇଥିଲା ବୋଲି ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ଖଣି ପାଇଁ ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ପ୍ରିମିୟରେ କମ୍ପାନି ଗୁଡ଼ିକ ଦୁଇଟି ଯାକ ଖଣିକୁ ପାଇଛନ୍ତି।

କୋଇଲା ମନ୍ତ୍ରାଳୟ ପକ୍ଷରୁ ପ୍ରଥମେ ୩୮ଟି କୋଇଲା ଖଣିର ନିଲାମ ଯୋଜନା କରାଯାଇଥିଲା। କିନ୍ତୁ କୋଇଲା ଖଣି (ସ୍ବତନ୍ତ୍ର ବ୍ୟବସ୍ଥା) ଆଇନ ୨୦୧୫ ଅଧୀନରେ ଏକାଦଶ ନିଲାମ ପର୍ଯ୍ୟାୟରେ ୧୯ଟି ଖଣିର ନିଲାମ ଏବେ କରାଯାଉଛି। ଏହି ଖଣିଗୁଡ଼ିକ ଓଡ଼ିଶା ଏବଂ ଝାଡ଼ଖଣ୍ଡ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ରହିଛି। ଚଳିତ ପର୍ଯ୍ୟାୟ ନିଲାମ ଆସନ୍ତା ୯ ତାରିଖରେ ଶେଷ ହେବ। ଏହି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ଆଉ ଦୁଇଟି ଖଣି ନିଲାମ ହେବାକୁ ବାକି ରହିଛି। ସେଗୁଡ଼ିକ ମଧ୍ୟରୁ ଝାଡ଼ଖଣ୍ଡର ଗୋଟିଏ ‌ଥିବାବେଳେ ଛତିଶଗଡ଼ର ଗୋଟିଏ ‌କୋଇଲା ଖଣି ରହିଛି।

ସମ୍ବନ୍ଧିତ ଖବର